ଜ୍ଞାନବାପୀ ମସଜିଦ ବିବାଦ ମାମଲାରେ ଶୁଣାଣି ଶେଷ, ମଙ୍ଗଳବାର ପ୍ରକାଶ ପାଇବ ରାୟ

ନୂଆଦିଲ୍ଲୀ ୨୩/ ୦୫ : ଜ୍ଞାନବାପୀ ମସଜିଦ ବିବାଦ ମାମଲାକୁ ନେଇ ବାରାଣସୀ ଜିଲ୍ଲା କୋର୍ଟରେ ଶୁଣାଣି ଶେଷ ହୋଇଛି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟରେ ଉଭୟ ପକ୍ଷ ଓକିଲ ବିଚାରପତିଙ୍କ ଆଗରେ ମତ ରଖିଛନ୍ତି । ତେବେ କୋର୍ଟ ମାମଲାର ଶୁଣାଣି କରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଅପରାହ୍ନ ୨ଟାରେ ମାମଲାର ରାୟ ପ୍ରକାଶ କରିବେ କୋର୍ଟ । ଆଗାମୀ ଦିନରେ କେଉଁଭଳି ଶୁଣାଣି ହେବ ଏବଂ ମାମଲାର ରୂପରେଖ କଣ ହେବ ତାହା ଆସନ୍ତାକାଲି କୋର୍ଟ ପ୍ରକାଶ କରିବେ ।
ସୋମବାର ଜ୍ଞାନବାପୀ ମସଜିଦ ବିବାଦ ମାମଲାର ଶୁଣାଣି ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା । ଶୁଣାଣି ସମୟରେ ୪ ଜଣ ଆବେଦନକାରୀ ଏବଂ ୧୯ ଜଣ ଓକିଲ ଉପସ୍ଥିତ ଥିଲେ । ଗତ ଏପ୍ରିଲ ୨୬ ତାରିଖ ପରଠାରୁ ବର୍ତ୍ତମାନ ସୁଦ୍ଧା ୬ ଥର ମାମଲାର ଶୁଣାଣି ହୋଇସାରିଲାଣି । ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାର ଶୁଣାଣି ପାଇଁ ଆବେଦନ ହେବାପରେ କୋର୍ଟ ଏହି ମାମଲା ବାରାଣସୀ କୋର୍ଟକୁ ସ୍ଥାନାନ୍ତର କରିଥିଲେ । ୮ ସପ୍ତାହ ମଧ୍ୟରେ ବିଚାର ଶେଷ କରିବା ପାଇଁ ବାରାଣସୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ ।