କାମ କରୁନାହାନ୍ତି ଅଧା ଭାରତୀୟ

ନୂଆଦିଲ୍ଲୀ,୪ା୨(ଏଜେନ୍ସି): କାର୍ଯ୍ୟ କରିବାକୁ ଯୋଗ୍ୟ (୧୫ ବର୍ଷରୁ ୬୪ ବର୍ଷ ବୟସ ବର୍ଗ) ଅଧା ଭାରତୀୟଙ୍କର ଦେଶର ଅର୍ଥନୈତିକ କାର୍ଯ୍ୟକଳାପରେ କୌଣସି ଅବଦାନ ନାହିଁ । ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍ଏସ୍ଏସ୍ଓ)ର ବିବାଦୀୟ ବେକାରୀ ରିପୋର୍ଟରେ ଏହା ଦର୍ଶାଯାଇଛି ।
ଏନ୍ଏସ୍ଏସ୍ଓର ଏହି ସର୍ଭେ ରିପୋର୍ଟକୁ କେନ୍ଦ୍ର ସରକାର ସ୍ଥଗିତ ରଖିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ପରିସଂଖ୍ୟାନ ଆୟୋଗର ୨ ଜଣ ବରିଷ୍ଠ ଅଧିକାରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।
ଏହି ସର୍ଭେ ରିପୋର୍ଟ ଦର୍ଶାଇଛି, ୨୦୧୭-୧୮ରେ କାର୍ଯ୍ୟରତ ବା କାମ ଖୋଜୁଥିବା ଲୋକଙ୍କ ହାର ନିର୍ଦ୍ଧାରଣ କରୁଥିବା “ଶ୍ରମବଳ ଯୋଗଦାନ ହାର (ଏଲ୍ଏଫ୍ପିଆର୍)’ ୪୯.୮% ରହିଛି । ଅର୍ଥାତ୍ ଦେଶର ୫୧.୨% ଲୋକ କୌଣସି କାମ କରୁନାହାନ୍ତି । ୨୦୧୧-୧୨ରେ ଏଲ୍ଏଫ୍ପିଆର୍ ୫୫.୯% ଓ ୨୦୦୪-୦୫ରେ ୬୩.୭% ରହିଥିଲା ।
ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ ରିଲେସନ୍ସର ରାଧିକା କପୁର କହିଛନ୍ତି, ଏବେ ଦେଶର ୬୫% ଜନସାଧାରଣ କାମ କରିବାକୁ ଯୋଗ୍ୟ । ସେମାନଙ୍କ ବୟସ ୧୫ରୁ ୬୪ ବର୍ଷ ମଧ୍ୟରେ । ଏଭଳି ସମୟରେ ସରକାର ଏ ଶ୍ରମବଳକୁ ବ୍ୟବହାର ନ କରିପାରିବା ଘୋର ଚିନ୍ତାର ବିଷୟ ବୋଲି କପୁର କହିଛନ୍ତି ।
ସର୍ଭେ ରିପୋର୍ଟ କହୁଛି, ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ସକ୍ରିୟ ଶ୍ରମବଳରେ ମହିଳାଙ୍କ ଏଲ୍ଏଫ୍ପିଆର୍ ହାର ୨ ଗୁଣା କମିଛି । ଏ ଅବଧିରେ ମହିଳାଙ୍କ ଏଲ୍ଏଫ୍ପିଆର୍ ୮% ଖସି ୨୩.୩% ହୋଇଛି ।
କିନ୍ତୁ ଅପରପକ୍ଷରେ ପୁରୁଷଙ୍କ ଏଲ୍ଏଫ୍ପିଆର୍ ୪% ଖସି ୭୫.୮% ହୋଇଛି । ଏହା ଦର୍ଶାଉଛି ଯେ ୨୦୧୭-୧୮ରେ ଭାରତରେ କେବଳ ୨୫% ମହିଳା ସକ୍ରିୟ ଭାବେ କାର୍ଯ୍ୟରତ ଅଛନ୍ତି କିମ୍ବା କାମ ଖୋଜୁଛନ୍ତି ।
ସେହିଭଳି ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଶ୍ରମବଳ ଯୋଗଦାନ ହାରରେ ତୀକ୍ଷ୍ଣ ହ୍ରାସ ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳ ଏଲ୍ଏଫ୍ପିଆର୍ ୨୦୧୧-୧୨ର ୬୭.୭%ରୁ ହ୍ରାସ ଘଟି ୨୦୧୭-୧୮ରେ ୫୮.୭% ହୋଇଛି । ସହରାଞ୍ଚଳରେ ଏହା ୪୯.୩%ରୁ ଖସି ୪୭.୬% ହୋଇଛି ।
ବାଙ୍ଗାଲୋରଭିତ୍ତିକ ଅଜିମ୍ ପ୍ରେମ୍ଜୀ ୟୁନିଭର୍ସିଟିର ସେଣ୍ଟର ଫର୍ ସଷ୍ଟେନବଲ୍ ଏମ୍ପ୍ଲୟମେଣ୍ଟର ମୁଖ୍ୟ ଅମିତ ବାସୋଲ୍ କହିଛନ୍ତି, ଶ୍ରମବଳର ଆକାର ହ୍ରାସରେ ଶିକ୍ଷା ଏକ ବୃହତ ଭୂମିକା ତୁଲାଇଥାଏ । କିନ୍ତୁ କେସ୍ ଷ୍ଟଡି ଓ ଫିଲ୍ଡ ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶରେ ଉପଯୁକ୍ତ କାର୍ଯ୍ୟ (ମୁଖ୍ୟତଃ ମହିଳାଙ୍କ ପାଇଁ) ଉପଲବ୍ଧ ନାହିଁ । ଏହି କାରଣରୁ ମହିଳା ଶ୍ରମବଳ ଯୋଗଦାନ ହାର ବହୁମାତ୍ରାରେ ଖସିଛି ।