ନୂଆଦିଲ୍ଲୀ,୦୩/୦୧; ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ପୂର୍ବ ମ୍ୟାଚ୍ରେ ଦିଲ୍ଲୀକୁ ହରାଇବା ପରେ ଆଜି ଦଳ ହରିଆନାକୁ ଭେଟିଛି । କେଏସସିଏରେ ଟସ୍ ଜିତି ହରିଆନା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ମିଳିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୧୨ ଓଭର ଖେଳରେ ଓଡ଼ିଶା ୬୭ରନ୍ କରିଛି । ଓମ୍ ଏବଂ ସ୍ୱସ୍ତିକ ସାମଲ କ୍ରିଜରେ ଉପସ୍ଥିତ ଅଛନ୍ତି । ଦୁହେଁ ଯଥାକ୍ରମେ ୨୯ ଏବଂ ୪୭ ରନ୍ କରିଛନ୍ତି ।

କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇ ଓଡ଼ିଶା ଏଲିଟ୍ ଗ୍ରୁପ୍-ଡିର ଶୀର୍ଷରେ ରହିଛି । ହରିଆନା ବିପକ୍ଷରେ ଦଳ ବିଜୟୀ ହୋଇ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ୨୦୨୩-୨୪ ସଂସ୍କରଣର ଚାମ୍ପିଅନ ହରିଆନା ଚଳିତ ସିଜନରେ ୩ଟି ମ୍ୟାଚ୍ ଜିତି ୧୨ ପଏଣ୍ଟ ପାଇଛି । ନେଟ୍ ରନ୍ ଆଧାରରେ ଟେବୁଲରେ ୩ୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ୍‌ରେ ଚିତାକର୍ଷକ ପ୍ରଦର୍ଶନ ସତ୍ତେ୍ୱ ସୌରାଷ୍ଟ୍ର ଠାରୁ ପରାଜିତ ହୋଇଥିଲା ଓଡ଼ିଶା । କିନ୍ତୁ ପରେ ସର୍ଭିସେସ, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀକୁ ହରାଇଛି । ଓଡ଼ିଶା ବେଙ୍ଗାଲୁରୁର ଅଲୁର କ୍ରିକେଟ ଷ୍ଟାଡିୟମରେ ହରିଆନା ବିପକ୍ଷରେ ଖେଳୁଛି ।

ଗତ ୮ ବର୍ଷ ଭିତରେ ହରିଆନା ଓ ଓଡି଼ଶା ୪ଥର ବିଜୟ ହଜାରେ ଟ୍ରଫିରେ ମୁହାଁମୁହିଁ ହୋଇଛନ୍ତି । ହରିଆନା ୩ଟି ଏବଂ ଓଡି଼ଶା ଗୋଟିଏ ମ୍ୟାଚ୍ ଜିତିଛି । ନିକଟରେ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟିରେ ହରିଆନା ରନର୍ସଅପ୍ ହୋଇଥିଲା । ଯଶବର୍ଦ୍ଧନ ଦଲାଲ, ଅଙ୍କିତ କୁମାର, ହିମାଂଶୁ ରାଣା, ପାର୍ଥ ଭାଟସ, ମୟଙ୍କ ଶାଣ୍ଡିଲ୍ୟ ଦଳର ପ୍ରମୁଖ ବ୍ୟାଟର । ଅଂଶୁଲ କାମ୍ୱୋଜ, ଅନୁଜ ଠାକରାଲ, ସାମନ୍ତ ଜାଖର ଦଳର ବୋଲିଂ ଲାଇନଅପ ସମ୍ଭାଳୁଛନ୍ତି । ହରିଆନାକୁ ଟକ୍କର ଦେବା ଓଡି଼ଶା ନିମନ୍ତେ ବେଶ ଆହ୍ୱାନପୂର୍ଣ୍ଣ ରହିବ । ପ୍ରଥମ ମ୍ୟାଚରେ ଦ୍ୱିଶତକ ହାସଲ କରିଥିବା ସ୍ୱସ୍ତିକ ସାମଲ ପରବର୍ତ୍ତୀ ୩ଟି ମ୍ୟାଚରେ ଭଲ ପ୍ରଦର୍ଶନ କରି ପାରିନାହାନ୍ତି ।

ଅଧିନାୟକ ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ୱାଇଁ ଏବଂ ଓମ ଟି ମୁଣ୍ଡେଙ୍କ ପ୍ରଦର୍ଶନ ଭଲ ରହିଛି । ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ କରି ଆସିଛି । ଆଜି ମଧ୍ୟ ଦଳକୁ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପଡ଼ିବ । ହରିଆନା ବିପକ୍ଷରେ ମଧ୍ୟକ୍ରମ ବ୍ୟାଟିଂ ଲାଇନଅପ୍‌ରେ ପରିବର୍ତ୍ତନ ଅଣାଯାଇପାରେ । ସେହିପରି ରାଜେଶ ମହାନ୍ତିଙ୍କ ଠାରୁ ଓଡ଼ିଶା ପ୍ରାରମ୍ଭିକ ସଫଳତା ଆଶା ବାନ୍ଧିଛି । ସେମିତି ସମ୍ୱିତ ବରାଳ ଏବଂ ଦେବବ୍ରତ ପ୍ରଧାନ ପୂର୍ବଭଳି ସହଯୋଗ ଜାରି ରଖିଲେ ହରିଆନାକୁ ଦଳ ଟକ୍କର ଦେଇ ପାରିବ ।