ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଖୋଲୁଛି ଭାନୁମତୀ ପେଡ଼ି: ଜମି ହାତେଇବାକୁ ବିଲ୍ଡର ସହ ୩୦ ଲକ୍ଷର ଡିଲ୍ କରିଥିଲେ ହଂସିକା, ରାତି ଅଧରେ ଭାଙ୍ଗିଥିଲେ ଘର

Published By : Prameya | January 14, 2025 11:43 AM

ଭୁବନେଶ୍ୱର,୧୪/୦୧: ଠକେଇ  ଅଭିଯୋଗରେ ବିଷ୍ଣୁପ୍ରିୟା ଚାନ୍ଦ ଓରଫ ହଂସିକା ଓ ତାଙ୍କ ପାର୍ଟନର ଅନିଲ୍‌ ମହାନ୍ତିଙ୍କ ବିଷୟରେ ପୁଲିସ୍‌ ଯେତେ ଖୋଳିଲେ ସେତେ ବାହାରୁଛି । ଏବେ ପୁଲିସ୍‌ ଜାଣିବାକୁ ପାଇଛି ବଡ଼ଗଡ଼ ଥାନାରେ ହଂସିକାଙ୍କ ନାଁରେ ୨ଟି  ମାମଲା ରହିଛି । ୨୦୧୬ ମସିହାରେ ଘର  ଭାଙ୍ଗିବା ଓ ୨୦୧୮ର ଏକ ଠକେଇ ମାମଲା  ରହିଛି । ଏହି ଦୁଇଟି ମାମଲାକୁ ନେଇ ଏବେ  ଅଧିକ ଚର୍ଚ୍ଚା ଲାଗି ରହିଛି ।  

ବଡ଼ଗଡ଼ ଥାନା ବ୍ରହ୍ମେଶ୍ୱରପାଟଣା ଭୋଇସାହିରେ ଏକ ଦଳିତ ପରିବାର ଦୀର୍ଘ ବର୍ଷ ହେବ ରହୁଥିଲେ । ଉକ୍ତ ଜମିକୁ ବିଲ୍ଡର ହାତେଇବାକୁ ଯୋଜନା କରି ସଫଳ ହୋଇଥିଲେ । ହେଲେ ଉକ୍ତ ବ୍ୟକ୍ତିଙ୍କୁ ଥଇଥାନ ନ କରି ଜମି ହଡ଼ପ  କରିବାକୁ ଅନେକ ଥର ଯୋଜନା କରି ଫେଲ୍‌ ମାରିଥିଲେ । ବିଲ୍ଡର ଜଣଙ୍କ ଶେଷରେ ହଂସିକାଙ୍କ ସାହାଯ୍ୟ ଲୋଡ଼ିଥିଲେ । ଦଳିତ ବ୍ୟକ୍ତିଙ୍କୁ ସେ ଜାଗାରୁ ଉଠାଇବାକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ ହଂସିକା । ତେବେ କଥା ୩୦ ଲକ୍ଷ ଟଙ୍କାରେ ଛିଡ଼ିଥିଲା । ସବୁ ଟଙ୍କା ନଗଦ ଆକାରରେ ନେଇଥିଲେ ହଂସିକା ।  

୨୦୧୬ ଏପ୍ରିଲ୍‌ରେ ୫୦ରୁ ଅଧିକ ଲୋକଙ୍କୁ ଯୋଗାଡ଼ କରିଥିଲେ ହଂସିକା । ରାତି ୨ଟା ବେଳେ ବିଲ୍ଡର ଦେଇଥିବା ଠିକଣା ଭୋଇସାହିରେ ପହଞ୍ଚିଥିଲେ ସମସ୍ତେ । ଜେସିବି ନେଇ ରାତି ଅଧରେ ଦଳିତ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇଥିଲେ । ସେହି ସମୟରେ ପରିବାରର ସମସ୍ତ ସଦସ୍ୟ ସେହି ଘରେ ଶୋଇଥିଲେ । ଘର ଭାଙ୍ଗିବାକୁ ଯାଇଥିବା ଲୋକମାନଙ୍କୁ ଦଳିତ ପରିବାର ଯେତେ  ନେହୁରା ହୋଇଥିଲେ ବି କେହି କିଛି ଶୁଣି  ନଥିଲେ । ଯେଉଁଠାରେ ଘର ଭଙ୍ଗା ହେଉଥିଲା ସେଠାରୁ କିଛି ଦୂରରେ ଏକ କାର୍‌ରେ ବସିଥିଲେ ହଂସିକା। ସେତେବେଳେ ଅନିଲ୍‌ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ।  

ଦଳିତ ପରିବାର ଲୋକ ହଂସିକାଙ୍କୁ ଆସି ମଧ୍ୟ ନେହୁରା ହୋଇଥିଲେ, ହେଲେ ସେ କିଛି ଶୁଣି ନଥିଲେ । ପରେ ବ୍ୟକ୍ତି ଜଣଙ୍କ  ପୁଲିସ୍‌କୁ ଯୋଗାଯୋଗ କରିଥିଲେ । ପୁଲିସ୍‌  ପହଞ୍ଚିଲା ବେଳକୁ ଅଭିଯୁକ୍ତମାନେ ଦଳିତ ପରିବାରର ଘର ଭାଙ୍ଗି ମାଟିରେ ମିଶାଇ  ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଦଳିତ ପରିବାର କିଛି ଉପାୟ ନ ପାଇ ଶେଷରେ ଦଳିତ ମହାସଂଘର ସାହାଯ୍ୟ ଲୋଡ଼ିଥିଲେ । ସଂଘର ସଦସ୍ୟମାନେ ରାତି  ୪ଟା ବେଳେ ଭୋଇସାହିରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ କରିଥିଲେ । ସକାଳ ହେଲା ପରେ ପରିବାର ଲୋକ ବଡ଼ଗଡ଼  ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌  ମାମଲା ରୁଜୁ କରିଥିଲା । ହେଲେ କିଛି  କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ସଂଘ ଆନ୍ଦୋଳନ କରିବା ପରେ ପୁଲିସ୍‌ ୬  ଜଣଙ୍କୁ ଗିରଫ କରିବା ସହ ଜେସିବି  ଜବତ କରିଥିଲା । ଭାଙ୍ଗି ଯାଇଥିବା ଘରକୁ ମରାମତି କରି ଦଳିତ ପରିବାର ସେଠାରେ  ରହିଥିଲେ । ହେଲେ ଖସି ଯାଇଥିଲେ ହଂସିକା ଓ ସୁପାରି ଦେଇଥିବା ବିଲ୍ଡର । ପରେ କ’ଣ  ହେଲା କେଜାଣି ବଡ଼ଗଡ଼ ଥାନା ପୁଲିସ୍‌ ଚାର୍ଜସିଟ୍‌ ଦେବା ସମୟରେ ହଂସିକାଙ୍କ ନାଁ  କାଟି ଦେଇଥିଲା । କାହା ଚାପରେ ପୁଲିସ୍‌  ଏମିତି କରିଥିଲା ତାହା ଏବେ ବି ରହସ୍ୟ  ଘେରରେ ଅଛି । 

୨୦୧୮ ମସିହାରେ ମଧ୍ୟ ବଡ଼ଗଡ଼ ଥାନାରେ ହଂସିକାଙ୍କ ନାଁରେ ଏକ ମାମଲା ରୁଜୁ  ହୋଇଥିଲା । ବଡ଼ଗଡ଼ ଅଞ୍ଚଳରେ ରହୁଥିବା  ଜଣେ ଖଣି ବ୍ୟବସାୟୀଙ୍କୁ ଟେଣ୍ଡର କରାଇ  ଦେବାକୁ କହି ୩୫ ଲକ୍ଷ ଟଙ୍କା ନେଇଥିଲେ ।  ହେଲେ କରାଇ ପାରି ନଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।  ଏନେଇ ହଂସିକା ହାଇକୋର୍ଟରୁ ଆଗୁଆ  ଜାମିନ୍‌ ପାଇଥିଲେ । କେବଳ ଏହି ୨ଟି  ଘଟଣା ନୁହେଁ ଆଉ କିଛି ଠକେଇ ଅଭିଯୋଗ  ତାଙ୍କ ନାଁରେ ଥିବା ପୁଲିସ୍‌ ଜାଣିବାକୁ ପାଇଛି ।  

ଅନ୍ୟପକ୍ଷରେ ହଂସିକା ଓ ଅନୀଲ  ଗିରଫ ଘଟଣାରେ ଏବେ ସୁଦ୍ଧା ବି  କେସ ଡାଏରି (ସିଡି) ଦାଖଲ ହୋଇ  ପାରିନି । ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ କେସ  ଡାଏରି ଦେବାରେ ବିଳମ୍ୱ ପାଇଁ ଉଭୟଙ୍କ  ଜାମିନ ଆବେଦନ ଶୁଣାଣି ହୋଇପାରି  ନାହିଁ । ଆସନ୍ତା ୧୬ ତାରିଖରେ ଶୁଣାଣି ହେବ ବୋଲି ଜଣାପଡ଼ିଛି । ତେବେ  ଧାର୍ଯ୍ୟ ସମୟରେ କାହିଁକି ସିଡି ଦାଖଲ  ହୋଇପାରିଲାନାହିଁ, ତାହା ଏବେ ସୃଷ୍ଟି କରିଛି  ବଡ଼ ପ୍ରଶ୍ନ । ତା’ଛଡ଼ା ଏହି ଘଟଣାରେ ୧୧  ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସମନ କରିଛି  ଆୟକର ବିଭାଗ । ଘଟଣାର ଅଧିକ ତଦନ୍ତ  ପାଇଁ ଦୁଇ ଜଣଙ୍କୁ ପୁଣି ରିମାଣ୍ଡରେ ନେବାକୁ  ଆବେଦନ କରିଛି କମିଶନରେଟ୍‌ ପୁଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.