କୋକସରା,୧୭।୩ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଲଡୁଗାଁ,ବରାଡୋଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ କୁଆ ପଥର ବର୍ଷା ହୋଇଛି। ରାସ୍ତାରେ ୪/୫ ଇଞ୍ଚର କୁଆପଥର ଆସ୍ତରଣ ଦେଖିବାକୁ ମିଳିଥିଲା। ବରାଡୋଙ୍ଗା ପଞ୍ଚାୟତ ଶିଉନି ଗାଁରେ ରାସ୍ତାରେ କୁଆପଥରର ଆସ୍ତରଣରେ ଧଳାଚାଦର ସଦୃଶ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା।

କିଛି ସମୟ ଧରି ପବନ ସହ କୁଆ ପଥର ବର୍ଷା ରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଜାତୀୟ ରାଜପଥ ରେ କୁଆ ପଥର ବର୍ଷା ଯୋଗୁଁ ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ଡାଲି ଜାତୀୟ ଫସଲ ମୁଗ, ବିରି,ସୂର୍ଯ୍ୟମୁଖୀ ଫସଲ ଓ ଚାଷୀଙ୍କ ପନିପରିବା ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। କୋକସରା ବ୍ଲକ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସହ ପ୍ରବଳ କୁଆ ପଥର ମାଡ଼ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ଏଭଳି କୁଆ ପଥର ବର୍ଷା ବିଗତ ୨୦ ବର୍ଷ ମଧ୍ୟରେ ହୋଇ ନଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।