ଦ୍ରୋଣାଚାର୍ଯ୍ୟ ଜଣେ ବିଦ୍ୱାନ୍ ଓ ଆଦର୍ଶ ଶିକ୍ଷକ, ମାତ୍ର ସେ ମଧ୍ୟ ପ୍ରକୃତି ନିହିତ ତରଙ୍ଗରେ ପ୍ରଭାବିତ ହେଉଥିବା ଜଣେ ସାଧାରଣ ମଣିଷ । ସେ ମଧ୍ୟ ଉଭୟ ସୁଗୁଣ ଓ ଦୁର୍ଗୁଣର ଏକ ସମନ୍ୱୟ । ଆମକୁ ସ୍ୱୀକାର କରିବାକୁ ହେବ ଯେ, ସର୍ବଶ୍ରେଷ୍ଠତା ବା ଦୋଷଶୂନ୍ୟତା ସର୍ବଦା ଅପହଞ୍ଚ ଅଟେ ।
ପ୍ରାଚୀନ ଗୁରୁ ଶିଷ୍ୟ ପରମ୍ପରା କଥା ସ୍ମରଣ କଲେ ମନେପଡ଼ିଯାଏ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ କଥା । ସାଂପ୍ରତିକ ସମୟର ଭାଷାରେ ସେ ଥିଲେ ଜଣେ ଘରୋଇ ଶିକ୍ଷକ । ସେ ଜଣେ ସୁଦକ୍ଷ ଧନୁର୍ବିଦ୍ୟାବିତ୍ ହୋଇଥିବା ଜାଣି ଭୀଷ୍ମ ତାଙ୍କୁ ହସ୍ତୀନା ନରେଶ ଧୃତରାଷ୍ଟ୍ରଙ୍କ ପୁତ୍ର ଓ ପାଣ୍ଡୁଙ୍କ ପୁତ୍ରମାନଙ୍କୁ ଶିକ୍ଷା ଦେବାପାଇଁ ଘରୋଇ ଶିକ୍ଷକ ଭାବରେ ନିଯୁକ୍ତି ଦେଇଥିଲେ । ସାଧାରଣତଃ ସରକାରୀ ଶିକ୍ଷକଙ୍କ ଦକ୍ଷତାରେ ସନ୍ତୁଷ୍ଟ ନହେଲେ କିମ୍ବା ଅଧିକ ଜ୍ଞାନ ଅର୍ଜନ କରିବାକୁ ଚାହିଁଲେ ଘରୋଇ ଶିକ୍ଷକଙ୍କ ଆବଶ୍ୟକତା ପଡ଼େ । ଯେତେବେଳେ ଘରୋଇ ଶିକ୍ଷକ ଛାତ୍ରଠାରେ ଅସାମାନ୍ୟ ପ୍ରତିଭା ଆବିଷ୍କାର କରନ୍ତି ଓ ତା’ଠାରେ ପ୍ରଚଣ୍ଡ ଜିଜ୍ଞାସା ଲକ୍ଷ୍ୟ କରନ୍ତି, ସେ ତା’ ପ୍ରତି ବେଶି ଶ୍ରଦ୍ଧାଶୀଳ ହେବା ସ୍ୱାଭାବିକ । ସେହି ନ୍ୟାୟରେ ଗୁରୁ ଦ୍ରୋଣାଚାର୍ଯ୍ୟ ଶିଷ୍ୟ ଅର୍ଜୁନକୁ ଅନ୍ୟ ଛାତ୍ରମାନଙ୍କ ଅପେକ୍ଷା ବେଶି ଭଲ ପାଉଥିଲେ ଓ ଅର୍ଜୁନକୁ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ଭାବରେ ନିର୍ମାଣ କରିବା ଥିଲା ଦ୍ରୋଣଙ୍କ ଅଭିପ୍ରାୟ । ଥରେ ଦ୍ରୋଣାଚାର୍ଯ୍ୟ ଓ ରାଜକୁମାରଗଣ ଅରଣ୍ୟରେ ବୁଲୁଥାନ୍ତି । ସାଙ୍ଗରେ ଥାଏ ଏକ କୁକୁର । ହଠାତ୍ କୁକୁରଟି ଭୁକିବାରୁ ସମସ୍ତେ ଭାବିଲେ କୁକୁରଟି ଭୁକି ନିକଟରେ କୌଣସି ହିଂସ୍ରଜନ୍ତୁ ଥିବାର ସୂଚନା ଦେଉଛି । ହଠାତ୍ ଭୁକିବା ଶବ୍ଦ ବନ୍ଦ ହେଲା । ଦେଖାଗଲା କୁକୁରଟି ଆସୁଛି, ମାତ୍ର ତାର ମୁହଁ ଖୋଲା । ମୁହଁ ଭିତରେ ଅନେକ ବାଣ ଲାଖିଛି । ମାତ୍ର ବାଣର ମୁନ ତାଳୁକୁ ପଶିନାହିଁ କି ତା’ ପାଟିରୁ ବୁନ୍ଦାଏ ରକ୍ତ ବି ବାହାରି ନାହିଁ । ଧନୁର ଗୋଟିଏ ଟଙ୍କାରରେ ସାତଟି ଶର ମରାଯାଇଛି । ସେହି ଧନୁର୍ଦ୍ଧରର ଅସାଧାରଣ କୌଶଳ ଦ୍ରୋଣାଚାର୍ଯ୍ୟଙ୍କୁ ଚକିତ କଲା । ସେ କୁକୁର ପାଟିରୁ ଶରଗୁଡ଼ିକ କାଢ଼ିଦେଲେ । ସେଠାରେ ହଠାତ୍ ଉପସ୍ଥିତ ହେଲା ଏକ କୃଷ୍ଣବର୍ଣ୍ଣର ବାଳକ । ନାମଟି ତା’ର ଏକଲବ୍ୟ । ସେ ଦ୍ରୋଣଙ୍କ ପାଦ ସ୍ପର୍ଶ କରି ସାଷ୍ଟାଙ୍ଗ ପ୍ରଣିପାତ କରନ୍ତେ ଦ୍ରୋଣ ତା’ର ପରିଚୟ ଜାଣିବାକୁ ଚାହିଁଲେ । ସେ କହିଲା "ମୁଁ ଆପଣଙ୍କ ଶିଷ୍ୟ' । ଦ୍ରୋଣ ପ୍ରମାଣ ଚାହାଁନ୍ତେ ଏକଲବ୍ୟ ତାଙ୍କୁ ନେଇଗଲା ଏକ ପ୍ରତିମା ନିକଟକୁ । ପ୍ରତିମାଟି ଥିଲା ସ୍ୱୟଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର । ଆହୁରି ଚକିତ ହେଲେ ଗୁରୁ ଦ୍ରୋଣ । ପିଲାଟିର ଗୁରୁଭକ୍ତି, ଜିଜ୍ଞାସା, ନମ୍ରତା ଓ କଳାକୌଶଳ ତାଙ୍କୁ ଅଭିଭୂତ କଲା । ମାତ୍ର ସେ ଥିଲେ ହସ୍ତୀନାପୁରର ଏକ ବେତନଭୋଗୀ ଘରୋଇ ଶିକ୍ଷକ । ନିଜ ଶିଷ୍ୟମାନେ ବିଦ୍ୟାଶିକ୍ଷାରେ ଉତ୍କର୍ଷ ପ୍ରତିପାଦନ କରନ୍ତୁ ଏହା ତାଙ୍କ ଇଚ୍ଛା ହେବା ସ୍ୱାଭାବିକ ।
ପୁନଶ୍ଚ ପ୍ରିୟ ଶିଷ୍ୟ ଅର୍ଜୁନକୁ ଆଉ କେହି ଧନୁବିଦ୍ୟାରେ ଅତିକ୍ରମ ନକରୁ, ଏହା ଥିଲା ଦ୍ରୋଣଙ୍କ ଆନ୍ତରିକ ଇଚ୍ଛା । ଏଣୁ କାଳେ ଏକଲବ୍ୟ ଅର୍ଜୁନକୁ ଅତିକ୍ରମ କରିବ, ସେହି ଆଶଙ୍କାରେ ସେ ଏକଲବ୍ୟ ପାଖରୁ ଗୁରୁଦକ୍ଷିଣା ସ୍ୱରୂପ ବାଣ ପ୍ରୟୋଗରେ ମୁଖ୍ୟ ଭୂମିକା ତୁଲାଉଥିବା ଦକ୍ଷିଣ ହାତର ବୃଦ୍ଧାଙ୍ଗୁଳିକୁ ମାଗିନେଲେ । ମାତ୍ର ଏକଲବ୍ୟ ବିଚଳିତ ହେଲାନାହିଁ । ସଙ୍ଗେ ସଙ୍ଗେ ଭକ୍ତି ସହ ଆଙ୍ଗୁଳିକୁ କାଟି ପକାଇଲା । ଅବଶ୍ୟ ଦ୍ରୋଣାଚାର୍ଯ୍ୟଙ୍କୁ କଷ୍ଟ ହେଲା । ସେ ନିଜ ଉତ୍ତରୀୟ ଚିରି କଟା ଆଙ୍ଗୁଳି ଦେହରେ ପଟି ବାନ୍ଧିଦେଲେ । ପରବର୍ତ୍ତୀ ସମୟରେ ତାଙ୍କର ଏହି କର୍ମ ପାଇଁ ପଶ୍ଚାତାପ କଲେ । କିନ୍ତୁ ତାଙ୍କର ଏହି କର୍ମ ଗୁରୁ ଚରିତ୍ରରେ ଏକ କଳା ଦାଗ ଛାଡ଼ିଗଲା । କେହି କେହି ଯୁକ୍ତି କରନ୍ତି ଏକଲବ୍ୟ ଜଣେ ଜିଜ୍ଞାସୁ ନମ୍ର, ଗୁରୁନିଷ୍ଠ ଶିଷ୍ୟ ହୋଇପାରେ, ମାତ୍ର ସେ ଥିଲା ଅସଂଯମୀ ଓ ଅବିବେକୀ, କାରଣ ଏକ ଅସହାୟ ନିର୍ଦ୍ଦୋଷ କୁକୁର ଉପରେ କ୍ରୋଧାନ୍ୱିତ ହୋଇ ସେ ତା’ର ମୁହଁକୁ ତୀର ଦ୍ୱାରା ସିଲେଇ କରିଦେଇଥିଲା । ଏହା ଥିଲା ଅସ୍ତ୍ରର ଅପପ୍ରୟୋଗ । ବିଦ୍ୟାର ଅପପ୍ରୟୋଗ ପୃଥିବୀ ପାଇଁ ବିପଜ୍ଜନକ ଓ କ୍ଷତିକାରକ । ଗୁରୁ ଚାହାଁନ୍ତି ବିଦ୍ୟାର ସଦୁପଯୋଗ ହେଉ । ଏକଲବ୍ୟ କ୍ଷେତ୍ରରେ ତା’ର ଉଲ୍ଲଙ୍ଘନ ହେଉଥିବାରୁ ଦ୍ରୋଣାଚାର୍ଯ୍ୟ ତା’ଠାରୁ ବୃଦ୍ଧାଙ୍ଗୁଳି କଟେଇ ନେଇ ଜଗତକୁ ବିପଦରୁ ଉଦ୍ଧାର କରିଛନ୍ତି । ଦ୍ରୋଣଙ୍କ ଏହି କର୍ମକୁ ସମର୍ଥନ କରିବାକୁ ଯାଇ କେହି କେହି ତାଙ୍କର ଅନ୍ୟତମ ଶିଷ୍ୟ କର୍ଣ୍ଣ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ କଥା ଉଦାହରଣ ଦେଇଥାନ୍ତି । ଦିନେ ସନ୍ଧ୍ୟାରେ ଭୋଜନ କଲାବେଳେ ଦୈବାତ୍ ପ୍ରଦୀପଟି ଲିଭିଯାଆନ୍ତେ ସମସ୍ତ ଶିଷ୍ୟ ଖାଇବା ବନ୍ଦ କରି ହାତ ଟେକି ବସିଲେ । ମାତ୍ର ଧ୍ୟାନଶୀଳ ଅର୍ଜୁନ ନିର୍ବିକାରରେ ଖାଇ ଚାଲିଥାନ୍ତି ।
ସେଦିନର ଅସ୍ତ୍ର ଚାଳନାରେ କେଉଁଠି କିପରି ଭୁଲ୍ ହେଲା, ତାକୁ କିପରି ସଂଶୋଧନ କରାଯାଇ ପାରିଥାନ୍ତା, ଏକଥା ଧ୍ୟାନ ଦେଇ ଚିନ୍ତା କରୁ କରୁ ସେ ଦେଖିଲେ ତା’ରି ଭିତରେ ସେ ସବୁତକ ଅନ୍ନ ଖାଇ ସାରିଛନ୍ତି । ସେ ଭାବିଲେ, ଘନ ଅନ୍ଧକାର ଭିତରେ ଯଦି ଅନ୍ନଗୁଣ୍ଡା ପାଟିକୁ ଚାଲିଯାଉଛି, ମହାବୀରମାନଙ୍କ ବାଣ ଅନ୍ଧାରରେ ଲକ୍ଷ୍ୟ ଭେଦ ନକରିବ କାହିଁକି? ଦୀର୍ଘ ଦିନର ଅଭ୍ୟାସବଶତଃ ଅନ୍ନଗୁଣ୍ଡା ଅନ୍ଧାରରେ ମଧ୍ୟ ଯେଭଳି ପାଟିକୁ ଚାଲିଗଲା, ଠିକ୍ ସେପରି ଅଭ୍ୟାସ ବଳରେ ଅନ୍ଧାରରେ ମଧ୍ୟ ଲକ୍ଷ୍ୟ ଭେଦ ସମ୍ଭବ । ସଙ୍ଗେ ସଙ୍ଗେ ଚାଲିଗଲେ ଏକ ନିର୍ଜନ ପ୍ରାନ୍ତରକୁ ଓ ଘନ ଅନ୍ଧକାର ମଧ୍ୟରେ ଶବ୍ଦ ଶୁଣି ଶବ୍ଦଭେଦୀ ବାଣ ପ୍ରୟୋଗର ଅଭ୍ୟାସ କଲେ । ସେହି ଶବ୍ଦଭେଦୀ ବାଣର ନିର୍ଘୋଷରେ ଦ୍ରୋଣାଚାର୍ଯ୍ୟଙ୍କ ନିଦ ଭାଙ୍ଗିଗଲା । ସେ ସେଠାକୁ ଆସି ଅର୍ଜୁନର ଜିଜ୍ଞାସା ଓ ଅଭ୍ୟାସ ଦ୍ୱାରା ଅଭିଭୂତ ହୋଇ ତାଙ୍କୁ କୁଣ୍ଢାଇ ପକାଇ କହିଲେ “ମୁଁ ତୁମକୁ ଏଭଳି ଶିକ୍ଷା ଦେବି ଯେପରି ଅନ୍ୟ କୌଣସି ଧନୁର୍ଦ୍ଧର ତୁମ ସମକକ୍ଷ ହୋଇପାରିବ ନାହିଁ” । ଦ୍ରୋଣ ଅର୍ଜୁନଙ୍କୁ ସମସ୍ତ ପ୍ରକାର ଧନୁର୍ବିଦ୍ୟା ଶିକ୍ଷା ଦେବା ପରେ ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ ବିଦ୍ୟା ମଧ୍ୟ ଶିକ୍ଷା ଦେଲେ । ଅପରପକ୍ଷରେ, ଦ୍ରୋଣ ତାଙ୍କ ଅନ୍ୟତମ ଶିଷ୍ୟ କର୍ଣ୍ଣଙ୍କୁ ବ୍ରହ୍ମାସ୍ତ୍ର ପ୍ରୟୋଗ ବିଦ୍ୟାରୁ ବଞ୍ଚିତ କରିଥିଲେ । ସେ କହିଥିଲେ, କେବଳ ନିଷ୍ଠାପର ବ୍ରାହ୍ମଣ ଓ ସଂଯମୀ ବ୍ରତଚାରୀ କ୍ଷତ୍ରିୟ ହିଁ ଏହି ବ୍ରହ୍ମାସ୍ତ୍ରର ଅଧିକାରୀ ହୋଇପାରିବ । କର୍ଣ୍ଣ ବ୍ରାହ୍ମଣ ନଥିଲେ କି ଜଣେ ସଂଯମୀ କ୍ଷତ୍ରୀୟ ନଥିଲେ । ଶିକ୍ଷା ଗ୍ରହଣ ସମୟରେ କର୍ଣ୍ଣ ଅନୁଭବ କରିଥିଲେ ଯେ, ଅର୍ଜୁନ ତାଙ୍କଠାରୁ ବେଶି କୌଶଳୀ ଓ ଦକ୍ଷ । ସେଥିପାଇଁ ଅର୍ଜୁନଙ୍କ ପ୍ରତି ତାଙ୍କର ଈର୍ଷାଭାବ ଥିଲା । ଜିଜ୍ଞାସା ଭାବରୁ ନୁହେଁ, ବରଂ ଅର୍ଜୁନ ସହ ସମାନ ଭାବରେ ଲଢ଼ିବାକୁ ସେ ବ୍ରହ୍ମାସ୍ତ୍ର ପ୍ରୟୋଗ ଶିକ୍ଷା କରିବାକୁ ଚାହୁଁଥିଲେ (ଅର୍ଜୁନେନ ସମଂ ଚାହଂ ଯୁଦେ୍ଧ୍ୟୟମିତି ମେ ମତିଃ) । ଦ୍ରୋଣ ଜାଣିଥିଲେ କର୍ଣ୍ଣଙ୍କ ଆକାଂକ୍ଷାରେ ପ୍ରତିହିଂସାର ବହ୍ନି ଜଳୁଥିଲା । (ଦୌରାତ୍ମଞ୍ଚେବ କର୍ଣ୍ଣସ୍ୟ ବିଦିତ୍ୱାତମୁବାଚହ) । ସେ ସଂଯମୀ ନଥିଲେ । ତାଙ୍କ ଦ୍ୱାରା ବ୍ରହ୍ମାସ୍ତ୍ରର ଅପପ୍ରୟୋଗ ହେବାର ଆଶଙ୍କା କରି ଦ୍ରୋଣ କର୍ଣ୍ଣଙ୍କୁ ଏହି ବିଦ୍ୟାଦାନ କରିନଥିଲେ । ଅପରପକ୍ଷରେ, ସେ ଅର୍ଜୁନଙ୍କୁ ଏହି ବ୍ରହ୍ମାସ୍ତ୍ର ପ୍ରୟୋଗ ବିଦ୍ୟା ଶିକ୍ଷା ଦେବାବେଳେ କହିଥିଲେ “ଅର୍ଜୁନ! ତୁମେ ଏ ଅସ୍ତ୍ର କଦାପି ସାଧାରଣ ମନୁଷ୍ୟ ଉପରେ ପ୍ରୟୋଗ କରିବ ନାହିଁ, କାରଣ ଏହା ପ୍ରୟୋଗ କଲେ ସମଗ୍ର ଜଗତ ଧ୍ୱଂସ ହୋଇଯିବ । ଏଣୁ ଯଥେଷ୍ଟ ସଂଯତ ଭାବରେ ଏ ଅସ୍ତ୍ରଧାରଣ କରିବ” ।
ସଂଯମୀ ଅର୍ଜୁନ ବ୍ରହ୍ମାସ୍ତ୍ରର ଅପପ୍ରୟୋଗ କରିବେ ନାହିଁ ବୋଲି ଦ୍ରୋଣ ନିଶ୍ଚିତ ଥିଲେ । ଶିଷ୍ୟର ଚରିତ୍ରରେ ଏହି ସଂଯମର ଅଭାବ ଲକ୍ଷ୍ୟ କରି ଓ ବିଦ୍ୟାର ଅପପ୍ରୟୋଗ ଆଶଙ୍କାରେ ଦ୍ରୋଣ ଯେପରି କର୍ଣ୍ଣଙ୍କୁ ବ୍ରହ୍ମାସ୍ତ୍ର ପ୍ରୟୋଗ ଶିକ୍ଷା ଦେଇନଥିଲେ, ଠିକ୍ ସେହିପରି ଏକଲବ୍ୟର କୁକୁର ଉପରେ ଧନୁର୍ବିଦ୍ୟାର ଅପପ୍ରୟୋଗ ଦେଖି ଆଗାମୀ ଦିନରେ ତାହା ରୋକିବାକୁ ତା’ର ବୃଦ୍ଧାଙ୍ଗୁଳିକୁ ଗୁରୁଦକ୍ଷିଣା ଭାବରେ ମାଗି ନେଇଥିଲେ । ଏହା ଠିକ୍ ଯୁକ୍ତି ହେଲେ ମଧ୍ୟ ଦ୍ରୋଣାଚାର୍ଯ୍ୟଙ୍କ ଏହି କର୍ମ ଗୁରୁ ପରମ୍ପରାରେ ଏକ କଳଙ୍କ । ବରଂ ଦ୍ରୋଣାଚାର୍ଯ୍ୟଙ୍କ ଚରିତ୍ରଚିତ୍ରଣ କଲାବେଳେ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଏକ ଦୃଷ୍ଟିଭଙ୍ଗୀ ଗ୍ରହଣୀୟ ମନେହୁଏ । ଦ୍ରୋଣାଚାର୍ଯ୍ୟ ଯେତେ ଦକ୍ଷ ଶସ୍ତ୍ରବିତ୍ ଓ ପ୍ରଚଣ୍ଡ ଜ୍ଞାନୀ ହେଲେ ମଧ୍ୟ ସେ ଜଣେ ମଣିଷ । ପ୍ରତ୍ୟେକ ମଣିଷ ପ୍ରକୃତି ନିହିତ ଗୁଣଦ୍ୱାରା ପ୍ରଭାବିତ ହୋଇପାରେ । ମହତ୍ ଚରିତ୍ରରେ ମଧ୍ୟ ବିପରୀତଧର୍ମୀ ଗୁଣ ସହାବସ୍ଥାନ କରିପାରେ । ଜଣେ ଏକାଧାରରେ ଉଭୟ ସୁଗୁଣ ଓ ଦୁର୍ଗୁଣର ଅଧିକାରୀ ହୋଇପାରେ ।
କର୍ଣ୍ଣ ଏକପକ୍ଷରେ ଈର୍ଷାଳୁ ଓ ଅହଙ୍କାରୀ, ମାତ୍ର ଅନ୍ୟପକ୍ଷରେ ଜଣେ ମହାନ୍ ଦାନୀ ଓ ସତ୍ୟନିଷ୍ଠ । ଠିକ୍ ସେହିପରି ଏକଲବ୍ୟ କ୍ଷେତ୍ରରେ ମଧ୍ୟ ପରସ୍ପର ବିରୋଧୀ ଗୁଣର ସହାବସ୍ଥାନ ଥିଲା । ଯେଉଁ ଏକଲବ୍ୟ ଏଡ଼େ ଦାୟିତ୍ୱହୀନ ଓ ଅବିବେକୀ ଯେ, ଗୋଟାଏ ଅସହାୟ କୁକୁର ଉପରେ କ୍ରୋଧାନ୍ୱିତ ହୋଇ ସେ ବିଚରାର ମୁହଁକୁ ଅତୀବ ଜଟିଳ ତୀର ସନ୍ଧାନ ଦ୍ୱାରା ସିଲେଇ କରିଦେଲା, ସେ ଏକଲବ୍ୟ ପୁଣି ଏତେ ମହତ୍ ଯେ ଗୁରୁଙ୍କ ନିର୍ଦ୍ଦେଶରେ ଦ୍ୱିଧାହୀନ ଭାବେ ନିଜ ବୃଦ୍ଧାଙ୍ଗୁଳି ତ୍ୟାଗ କଲା । ଦ୍ରୋଣାଚାର୍ଯ୍ୟଙ୍କ ଚରିତ୍ରର ଆକଳନ ମଧ୍ୟ ସେହିଭଳି ଭାବରେ କରାଯାଇପାରେ । ସେ ଜଣେ ବିଦ୍ୱାନ୍ ଓ ଆଦର୍ଶ ଶିକ୍ଷକ, ମାତ୍ର ସେ ମଧ୍ୟ ପ୍ରକୃତି ନିହିତ ତରଙ୍ଗରେ ପ୍ରଭାବିତ ହେଉଥିବା ଜଣେ ସାଧାରଣ ମଣିଷ । ସେ ମଧ୍ୟ ଉଭୟ ସୁଗୁଣ ଓ ଦୁର୍ଗୁଣର ଏକ ସମନ୍ୱୟ । ଆମକୁ ସ୍ୱୀକାର କରିବାକୁ ହେବ ଯେ, ସର୍ବଶ୍ରେଷ୍ଠତା ବା ଦୋଷଶୂନ୍ୟତା ସର୍ବଦା ଅପହଞ୍ଚ ଅଟେ ।