ବ୍ୟାନ୍ ହେଲା ଜମାତ୍-ଉଦ୍-ଦାବା, କୋର୍ଟରେ ଚ୍ୟାଲେଞ୍ଜ କରିବ ହାଫିଜ୍

ନୂଆଦିଲ୍ଲୀ,୨୨।୨:ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଯେଉଁଥିରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଯାଇଥିଲେ। ଭାରତ ସହିତ ବିଶ୍ବର ବହୁ ଦେଶ ଏହି ଆକ୍ରମଣ ଘଟଣାକୁ କଡା ଶବ୍ଦରେ ନିନ୍ଦା କରିଥିଲେ। ଏହା ମଧ୍ୟରେ ହାଫିଜ୍ ସଇଦର ସଂଗଠନ ଉପରେ ପାକିସ୍ତାନ ସରକାର ବ୍ୟାନ ଲଗାଇଦେଇଛି। ଏବେ ଆତଙ୍କବାଦୀ ହାଫିଜ ସଇଦ ଘୋଷଣା କରିଛି ସେ ଏହି ନିଷ୍ପତ୍ତି ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରିବ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଅଧ୍ୟକ୍ଷତାରେ ଗତ ଗୁରୁବାର ହୋଇଥିବା ରାଷ୍ଟ୍ରୀୟ ସୁରକ୍ଷା ସମିତିର ବୈଠକରେ ଜମାତ-ଉଦ୍-ଦାବା ଓ ଫଲାହ-ଏ-ଇନସାନିୟତ ଫାଉଣ୍ଡେସନ ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଯିବାର ନିର୍ଦେଶ ଦିଆଯାଇଥିଲା। ହାଫିଜ ନିଜର ଏହି ସଂଗଠନ ଜରିଆରେ ୩୦୦ରୁ ଧାର୍ମିକ ଶିକ୍ଷା ସଂସ୍ଥା, ସ୍କୁଲ, ହସ୍ପିଟାଲ, ପବ୍ଳିସିଂ ହାଉସ ଓ ଆମ୍ବୁଲାନ୍ସ ଚଳାଉଛି। ଏହି ସଂଗଠନକୁ ପୂର୍ବରୁ ମଧ୍ୟ ପାକିସ୍ତାନରେ ବହୁବାର ବ୍ୟାନ୍ କରାଯାଇ ସାରିଛି। ପାକିସ୍ତାନ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହାଫିଜ୍ କୋର୍ଟ ଯିବ ବୋଲି କହିଛି। ସେ ତା’ର ସଂଗଠନର ଲୋକଙ୍କୁ ଧର୍ଯ୍ୟ ରଖିବା ପାଇଁ ଅପିଲ କରିଛି ଓ କହିଛି ସଂଗଠନ ଉପରେ ଲଗାଯାଇଥିବା ନିଷେଧାଦେଶକୁ ଘରୋଇ ସ୍ତରରୁ ନେଇ ଅନ୍ତଃର୍ଜାତୀୟ ସ୍ତର ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରିବ।