ବିଶ୍ବର ୫୦ କୋଟି ହ୍ବାଟସଆପ୍ ଆକାଉଣ୍ଟ ଡାଟା ହ୍ୟାକ୍, ଭାରତୀୟ ୟୁଜର ବି ହ୍ୟାକର୍ଙ୍କ କବ୍ଜାରେ!

ନୂଆଦିଲ୍ଲୀ ୨୬/ ୧୧: ବିଶ୍ବକୁ ଘାରିଛି ସାଇବର ହ୍ୟାକରଙ୍କ ଚିନ୍ତା । ଅନେକ ସମୟରେ ବଡ ବଡ କମ୍ପାନୀଗୁଡିକର ଡାଟା ହ୍ୟାକ୍ ହେବାର ଖବର ଆସିଥାଏ । ସାଧାରଣ ଲୋକ ବି ତ୍ରାହି ପାଉନାହାନ୍ତି । ଏବେ ହ୍ବାଟସଆପ୍ର ୫୦ କୋଟି ମୋବାଇଲ ନମ୍ବର ସାଇବର ଠକଙ୍କ କବ୍ଜାରେ ଥିବା କୁହାଯାଉଛି ।
ବିଶ୍ବର ପ୍ରାୟ ୮୪ଟି ଦେଶର ହ୍ବାଟସଆପ୍ ବ୍ୟବହାରକାରୀଙ୍କ ଡାଟା ହ୍ୟାକର୍ ମାନଙ୍କ କବ୍ଜାରେ ରହିଛି । ସେଗୁଡିକୁ ବିକ୍ରି କରିବା ପାଇଁ ହ୍ୟାକର୍ ମାନେ ଡାଟା ସିଟ୍ ବନାଇଛନ୍ତି ଏବଂ ମୋଟା ଅଙ୍କର ଟଙ୍କାରେ ବିକ୍ରି କରିବାକୁ ଚାହୁଁଥିବା ସୋସିଆଲ ମିଡିଆରେ ଜଣାଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରାୟ ୬୧.୬୨ ଲକ୍ଷ ଭାରତୀୟଙ୍କ ହ୍ବାଟସଆପ୍ ଆକାଉଣ୍ଟକୁ କବ୍ଜା କରିନେଇଛନ୍ତି ହ୍ୟାକର୍ । ଏ ନେଇ ସାଇବର ନ୍ୟୁଜ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ମୁତାବକ, ଆମେରିକାର ଗୋଟିଏ ଡାଟା ସିଟ୍ ଯେଉଁଥିରେ କି ୩.୨ କୋଟି ୟୁଜରଙ୍କ ଡାଟା ରହିଛି ତାହାକୁ ୭ ହଜାର ଡଲାରରେ ବିକ୍ରି କରିବାକୁ ଘୋଷଣା କରିଛନ୍ତି ହ୍ୟାକର୍ । ସେହିଭଳି ୟୁକେର ଗୋଟିଏ ଡାଟାସିଟ୍ ଯେଉଁଥିରେ କି ୧.୧ କୋଟି ୟୁଜରଙ୍କ ଡାଟା ରହିଛି ତାହାକୁ ୨୫ଶହ ଡଲାରରେ ବିକ୍ରି କରିବାକୁ ଅଫର୍ ଦିଆଯାଇଛି ।
ସାଇବର ନ୍ୟୁଜ୍ ରିପୋର୍ଟ ମୁତାବକ, ହ୍ୟାକ୍ ହୋଇଥିବା ହ୍ବାଟସଆପ୍ ମୋବାଇଲ ନମ୍ବର ମଧ୍ୟରେ ଅଧିକାଂଶ ଆମେରିକାରେ ଆକ୍ଟିଭ୍ ୟୁଜରଙ୍କର । ୮୪ ଦେଶର ମୋବାଇଲ ନମ୍ବର ହ୍ୟାକ୍ ହୋଇଥିବା ବେଳେ କେବଳ ଆମେରିକାରୁ ୩୨ ମିଲିୟନ ଆକାଉଣ୍ଟ ରହିଛି । ସେହିଭଳି ବ୍ରିଟେନର ୧୧ ମିଲିୟନ, ଋଷର ୧୦ ମିଲିୟନ, ଇଟାଲୀର ୩୫ ମିଲିୟନ, ସେଉଦୀରୁ ୨୯ ମିଲିୟନ, ଭାରତର ୬ ମିଲିୟନ (୬୦ ଲକ୍ଷ) ଆକାଉଣ୍ଟ ହ୍ୟାକରଙ୍କ କବ୍ଜାରେ ଥିବା କୁହାଯାଇଛି । ଏ ନେଇ ନିଜେ ହ୍ୟାକର ସୋସିଆଲ ମିଡିଆରେ ପୋଷ୍ଟ କରିଛି ।
କିଭଳି ରହିବେ ସୁରକ୍ଷିତ?
ଅଜଣା ନମ୍ବରରୁ ଯଦି କୌଣସି ମେସେଜ୍ ଆସୁଛି ତେବେ ତାହାକୁ ଆଦୌ ରିପ୍ଲେ ଦିଅନ୍ତୁ ନାହିଁ । ଯଦି କୌଣସି ନମ୍ବରରୁ ଆପଣଙ୍କୁ କେହି ତଥ୍ୟ ମାଗୁଛି ସେଥିରୁ ଯଥା ସମ୍ଭବ ଦୂରେଇ ରୁହନ୍ତି । କିଛି ବି ତଥ୍ୟ ପ୍ରଦାନ କରନ୍ତୁ ନାହିଁ। ତୁରନ୍ତ ଅଜଣା ନମ୍ବରକୁ ଡିଲିଟ୍ ନଚେତ୍ ବ୍ଲକ୍ କରନ୍ତୁ। ପ୍ରାଇଭେସୀ ସେଟିଂକୁ ଯାଇ ପ୍ରୋଫାଇଲ୍ ଫଟୋ ଏବଂ ବାୟୋ ନିଜ ଚିହ୍ନା ନମ୍ବର ମଧ୍ୟରେ ଦେଖାଯିବା ଭଳି ସୀମିତ ରଖନ୍ତୁ ।