ନୂଆଦିଲ୍ଲୀ; ୫/୧ : ପୁଣି ଜେଲରୁ ବାହାରିଛନ୍ତି ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମୀତ ରାମ ରହିମ । ଯୌନ ଶୋଷଣ ଏବଂ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି । ରୋହତକର ସୁନାରିଆ ଜେଲରୁ ପାରୋଲରେ ବାହାରିଛନ୍ତି । ୧୫ଥର ପାଇଁ ସେ ପାରୋଲରେ ବାହାରିଥିବାବେଳେ ଏଥରକ ୪୦ଦିନ ପାଇଁ ବାହାରିଛନ୍ତି । ଯାହାକୁ ମଞ୍ଜୁର କରିଛନ୍ତି ହରିୟାଣା ସରକାର । ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଗୁରମିତ ରାମ ରହିମଙ୍କ ପାରୋଲ ମଞ୍ଜୁରକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବାବେଳେ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ପରଗତ ସିଂ ହରିୟାଣା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ବିଭିନ୍ନ ଅଭିଯୋଗରେ ଏବେ ମଧ୍ୟ ତାଙ୍କ ବିରୋଧରେ ମାମଲା ଚାଲିଛି । ମାତ୍ର ବାରମ୍ବାର କାହିଁକି ପାରୋଲରେ ଛଡ଼ାଯାଉଛି । ଏତେଥର ପାରୋଲରେ ଛାଡ଼ିବା ପଛରେ କଣ କାରଣ ରହିଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
କହି ରଖୁଛୁ କି, ଜଣେ ସାଧ୍ବୀଙ୍କୁ ଯୌନ ଶୋଷଣ ମାମଲାରେ ଜେଲରେ ରହିଛନ୍ତି । ଏହାସହ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ଅଭିଯୋଗ ମଧ୍ୟ ତାଙ୍କ ନାମରେ ରହିଛି । ୨୫ ଅଗଷ୍ଟ ୨୦୧୭ ମସିହାରୁ ସେ ଜେଲରେ ରହିଛନ୍ତି । ନିର୍ବାଚନ ସମୟରେ ତାଙ୍କୁ ପାରୋଲରେ ଛଡ଼ା ଯାଇଥିବାବେଳେ ଏହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ।ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ରାମ ରହିମ ୪୦ ଦିନିଆ ପାରୋଲରେ ବାହାରକୁ ଆସିଥିଲେ । ଏହି ସମୟରେ ସେ ଡେରା ମୁଖ୍ୟାଳୟରେ ସତସଙ୍ଗ ଓ ପ୍ରବଚନ ଦେଇଥିଲେ । ଗୁରମୀତ ରାମ ରହିମଙ୍କୁ ୨୦୧୭ରେ ଦୁଇ ସାଧ୍ୱୀଙ୍କୁ ବଳାତ୍କାର କରିବା ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା ।
ଜାଣନ୍ତୁ କେବେ କଣ ପାଇଁ ଆସିଛନ୍ତି ପାରୋଲରେ...
- ୧୫ ଅଗଷ୍ଟରେ ଜନ୍ମଦିନ ପାଳନ କରିବା ପାଇଁ ଜେଲରୁ ବାହାରକୁ ଆସିଥିଲେ
- ଗତ ବର୍ଷ ଜାନୁଆରୀରେ, ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ, ରାମ ରହିମଙ୍କୁ ୩୦ ଦିନର ପାରୋଲ ଦିଆଯାଇଥିଲା
- ହରିୟାଣା ବିଧାନସଭା ନିର୍ବାଚନର ତିନି ଦିନ ପୂର୍ବରୁ ତାଙ୍କୁ ୨୦ ଦିନର ପାରୋଲ ଦିଆଯାଇଥିଲା
- ଜାନୁଆରୀ ୨୦୨୪ରେ, ସେ ୫୦ ଦିନ ପାଇଁ ବାହାରକୁ ଆସିଥିଲେ
- ୧୩ ଅଗଷ୍ଟ ୨୦୨୪ରେ ୨୧ ଦିନ ପାଇଁ ବାହାରକୁ ଆସିଥିଲେ
- ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ନଭେମ୍ବର ୨୦୨୩ରେ ତାଙ୍କୁ ୨୯ ଦିନର ପାରୋଲ ଦିଆଯାଇଥିଲା
- ହରିୟାଣାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ଜୁଲାଇ ୨୦୨୩ରେ ୩୦ ଦିନିଆ ପାରୋଲରେ ବାହାରକୁ ଆସିଥିଲେ
- ଅକ୍ଟୋବର ୨୦୨୨ରେ ହରିୟାଣାର ଆଦମପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ ତାଙ୍କୁ ୪୦ ଦିନର ପାରୋଲ ଦିଆଯାଇଥିଲା
- ହରିୟାଣା ନଗର ନିଗମ ନିର୍ବାଚନ ପୂର୍ବରୁ ଜୁନ୍ ୨୦୨୨ରେ ତାଙ୍କୁ ୩୦ ଦିନର ପାରୋଲ୍ ଦିଆଯାଇଥିଲା
- ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଫେବୃଆରୀ ୨୦୨୨ରେ ତାଙ୍କୁ ୨୧ ଦିନର ଛୁଟି ଦିଆଯାଇଥିଲା
- ୨୪ ଅକ୍ଟୋବର ୨୦୨୦ରେ, ଗୁରମିତ୍ ରାମ ରହିମଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ତାଙ୍କ ଅସୁସ୍ଥ ମାଆଙ୍କୁ ଦେଖା କରିବା ପାଇଁ ଆସିଥିଲେ
- ୨୦୨୪ ଅକ୍ଟୋବରରେ ଡେରା ସଚ୍ଚା ସୌଦାରେ ପାଳିତ ପରମାର୍ଥ ଦିବସ ପୂର୍ବରୁ ଗୁରମିତ୍ ରାମ ରହିମ ଜେଲରୁ ବାହାରକୁ ଆସିଥିଲେ
- ୨୯ ଏପ୍ରିଲ୍, ୨୦୨୫ରେ ଡେରା ସଚ୍ଚା ସୌଦାର ପ୍ରତିଷ୍ଠା ଦିବସରେ ଏକ ମାସ ବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମୟରେ ଗୁରମୀତ ରାମ ରହିମ ଜେଲରୁ ବାହାରେ ଥିଲେ