ନୂଆଦିଲ୍ଲୀ,୧୬।୧୦: ବିଜେପିର ସବୁଠାରୁ ଶକ୍ତିଶାଳୀ ଗଡ଼ ଗୁଜୁରାଟରୁ ଆସିଛି ବଡ଼ ଖବର।ମନ୍ତ୍ରୀମଣ୍ଡଳରୁ ଏକାସାଙ୍ଗେ ଇସ୍ତଫା ଦେଲେ ସବୁ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଭେଟି ପୁରା ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ପ୍ରଦାନ କରିଛନ୍ତି ସେମାନଙ୍କ ଇସ୍ତଫାପତ୍ର। ଜୋର ଧରିଛି ମନ୍ତ୍ରୀ ମଣ୍ଡଳରେ ବଡ ଧରଣର ଅଦଳ ବଦଳ । ପୁରା ନୂଆ ରୂପ ନେବ କି ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରିମଣ୍ଡଳ । ବେଶ୍ ରୋଚକ ଓ ଚର୍ଚ୍ଚିତ ହୋଇଛି ମନ୍ତ୍ରୀ ମାନଙ୍କ ସମୂହ ଇସ୍ତଫା। ତେବେ ୨୦୨୭ ରେ ଗୁଜୁରାଟ ବିଧାନସଭା ନିର୍ବାଚନ ରହିଛି। ତା ପୂବର୍ରୁ ଏହା ଏକ ନିର୍ବାଚନୀ ସମୀକରଣ ବୋଲି ଚର୍ଚ୍ଚା ହେଉଛି।
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡି ତାଙ୍କ ମନ୍ତ୍ରୀମଣ୍ଡଳର ସମସ୍ତ ୧୬ ମନ୍ତ୍ରୀ ଦେଇଛନ୍ତି ଇସ୍ତଫା। ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ନେଇ ବହୁ ଦିନ ଧରି ଆଶା କରାଯାଉଥିଲା।ସେହି କ୍ରମରେ ବିଜେପିର ଏହି ମାଷ୍ଟର ଷ୍ଟ୍ରୋକ୍ । ପୁରା କଳେବର ଆଉ ପୁରା ଚିତ୍ର ବଦଳାଇବାକୁ ମୁଖ୍ୟମନ୍ତ୍ରୀ ପଟେଲଙ୍କୁ ଦିଆଯାଇଛି କ୍ଷମତା ।ଏପଟେ କିନ୍ତୁ ରାଜ୍ୟରେ ନିର୍ବାଚନ ପାଇଁ ଦୁଇ ବର୍ଷ ବାକି ଥିବା ବେଳେ ବିଜେପି ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଦଳରେ ନୂଆ ଏବଂ ଯୁବ ମୁହଁ ସାମିଲ ହେବାର ସମ୍ଭାବନା ରହିଛି।
ନୂତନ ଟିମ୍ରେ କେବଳ ନୂତନ ମନ୍ତ୍ରୀ ସାମିଲ ହେବେ କି କିଛି ପୁନରାବୃତ୍ତି ହେବେ ତାହା ସ୍ପଷ୍ଟ ହୋଇନି। ଶୁକ୍ରବାର ମଧାହ୍ନ ୧୨ ଟା ୩୯ ମିନିଟ୍ରେ ଭୂପେନ୍ଦ୍ର ପଟେଲଙ୍କ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥ ଉତ୍ସବରେ ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗଦେବେ। ଗୁଜରାଟରେ ବର୍ତ୍ତମାନର ମନ୍ତ୍ରୀ ପରିଷଦରେ ମୁଖ୍ୟମନ୍ତ୍ରୀ ପଟେଲଙ୍କ ସମେତ ୧୭ ମନ୍ତ୍ରୀ ଅଛନ୍ତି। ୮ କ୍ୟାବିନେଟ ସ୍ତରୀୟ ମନ୍ତ୍ରୀ ଏବଂ ସମାନ ସଂଖ୍ୟାରେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।ତେବେ ୧୮୨ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୨୭ ଜଣ ମନ୍ତ୍ରୀ ରହିପାରିବେ, ଯାହା ଗୃହର ମୋଟ କ୍ଷମତାର ୧୫ ପ୍ରତିଶତ।ଏବେ ଅପେକ୍ଷା ପଟେଲଙ୍କ ନୂଆ ଟିମ୍କୁ ।