ଭୁବନେଶ୍ୱର, ୨୨।୭: ଆସନ୍ତା ୨୯ ତାରିଖ ଆଷାଢ଼ ପୂର୍ଣ୍ଣମୀ । ଏହା ପରେ ଆରମ୍ଭ ହେବ ଶ୍ରାବଣ ମାସ । ଏହି ପବିତ୍ର ମାସରେ କାଉଡ଼ିଆମାନେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ଏକାମ୍ରର ଅନ୍ୟ ଶିବ ମନ୍ଦିରରେ ଜଳଲାଗି କରିବେ । ଏଥର ଶ୍ରାବଣରେ ୪ଟି ସୋମବାର । ଏହି ସମସ୍ତ ସୋମବାର ବୋଲବମ ଭକ୍ତଙ୍କ ଶୃଙ୍ଖଳିତ ଜଳଲାଗି ଏବଂ ଦିଅଁ ଦର୍ଶନ ନିମନ୍ତେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ମନ୍ଦିର କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଦିଅଁଙ୍କ ନୀତି ବିଳମ୍ବକୁ ଏଡ଼ାଇବା ଲାଗି ଏଥର ସାହଣମେଲା ଦର୍ଶନ ଅବଧିକୁ ଗୋଟିଏ ଘଣ୍ଟା ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି । ଅର୍ଥାତ ପ୍ରତି ସୋମବାର ମନ୍ଦିର ପହୁଡ଼ ଭୋର ୩ଟାରେ ଖୋଲା ଯାଇ ଠାକୁରଙ୍କ ପହିଲି ଉପଚାର ମଙ୍ଗଳ ଆଳତୀ ଏବଂ ଅବକାଶ ସହ ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟ ବଢ଼ି ଠିକ୍‌ ୪ଟାରେ କାଉଡିଆ ଭକ୍ତଙ୍କୁ ଜଳଲାଗି ଓ ସାହଣମେଲା ଦର୍ଶନ ନିମନ୍ତେ ଅନୁମତି ମିଳିବ ।

ଦିନ ୧୧ଟାରେ ସାହଣମେଲା ଦର୍ଶନ ବନ୍ଦ କରାଯାଇ ଆଡକାଠ ପଡି ଯିବ । ପରେ ମନ୍ଦିର ଭିତର ଓ ଶକ୍ତି ପାଖ ସଫେଇ କରଯାଇ ଦିଅଁଙ୍କ ଅବଶିଷ୍ଟ ନୀତି କରାଯିବ । ଅନ୍ୟପକ୍ଷରେ ବିଏମସି ତରଫରୁ ବିନ୍ଦୁସାଗର ଘାଟ ଆଲୋକୀକରଣ ଓ ସଫେଇ କାର୍ଯ୍ୟ କରାଯିବ । ୱାଟକୋ ଅସ୍ଥାୟୀ ପାଇଖାନା ସ୍ଥାପନ କରିବା ସହିତ ପିଇବା ପାଣିର ବ୍ୟବସ୍ଥା କରିବ । ବିଏମ୍‌ସି ହସ୍ପିଟାଲ ତରଫରୁ ଫାଷ୍ଟଏଡ ସୁବିଧା ଦିଆଯିବ । ବିନ୍ଦୁ ସାଗରର ପ୍ରମୁଖ ଘାଟରେ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିବେ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ମନ୍ଦିର ବେଢା ପରିସରରେ ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ ଓ ଜଳଲାଗି ସ୍ଥାନରେ ନୋଧ ସ୍ଥାପନ କରିବାକୁ ଥିଲାବେଳେ ବାହାର ବ୍ୟାରିକେଡ ଦାୟିତ୍ୱ ପୂର୍ତ୍ତ ବିଭାଗ ତୁଲାଇବ । ପୁଲିସ ଧାଡିରେ ଶୃଙ୍ଖଳିତ ଦର୍ଶନକୁ ତଦାରଖ କରିବେ ।

ଏହା ବି ପଢ଼ନ୍ତୁ... Bahuda Yatra: ଶ୍ରୀମନ୍ଦିର ଫେରିବେ ଚତୁର୍ଦ୍ଧାମୂର୍ତ୍ତି, ବାହୁଡ଼ା ଯାତ୍ରା ପାଇଁ ସରକାରୀ ଛୁଟି ନ ଥିବାରୁ ଜଗନ୍ନାଥପ୍ରେମୀଙ୍କ କ୍ଷୋଭ

ଏନେଇ ସମସ୍ତ ବିଭାଗକୁ ସ୍ୱତନ୍ତ୍ର ଭାବେ ଚିଠି କରାଯିବ । ପରିତାପର ବିଷୟ ହେଲା, ଦିଅଁଙ୍କ ଆୟ ବୃଦ୍ଧି ପାଇଁ ଗତବର୍ଷଠାରୁ କାଉଡିଆଙ୍କ ଜଳଲାଗି ଦେୟକୁ ୧୦ ଟଙ୍କାରୁ ୨୦ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ବର୍ଷକ ମଧ୍ୟରେ ଏହାକୁ ଟ୍ରଷ୍ଟ ବୋର୍ଡ ଅନୁମୋଦନ କରିନାହିଁ । ଫଳରେ ଏଥର ମଧ୍ୟ ପ୍ରସ୍ତୁତି ବୈଠକରେ ସମାନ ନିଷ୍ପତ୍ତି ନିଆଯାଇଛି । ଶ୍ରାବଣୀ ଦେୟରେ ୧୦ ଟଙ୍କା ବୃଦ୍ଧି କରାଯିବ । କିନ୍ତୁ ତାହା ୩ ତାରିଖ ପୂର୍ବରୁ ଟ୍ରଷ୍ଟ ବୋର୍ଡ ଅନୁମୋଦନ ନ କଲେ ତାହା ଲାଗୁ ହୋଇପାରିବ ନାହିଁ । ଏହି ପ୍ରସ୍ତୁତି ବୈଠକରେ ଏସିପି କୃଷ୍ଣଚନ୍ଦ୍ର ପଲେଇ, ଏଏସ୍‌ଆଇର ବିଭାଗୀୟ ପ୍ରତିନିଧୀ, ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ, ବ୍ରାହ୍ମଣ ନିଯୋଗ ସମ୍ପାଦକ ହେମାଦ୍ରୀ ମହାପାତ୍ର ଓ ମନ୍ଦିର କର୍ମଚାରୀମାନେ ଉପସ୍ଥିତ ଥିଲେ । ପୂଜାପଣ୍ଡା ନିଯୋଗ ଅନୁପସ୍ଥିତି ବାବଦରେ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି,ବର୍ଷା ଯୋଗୁଁ ଆମେ ବୈଠକରେ ଯୋଗ ଦେଇପାରିନୁ ।