ପ୍ରୀତିର ରଙ୍ଗ ନେଇ ଫେରିଛି ଫଗୁଣ, ଶ୍ୟାମ ସଙ୍ଗେ ବୁଲି ରାଧା ରାଇ ଖେଳୁଛି ଅବିର…

ଭୁବନେଶ୍ଵର, ୦୮/୦୩ : ଏଇ ରଙ୍ଗରେ ଦିନେ ରଙ୍ଗୀନ ହୋଇଥିଲା ଗୋପପୁର। ଆଉ ଭାଙ୍ଗିଥିଲା ମନ ମାନିନୀ ରାଧାର। ଆଜି ସେଇ ପ୍ରୀତିର ରଙ୍ଗ ନେଇ ଫେରିଛି ଫଗୁଣ। ଶ୍ୟାମ ସଙ୍ଗେ ବୁଲି ରାଧା ରାଇ ଖେଳୁଛି ଅବିର। ରଙ୍ଗ, ପ୍ରେମ, ଭାଇଚାରାର ପର୍ବ ହୋଲି। ହୋଲି ପାଇଁ ସବୁଠି ଉତ୍ସବ ମୁଖର ଗାଁଠୁ ସହର। ହୋଲିର ରଙ୍ଗରେ ପିଲାଠୁ ବୟସ୍କ ସମସ୍ତେ ମସଗୁଲ୍ । ରଙ୍ଗର ପର୍ବ ହୋଲିରେ ରଙ୍ଗିନ ହୋଇଛି ପରିବେଶ । ମତୁଆଲା ହୋଇଯାଇଛନ୍ତି ସମସ୍ତେ । ପରସ୍ପରକୁ ରଙ୍ଗ ଲଗାଇ, ଭାଇଚାରା, ସଂପର୍କ ଆଉ ବନ୍ଧୁତ୍ବର ଡୋରିକୁ ଆହୁରି ମଜଭୁତ କରୁଛନ୍ତି ସଭିଏଁ।
ରାଜ୍ୟର କୋଣ ଅଣୁକୋଣରେ ପିଲାଠୁ ବୟସ୍କ, ସଭିଁଏ ଆନନ୍ଦ ଉଲ୍ଲାସର ସହ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ହୋଲି ପର୍ବ । ବାଜା ବଜାଇ, ନାଚି, ଆଲିଙ୍ଗନ କରି ଆଉ ମିଠା ଖୁଆଇ ଚାଲିଛି ହୋଲି ସେଲିବ୍ରେସନ। ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିବାକୁ ଚାହୁଁନାହାନ୍ତି । ସକାଳୁ ଆରମ୍ଭ ହୋଇଗଲାଣି ସେଲିବ୍ରେସନ । ଆଜି ଦିନ ତମାମ ରଙ୍ଗ ଖେଳ ଚାଲିବ । ପିଲାମାନେ ରଙ୍ଗ ପିଚକାରୀ ଧରି ରଙ୍ଗ ଲଗାଇବା ଦୃଶ୍ୟ ବେଶ ମଜାଦାର।
ସେହିପରି ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଉଛନ୍ତି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ସମସ୍ତେ। ଫଗୁଣର ଫଗୁରେ ଭିଜୁଛନ୍ତି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ସହ ଅବିର ବର୍ଷା ଚାଲିଲାଣି । ତ ଆଉ କେଉଁଠି ହରବାଲ ଅବିରରେ ହୋଲି ଖେଳାଯାଇଛି । ତ ଆଉ କେଉଁଠି ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାନ ମାନେ । ଶାନ୍ତି ପ୍ରୀତି ମୈତ୍ରୀ ସଦଭାବନାର ବାର୍ତ୍ତା ନେଇ ଆସିଛି ହୋଲି । ତେବେ ହୋଲି ଖେଳିବା ସମୟରେ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ହୋଲି ପାଇଁ କମିଶନରରେଟ୍ ପୋଲିସ ସଜାଗ ଅଛି।