ଭୁବନେଶ୍ୱର, ୨୨।୭: ଆଉ ଦୁଇ ଦିନ ପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ବାହୁଡ଼ିବେ । ସରକାର ଓ ସେବାୟତ ସମସ୍ତେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ମନସ୍କ ହେଲେଣି । କିନ୍ତୁ ଓଡ଼ିଆ ଜାତିର ଏହି ମହାପର୍ବରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବା ଅନେକଙ୍କ ଭାଗ୍ୟରେ ନାହିଁ । ଶୁକ୍ରବାର ବାହୁଡ଼ା ଯାତ୍ରା ସରକାରୀ କାର୍ଯ୍ୟ ଦିବସ । ଛୁଟି ନାହିଁ । ଏହି ଅକୁହା ବେଦନା ଜଗନ୍ନାଥପ୍ରେମୀ ଓଡ଼ିଆଙ୍କୁ ସବୁବେଳେ ବ୍ୟଥିତ କରିଆସୁଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ- ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ବାହୁଡ଼ା ଯାତ ପାଇଁ ସରକାରୀ ଛୁଟି କାହିଁକି ନାହିଁ? ସାରା ଓଡ଼ିଶା ବର୍ଷତମାମ ପବିତ୍ର ରଥଯାତ୍ରାକୁ ଅପେକ୍ଷା କରି ରହିଥାଏ । ଗୁଣ୍ଡିଚା ଯାତ୍ରାରେ ଛୁଟି ଥିବାରୁ ରାଜ୍ୟର ପୁରପଲ୍ଲୀରେ ଏହାକୁ ଗଣପର୍ବ ଭଳି ପାଳନ କରାଯାଏ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବାହୁଡ଼ା ଯାତକୁ ଛୁଟି ମିଳେନି । ଇଚ୍ଛା ଥାଇ ବି ଲକ୍ଷାଧିକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇପାରନ୍ତି ନାହିଁ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ଗତ କିଛି ବର୍ଷ ହେବ ଦୁଇ ଦିନ ଛୁଟି ମିଳୁଛି । ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ।
କିନ୍ତୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଗୋଟିଏ ଦିନ ଛୁଟି କେତେ ଯୁକ୍ତିଯୁକ୍ତ ? ଅନେକ ଭକ୍ତ କ୍ଷୋଭର ସହ କୁହନ୍ତି, ମହାପ୍ରଭୁ ବାହୁଡ଼ାରେ ମାଉସୀ ମା’ ଘରୁ ଶ୍ରୀମନ୍ଦିର ଅଭିମୁଖେ ବାହାରନ୍ତି । କେବଳ ପୁରୀ ନୁହେଁ, ରାଜ୍ୟର ପ୍ରତି କୋଣ ଅନୁକୋଣରେ ଏହି ପର୍ବ ସ୍ୱତଃପ୍ରବୃତ୍ତ ଭାବେ ପାଳନ ହେଉଛି । କିନ୍ତୁ ବାହୁଡ଼ା ଛୁଟି ନ ଥିବାରୁ ଛୋଟ ପିଲାଙ୍କଠାରୁ ନେଇ ଅନେକ ଚାକିରିଆ ଏଥିରେ ଭାଗ ନେଇ ପାରୁନାହାନ୍ତି । ଏହା ଅନେକଙ୍କ ଧାର୍ମିକ ଭାବନାକୁ କଷ୍ଟ ଦେଉଛି । ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି, ଓଡ଼ିଶା ହେଉଛି ପ୍ରଭୁ ଜଗନ୍ନାଥଙ୍କ ମାଟି । ସେ ଆମର ଇଷ୍ଟ ଦେବତା । ଆମର ପରିଚୟ । ଜଗନ୍ନାଥ ସଂସ୍କୃତି ବିନା ଓଡ଼ିଆଙ୍କର ଅସ୍ତିତ୍ୱ ନାହିଁ । ତାଙ୍କୁ ଛାଡ଼ି ଆଉ କିଛି କଳ୍ପନା କରିହେବନି । କିନ୍ତୁ ବିଡ଼ମ୍ବନା ପବିତ୍ର ବାହୁଡ଼ା ଯାତକୁ ସରକାର ଛୁଟି ତାଲିକାରେ ରଖିନାହାନ୍ତି ।
ଏହା ବି ପଢ଼ନ୍ତୁ... Odisha NITI Aayog IFI 2026 : ନୀତି ଆୟୋଗ ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬, ଦେଶର ଶୀର୍ଷ ୫ ରାଜ୍ୟ ମଧ୍ୟରେ ଓଡ଼ିଶା
ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାର ସ୍ୱତଃପ୍ରବୃତ୍ତ ଭାବେ ସରକାରୀ କାର୍ଯ୍ୟାଳୟର ଛୁଟି ତାଲିକାରେ ଯୋଡ଼ି ହୋଇଯାଇଛି । ପୁଣି ଅନେକ ସ୍ଥାନୀୟ ପର୍ବପର୍ବାଣୀ ସମୟରେ ରାଜସ୍ୱ ବିଭାଗ ଛୁଟି ଘୋଷଣା କରୁଛି । ବଡ଼ କାର୍ଯ୍ୟକ୍ରମ, ସମାବେଶ କିମ୍ବା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କ ଗସ୍ତ ସମୟରେ ସରକାର କେବେ ଦିନର ସମ୍ପୂର୍ଣ୍ଣ ବା ଆଂଶିକ ଛୁଟି ଘୋଷଣା କରୁଛନ୍ତି । ବନ୍ଦ ଓ ହରତାଳ ସମୟରେ ବି ଆକସ୍ମିକ ଛୁଟି ଘୋଷଣା ହେଉଛି । ହେଲେ ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଦୁଇ ଦିନ ଛୁଟି ଘୋଷଣାରେ ଅସୁବିଧା କେଉଁଠି ରହୁଛି? ଅନେକ ଶ୍ରଦ୍ଧାଳୁ କହିଛନ୍ତି, ରାଜ୍ୟରେ ନୂଆ ସରକାର ଆସିବା ପରେ ଜଗନ୍ନାଥ ସଂସ୍କୃତିକୁ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଆ ଅସ୍ମିତା ନୂଆ ସରକାରଙ୍କ ପାଇଁ ମନ୍ତ୍ର ପାଲଟିଛି । ଆଶା ଥିଲା, ସରକାର ଆସିବା ପରେ ବାହୁଡ଼ା ଯାତ୍ରା ବି ଛୁଟି ତାଲିକାରେ ଯୋଡ଼ି ହେବ । କିନ୍ତୁ ଏ ଯାଏ ତାହା ହୋଇପାରିନି । ଚଳିତବର୍ଷରୁ ସରକାର ବାହୁଡ଼ାକୁ ଛୁଟି ଘୋଷଣା କରି ନୂଆ ପରମ୍ପରା ଆରମ୍ଭ କରିବେ ବୋଲି ଆଶା ରଖିଛନ୍ତି ।