ନୂଆଦିଲ୍ଲୀ, ୧୯/୦୩ : ଉତ୍ତରାଖଣ୍ଡ ପରେ ଏବଂ ଗୁଜରାଟରେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି)। ବୁଧବାର କ୍ୟାବିନେଟ୍ ବୈଠକରେ ୟୁସିସି ବିଲ୍ କୁ ମଞ୍ଜୁରୀ ମିଳିଛି। ଚଳିତ ଅଧିବେଶନରେ ୟୁସିସି ବିଲ୍ ପାରିତ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ନିୟମ ଲାଗୁ ହେବା ପରେ ରାଜ୍ୟରେ ସମସ୍ତ ସମୁଦାୟ ପାଇଁ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଏବଂ ଲିଭ୍-ଇନ-ରିଲେସନସିପ୍ ପାଇଁ ଏକକ ନିୟମ ଲାଗୁ ହେବ। ତେବେ ଅନୁସୂଚିତ ଜନଜାତିଙ୍କୁ ଏହି ନିୟମରୁ ବହିର୍ଭୂତ କରାଯିବ ବୋଲି ଅନୁମାନ କରାଯାଉଛି।
ୟୁସିସି ଲାଗୁ ହେଲେ ରାଜ୍ୟରେ ଧାର୍ମିକ ରୀତିନୀତି ଅନୁସାରେ ବିବାହ ହେବ। ହେଲେ ବିବାହ ଏବଂ ଛାଡ଼ପତ୍ର ପାଇଁ ପଞ୍ଜୀକରଣ ଅନିବାର୍ଯ୍ୟ ହେବ। ନିୟମ ପାଳନ ନକଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ। ସେହିପରି ଲିଭ୍-ଇନ୍-ରିଲେସନରେ ରହିବାକୁ ହେଲେ ଜଲ୍ଲା ରେଜିଷ୍ଟ୍ରାରଙ୍କ ପାଖରେ ଉଭୟ ପାର୍ଟନର ଯାଇ ପଞ୍ଜୀକରଣ କରିବାକୁ ପଡ଼ିବ। ଅଲଗା ହେବାକୁ ନଷ୍ପତ୍ତି ନେଲେ ନୋଟିଫାଏ କରିବାକୁ ପଡ଼ିବ। ଏହି ସମ୍ପର୍କରେ ଯଦି କୌଣସି ପିଲା ଜନ୍ମ ହୁଏ ତାହେଲେ ତାକୁ ବୈଧ ସନ୍ତାନ ମାନ୍ୟତା ମିଳିବ। ଜନ୍ମିତ ଶିଶୁକୁ ସମସ୍ତ ଅଧିକାର ମିଳିବ। ଯଦି କୌଣସି ମହିଳାଙ୍କୁ ତାଙ୍କ ପାର୍ଟନର ଛାଡ଼ିବେ ତାହେଲେ ତାଙ୍କୁ ଭରଣପୋଷଣ ଦେବାକୁ ପଡ଼ିବ। ସବୁ ଧର୍ମର ଲୋକଙ୍କ ପାଇଁ ବିବାହ ପାଇଁ ସମାନ ଆୟୁ ବର୍ଗ ରହିବ। ପୁରୁଷଙ୍କ ପାଇଁ ୨୧ ଏବଂ ମହିଳା ପାଇଁ ୧୮ ଆୟୁ ହୋଇଥିବା ଅନିବାର୍ଯ୍ୟ ହେବ।
ୟୁସିସିରେ ବହୁ ବିବାହ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି କୌଣସି ବ୍ୟକ୍ତି ଆଇନଗତ ଭାବେ ଛାଡ଼ପତ୍ର ନନେଇ ଦ୍ଵିତୀୟ କିମ୍ଵା ତୃତୀୟ ବିବାହ କରିବେ ତାହେଲେ ୭ ବର୍ଷର ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଉତ୍ତରାଧିକାରୀ ପାଇଁ ମଧ୍ୟ ସର୍ବ ଧର୍ମରେ ସମାନ ନିୟମ ରହିବ। ଯଦି କୌଣସି ବ୍ୟକ୍ତି ୱିଲ୍ କରିନଥିବେ ତେବେ ଉତ୍ତରାଧିକାରୀଙ୍କୁ ୩ଟି ଶ୍ରେଣୀରେ ବଣ୍ଟାଯିବ। ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀରେ ପତି,ପତ୍ନୀ, ସନ୍ତାନ ସାମିଲ ରହିବେ। ଦ୍ଵିତୀୟ ଶ୍ରେଣୀରେ ସାବତ ବାପା-ମା, ଜେଜେବାପା-ଜେଜେମା ଏବଂ ଅଜା-ଆଇ ସାମିଲ ହେବେ। ତୃତୀୟ ଶ୍ରେଣୀରେ ସମ୍ପର୍କୀୟ ସାମିଲ ହେବେ।
ଏହି ଖବରଟିକୁ ପଢନ୍ତୁ- ଆଜି ହିନ୍ଦୁ ନବବର୍ଷ, ବିକ୍ରମ ସମ୍ୱତ୍ ୨୦୮୩ ଆରମ୍ଭ, ୫୮ ବର୍ଷ ପଛୁଆ ଇଂରାଜୀ କ୍ୟାଲେଣ୍ଡର