ରାୟଗଡ଼ା ୨୫/୦୫ : ବହୁ ଚର୍ଚ୍ଚିତ ହାଡ୍‌ପା ନିଖିଲ ହତ୍ୟାକାଣ୍ଡ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ରାୟଗଡ଼ା ପୁଲିସ। ଅଭିଯୁକ୍ତମାନଙ୍କୁ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ପୁଲିସର ସ୍ୱତନ୍ତ୍ର ଟିମ୍‌ ଗିରଫ କରିଛି । ଗିରଫ  ଅଭିଯୁକ୍ତମାନେ ହେଲେ ଦେବାଶିଷ ବିଭୋର, ପବନ କଲରା, ସାଗର କଲରା, ଅଜୟ ଦେବରପଲ୍ଲୀ ।ଏନେଇ ରାୟଗଡ଼ା ଏସ୍‌ପି  ସ୍ୱାଥି ଏସ.କୁମାର ସୂଚନା ଦେଇଛନ୍ତ।  ନିଖିଲ ମର୍ଡର ଘଟଣାରେ ଗିରଫଦାରୀ ସଂଖ୍ୟା  ୧୬କୁ ବୃଦ୍ଧି ପାଇଛି। 

ଗତ ୯ ତାରିଖ ରାତିରେ ରାୟଗଡ଼ା ଇନ୍ଦ୍ରା ନଗର ତୃତୀୟ ଲାଇନ୍‌ରେ ରାତି ୧୦ଟାରେ ୩ ରାଉଣ୍ଡ ଗୁଳି ଫୁଟିଥିଲା । ପାଞ୍ଚରୁ ସାତ ଜଣ ଯୁବକ ବାଇକ ଓ କାରରେ ଗୋଡ଼ାଇ ନିଖିଲଙ୍କୁ ଧରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ନିଖିଲ ସେଠାରୁ ଦୌଡ଼ି ପଲାଇବାକୁ ଚେଷ୍ଟା କରିବା ସମୟରେ ନିଖିଲ ଉପରକୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ନିଖିଲ ଜଣଙ୍କ ଘରକୁ ପଶିବା ସମୟରେ ଦୃବୃର୍ତ୍ତ ତାଙ୍କୁ ସେଠାରୁ ଅପରହଣ କରି ନେଇଥିଲେ । ୧୦ ତାରିଖରେ ନାଗାବଳୀ ନଦୀ ପଠାରୁ ନିଖିଲର ମୃତଦେହ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତା ରୋକ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହାପରେ ରାୟଗଡ଼ା ସହରରେ ଏକପ୍ରକାର ଅଶାନ୍ତ ଲାଗିରହିଛି । ନିଖିଲ ହତ୍ୟାକାଣ୍ଡରେ ଜଡ଼ିତ ଥିବା ୧୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏଥିରେ ଜଡ଼ିତ ଅନ୍ୟ ଅପରାଧୀଙ୍କୁ ଖୋଜାଚାଲିଛି ।

୯ ଅଭିଯୁକ୍ତଙ୍କୁ ୩ ଜେଲ୍‌କୁ ସ୍ଥାନାନ୍ତର

ନିଖିଲ ହତ୍ୟା ମାମଲାରେ ପୂର୍ବରୁ ଗିରଫ ହୋଇ ରାୟଗଡ଼ା ସବ୍‌ଜେଲ୍‌ରେ ଥିବା ୯  ଅଭିଯୁକ୍ତଙ୍କୁ  ସୁରକ୍ଷା ଦୃଷ୍ଟିରୁ ଅନ୍ୟ ୩ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିବା ରାୟଗଡ଼ା ସବ୍‌ଜେଲ୍‌ ଅଧୀକ୍ଷକ କିଶୋର କୁମାର ସିଂ ସୂଚନା ଦେଇଛନ୍ତି । ଗତ ଗୁରୁବାର ଅପରାହ୍ଣ  ପ୍ରାୟ ୪ଟା ବେଳେ ନିଖିଲଙ୍କ କେତେକ ବନ୍ଧୁ ଜୋରଜବରଦସ୍ତ ଜେଲ୍‌ ଭିତରକୁ ପଶି ଅଭିଯୁକ୍ତଙ୍କୁ ମାରିଦେବାକୁ ଧମକ ଦେଇଥିବା ଜେଲ୍‌ ଅଧୀକ୍ଷକ କହିଛନ୍ତି । ଏହାପରେ ଜେଲ୍‌  କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର ନିମନ୍ତେ ରାୟଗଡ଼ା ଏସ୍‌ଡିଜେଏମ୍‌ଙ୍କ ନିକଟରେ ଆବେଦନ  କରିଥିଲେ । ଜେଲ୍‌ ଡିଆଇଜି ଶୁଭକାନ୍ତ ମିଶ୍ରଙ୍କ ଅନୁମତି ପୂର୍ବକ ୯ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର  କରାଯାଇଛି । ୯ ଅଭିଯୁକ୍ତଙ୍କ ମଧ୍ୟରୁ ଉମେଶ ଚନ୍ଦ୍ର ହିଆଲ, ଅକ୍ଷୟ ସାମଲ ଓ ଏସ୍‌.ପ୍ରେମ  କୁମାରଙ୍କୁ ବ୍ରହ୍ମପୁର ସର୍କଲ ଜେଲ୍‌, ଭି. ଲୋକେଶ କୁମାର, ସୁମିତ ଜୈନ ଓ ବି.ପବନ  କୁମାରଙ୍କୁ କୋରାପୁଟ ଜେଲ୍‌, ୱିଲସନ ସେମିଲି, ୱାଇ. ଶ୍ୟାମସୁନ୍ଦର ଓ ରାଜା ହୁଇକାଙ୍କୁ  ଫୁଲବାଣୀ ଜେଲ୍‌କୁ ପଠାଯାଇଛି । ଏ ସଂପର୍କରେ ଜେଲ୍‌ ଅଧୀକ୍ଷକ କିଶୋର କୁମାର ସିଂ  ରାୟଗଡ଼ା ଥାନାରେ ଜଣାଇଛନ୍ତି । ଅଦ୍ୟାବଧି ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନି ।