ସରକାରୀ ପ୍ରତିଶ୍ରୁତି ପାଣିର ଗାର । ଦିନ ଗଡ଼ୁଛି । ମିଳୁନି ବିଶୁଦ୍ଧ ପାଣି । କେଉଁଠି ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ସର୍ଭେରେ ଅଟକିଛି । ଆଉ କେଉଁଠି ପାଇପ୍ ବିଛାରେ । ସରକାରୀ ନୀତି ନିୟମ ତା’ ବାଟରେ । ପ୍ରକଳ୍ପ କାମ ଚାଲିଛି ଠିକାଦାରଙ୍କ ଇଚ୍ଛାରେ । ପାଣି ମୁନ୍ଦିଏ ପାଇବାକୁ ଡହଳ ବିକଳ । ଧାର୍ଯ୍ୟ ଅବଧି ଦୁଇ ବର୍ଷ ହେବ ପୂରିଲାଣି । ପାନୀୟ ଜଳ ପ୍ରକଳ୍ପ କାମର ୩୦ ପ୍ରତିଶତ ବି ସରିନି । କେଉଁଠି ପ୍ରକଳ୍ପ ପାଇଁ ଶୁଭ ଦେବାର ୪ ବର୍ଷ ପରେ କାମ ଆଗଉନି । ସରକାର ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି । ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ଅମଲାଙ୍କ ଉଦାସୀନତା, ଠିକାସଂସ୍ଥାର ମନମାନିରୁ ଲୋକ ଛଟପଟ ହେଉଛନ୍ତି । ସ୍ୱାଧୀନତାର ୮ ଦଶନ୍ଧି ପରେ ବି ଶୁଦ୍ଧ ପାଣି ମୁନ୍ଦିଏକୁ ଲୋକ ଚାତକ ଭଳି ଚାହିଁଛନ୍ତି । ଏହାକୁ କ’ଣ କହିବା? ଅଭିଶାପ ନା ବିଡ଼ମ୍ବନା?
ଦିନ ଗଡ଼ୁଛି, ମେଣ୍ଟୁନି ଶୋଷ
ଜଳ ବହୁଳେ ସୃଷ୍ଟି ନାଶ । ଜଳ ବିହୁନେ ସୃଷ୍ଟି ନାଶ । ପ୍ରକୃତିର ଗନ୍ତାଘର ଆମ ରାଜ୍ୟ ଓଡ଼ିଶା । ବିଶାଳ ସମୁଦ୍ର ଆଉ ବହୁ ସଂଖ୍ୟାରେ ନଦୀ ରହିଛି । କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ । ଆମେ ପାଣି ମୁନ୍ଦିଏ ପାଇଁ ଦହଗଞ୍ଜ ହେଉଛୁ । ଭୂତଳ ଜଳସ୍ତର ଖସୁଛି ତଳକୁ ତଳକୁ । ମୌସୁମୀ ଖେଳୁଛି ଲୁଚକାଳି । ହୋଇପାରୁନି ଜଳ ସଂରକ୍ଷଣ । ଜଳ ପରିଚାଳନା ପାଇଁ ସ୍ୱତନ୍ତ୍ର ଆଇନ ନାହିଁ । ଜଳ ପରିଚାଳନା ପ୍ରତି ବେପରୁଆ ମନୋଭାବ ଓଡ଼ିଶାକୁ ବଡ଼ ସଂକଟ ଆଡ଼କୁ ନେଉଛି । ଆଗାମୀ ଦିନରେ ରାଜ୍ୟ ପାଇଁ ପାଣି ସଂକଟ ହେବ ବଡ଼ ଚାଲେଞ୍ଜ । ଉପାନ୍ତ ହେଉ ଅବା ଊପକୂଳ । ସାରା ଓଡ଼ିଶାରେ ପାନୀୟ ଜଳ ପ୍ରକଳ୍ପ କାମ ଅଧାପନ୍ତରିଆ । ନୂଆ ପ୍ରକଳ୍ପ କାମ ଯେ ବିଳମ୍ବ ହେଉଛି ତାହା ନୁହେଁ। ପୁରୁଣା ପ୍ରକଳ୍ପ ମଧ୍ୟ ମାସ ମାସ ଅଚଳ ରହୁଛି । ମରାମତି ପାଇଁ ଧ୍ୟାନ ନାହିଁ । ଲୋକମାନେ ପାଣି ପାଇବାକୁ ଛଟପଟ ହେଉଛନ୍ତି । ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ ପାଣି ମିଳିବ । ଏ ଲକ୍ଷ୍ୟରେ ରାଜ୍ୟ ସରକାର ବହୁ ମେଗା ପ୍ରକଳ୍ପର ଟେଣ୍ଡର ସାରିଛନ୍ତି । ଅଧା ପ୍ରକଳ୍ପର କାମ ଅଧାଅଧି ହୋଇନି । ଧାର୍ଯ୍ୟ ଅବଧିର ଦିନ ଗଡ଼ୁଛି । ପ୍ରକଳ୍ପ କାମ ଘୁଷୁରି ଘୁଷୁରି ଚାଲୁଛି । ମେଗା ପାନୀୟ ଜଳ ପ୍ରକଳ୍ପ ସରିନି । ଯେଉଁ ଗାଁରେ ଷ୍ଟାଣ୍ଡ୍ପୋଷ୍ଟ ତିଆରି ହୋଇଛି, ସେଠୁ ପାଣି ତ ବାହାରୁନି । ଲୋକ ଗାଈ ବାନ୍ଧୁଛନ୍ତି । ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି । ଧାର୍ଯ୍ୟ ସମୟରେ ପ୍ରକଳ୍ପ ସାରିବାକୁ ତାଗିଦ୍ କରୁଛନ୍ତି । ଠିକାଦାର-ଅମଲା କିନ୍ତୁ ନିଜ ଇଚ୍ଛାର ମାଲିକ । କାମ ସରିଲେ କେତେ, ନ ସରିଲେ କେତେ?'
ପ୍ରତି ଘରକୁ ପାଇପ ଯୋଗେ ମିଳିବ ପିଇବା ପାଣି । କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଭାଗିତାରେ ମେଗା ପ୍ରକଳ୍ପ କାମ ହାତକୁ ନିଆଯାଇଛି । ପ୍ରକଳ୍ପ କାମ ପୂରା ମନ୍ଥର ଗତିରେ ଚାଲିଛି । କେବେ ସରିବ ଖୋଦ ବିଭାଗ ବି କହିପାରୁନି । କେଉଁଠି ପାଇପ ବିଛା କାମ ଅଧାରେ । ଆଉ କେଉଁଠି ଓଭରହେଡ୍ ପାଣିଟାଙ୍କି କାମ ଲଟକିଛି । ପ୍ରକଳ୍ପ କାମ ୬୦ ପ୍ରତିଶତ ସରିନି । ରାଜ୍ୟରେ ଅଛି ୪୬,୫୩୧ ଗାଁ । ୩୧ ହଜାର ୩୫୪ ଗାଁକୁ ମେଗା ପ୍ରକଳ୍ପ ଏବଂ ୧୫,୧୨୧ ଗାଁକୁ ଛୋଟ ଓ ସୌର ପ୍ରକଳ୍ପ ଦ୍ୱାରା ଜଳ ଯୋଗାଣର ଲକ୍ଷ୍ୟ ରହିଛି । ଖଣି ଅଞ୍ଚଳରେ ଓମ୍ବାଡସି ପାଣ୍ଠିରେ ପ୍ରକଳ୍ପ କାମ ହେଉଛି । ଘୁଷୁରି ଘୁଷୁରି ଯେଭଳି ପ୍ରକଳ୍ପ କାମ ଚାଲିଛି, ଶୋଷ ମେଣ୍ଟିବାକୁ ଆହୁରି ଯେ ବହୁ ବର୍ଷ ଲାଗିବ ତାହା ଜଳଜଳ ।
ସବୁ ରାଜସ୍ୱ ଗାଁକୁ ପାଣି
ମୌଳିକ ସୁବିଧା ପାଣି ମିଳୁନି । ଅନ୍ୟ ସୁବିଧା କଥା କହିଲେ ନସରେ । କ’ଣ କରୁଛ କର, ୨୦୨୭ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ପାଇପ ପାଣି ଦିଅ । ଏମିତି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ହୋଇଛି ୫୪ ହଜାର କୋଟି ଟଙ୍କାର ଯୋଜନା । ମିଶନ୍ ମୋଡ୍ରେ ପ୍ରକଳ୍ପ କାମ କରିବା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି । ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟର ୪୬, ୫୩୧ଟି ଗ୍ରାମରୁ ୨୧, ୭୨୧ ଗ୍ରାମରେ ପାଇପ୍ ଜଳ ମିଳୁଛି । ମାତ୍ର ବହୁ ସ୍ଥାନରେ ପ୍ରକଳ୍ପ ଅଚଳ ରହୁଛି । ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୨୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ମୁଖ୍ୟମନ୍ତ୍ରୀ ତ ପ୍ରକଳ୍ପ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରିଛନ୍ତି । ହେଲେ ଠିକାଦାରମାନେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଆଶଙ୍କା ଅଛି ।
ଆଇନ ତା ବାଟରେ । ଖିଲାପୀ ତାଙ୍କ ବାଟରେ । ସରକାର ବି ଚୁପ୍ । ସାରା ରାଜ୍ୟରେ ଭୂତଳ ଜଳ ପରିଚାଳନା ଆଇନର ଖୋଲା ଉଲ୍ଲଂଘନ । ଶିଳ୍ପସଂସ୍ଥା ମନଇଚ୍ଛା ଭୂତଳ ଜଳର ବ୍ୟବହାର ଓ ଅପବ୍ୟବହାର କରୁଛନ୍ତି । ଭୂତଳ ଜଳସ୍ତର ଖସି ଚାଲିଛି ତଳକୁ ଆଉ ତଳକୁ । ସରକାର କିନ୍ତୁ ନିଦାବିଷ୍ଣୁ । ଚିନ୍ତା ନାହିଁ କି ତତ୍ପରତା ନାହିଁ । କେବଳ ଧର୍ମକୁ ଆଖିଠାର ଭଳି ଆଇନ ଆଣିଛନ୍ତି । ତୃଣମୂଳସ୍ତରରେ ଏ ଆଇନ ଆଦୌ କାର୍ଯ୍ୟକାରୀ ହେଉନି । ଶିଳ୍ପନିଶାରେ ତ ସରକାର ପୂରାକୁ ପୂରା ଚୁର୍ । ରାଜ୍ୟ ସରକାର ଓଡ଼ିଶା ଭୂତଳ ଜଳ ନିୟନ୍ତ୍ରଣ ଓ ପରିଚାଳନା ଆଇନ ଆଣିଛନ୍ତି । ଏ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଭୂତଳ ଜଳର ବିନିଯୋଗ ସହ ସଂରକ୍ଷଣକୁ ଅଗ୍ରାଧିକାର ମିଳିବ । ଆଇନ ଉଲ୍ଲଂଘନକାରୀଙ୍କୁ ମଧ୍ୟ ଦଣ୍ଡବିଧାନ ହେବ । ମାତ୍ର ଏଯାଏ ଏ ଆଇନ ଶୀତଳଭଣ୍ଡାରରେ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ଼ ଶିଳ୍ପସଂସ୍ଥା ଯାଏ ମନଇଚ୍ଛା ଭୂତଳ ଜଳର ବ୍ୟବହାର କରି ଚାଲିଛନ୍ତି । ସରକାର ବି ‘ଚୋରଙ୍କୁ ସାହାଣମେଲା ନୀତି’ ଧରିଛନ୍ତି । ଏହାର ସିଧାସଳଖ ପ୍ରଭାବ ରାଜ୍ୟବାସୀଙ୍କ ଉପରେ ପଡ଼ୁଛି ।
କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ପରିସଂଖ୍ୟାନ କହୁଛି, ରାଜ୍ୟରେ ଭୂତଳ ଜଳସ୍ତର ୬.୭୧ ପ୍ରତିଶତ ଖସିଛି । ରାଜ୍ୟରେ ଏହାର ପରିମାଣ ୧୬.୬୯ ବିଲିୟନ୍ କ୍ୟୁବିକ୍ ମିଟର ଥିଲା ବେଳେ ୧୦ ବର୍ଷ ମଧ୍ୟରେ ଏହା ୧୫.୫୭ ବିଲିୟନ୍ କ୍ୟୁବିକ୍ ମିଟରକୁ ଖସିଆସିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଭୂତଳ ଜଳର କମ୍ ବ୍ୟବହାର ହେଉଛି । ମାତ୍ର ୨୬ ପ୍ରତିଶତ ଭୂତଳ ଜଳ ଠିକଣା ଭାବେ ବ୍ୟବହାର ହେଉଥିଲା ବେଳେ ୭୭ ଭାଗ ଜଳ କାମରେ ନଲାଗି ସିଧା ଯାଇ ସମୁଦ୍ରରେ ମିଶୁଛି । ଭୂତଳ ଜଳର ଠିକଣା ବିନିଯୋଗ ହେଉନି । ସରକାର କିନ୍ତୁ ହାତବାନ୍ଧି ବସିଛନ୍ତି ।
ଧାର୍ଯ୍ୟ ସମୟରେ ସରୁ ପ୍ରକଳ୍ପ
ସମୃଦ୍ଧ ଓଡ଼ିଶା ଗଠନରେ ଜଳସମ୍ପଦ ତୁଲାଇବ ବଡ଼ ଭୂମିକା । ଜଳସମ୍ପଦର ଠିକଣା ବିନିଯୋଗ ଓ ପରିଚାଳନା ହେବ । ଡିଜିଟାଲ ସ୍ମାର୍ଟ ପଦ୍ଧତିରେ ଜଳ ପରିଚାଳନା କରାଯିବ । ଜଳସେଚନ ଭିତ୍ତିଭୂମି ବଢ଼ିବ । ଜଳ ସମ୍ପଦର ସଂରକ୍ଷଣ, ବଣ୍ଟନ ପାଇଁ ସରକାର ଲାଗୁ କରିବେ ‘ଓଡ଼ିଶା ଜଳନୀତି’ । ମନଇଚ୍ଛା ଜଳ ବ୍ୟବହାର ଓ ନଷ୍ଟରେ ଲାଗିବ ରୋକ । ଏହାକୁ ଅନୁଧ୍ୟାନ କରିବାକୁ ପ୍ରତିଷ୍ଠା ହେବ ‘ରାଜ୍ୟ ଜଳସମ୍ପଦ ଆୟୋଗ’ । ରାଜ୍ୟ ସରକାର ଭିଜନ ଡକ୍ୟୁମେଣ୍ଟରେ ଏ ପ୍ରସ୍ତାବ ରଖିଛନ୍ତି । ହେଲେ ଏବେ ପାଣି ପାଇଁ ଡହଳବିକଳ ହେଉଥିବା ପରିବାର ପାଇଁ ଲୋଡ଼ା ନିଷ୍ଠା ଓ ଆନ୍ତରିକତା ।
ଓଡ଼ିଶାରେ ଦେଶର ୧୧ ପ୍ରତିଶତ ଜଳସମ୍ପଦ ଉପଲବ୍ଧ । ରାଜ୍ୟରେ ଏବେ ୩୪ ଲକ୍ଷ ହେକ୍ଟର ଜମିକୁ ସେଚ ମିଳୁଛି । ୫ ବୃହତ୍, ୨୦ ମଧ୍ୟମ, ୧୦୦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ଶେଷ ହେବ । ଅଧିକରୁ ଅଧିକ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ ନିର୍ମାଣ ସହ କେନାଲ ଜରିଆରେ ୨୦% ଅଧିକ ଜଳ ଯୋଗାଣ ହେବ । ଡିଜିଟାଲ୍ ଓ ସ୍ମାର୍ଟ ଜଳ ପରିଚାଳନା ପଦ୍ଧତିକୁ ଆପଣାଇବେ ସରକାର । ଏବେ ରାଜ୍ୟରେ ଜଳ ସଞ୍ଚୟ ଜନ ଭାଗିଦାରି ୨.୦ ଅଭିଯାନ ଚାଲୁ ରହିଛି । ଲୋକମାନଙ୍କ ଭାଗିଦାରି ଓ ସହଯୋଗରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯାଉଛି । ଭୂତଳ ଜଳର ପୁନଃଚକ୍ର (ରିଚାର୍ଜ) ସହ ସଂରକ୍ଷଣ କାମ ହେଉଛି । ହେଲେ ପାଇପ୍ ଜଳ ପ୍ରକଳ୍ପ କାମ ସେଇମିତି ଧକେଇ ଧକେଇ ଚାଲିଛି । ସରକାର ଏହାକୁ ଗମ୍ଭୀରତାର ସହ ନିଅନ୍ତୁ । ଧାର୍ଯ୍ୟ ସମୟରେ ପ୍ରକଳ୍ପ କାମ ସରୁ । ଲୋକଙ୍କ ସରକାର ଲୋକଙ୍କ ଘରକୁ ବିଶୁଦ୍ଧ ପାଣି ଯୋଗାଇବାକୁ ଦେଖାନ୍ତୁ ଇଚ୍ଛାଶକ୍ତି । ୨୦୨୭ ମାର୍ଚ୍ଚ ସୁଦ୍ଧା ପ୍ରତି ରାଜସ୍ୱ ଗାଁରେ ମିଳୁ ଶୁଦ୍ଧ ପାଣି ।