ଗୁଣିଆ ସନ୍ଦେହରେ କଙ୍ଗାରୁ କୋର୍ଟରେ ହତ୍ୟା, ୮ ଅଭିଯୁକ୍ତ ଗିରଫ

ମାଲକାନଗିରି/କାଲିମେଳା, ୩୦।୧୧: ଗୁଣି ଗାରେଡି ସନ୍ଦେହରେ ଗ୍ରାମରେ କଙ୍ଗାରୁ କୋର୍ଟ। ଏଥିରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ରାତା ରାତି ମୃତ ଦେହକୁ ପୋଡିଦେଲେ ଅଭିଯୁକ୍ତ। ଏହି ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା କସଲ କୋଣ୍ଡା ଗ୍ରାମରେ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଚିନ୍ତଲୱାଡା ପଞ୍ଚାୟତ କସଲ କୋଣ୍ଡା ଗ୍ରାମରେ ଗୁଣି ଗାରେଡି ସନ୍ଦେହ କରି ଗ୍ରାମ ବାସୀମାନେ କଙ୍ଗାରୁ କୋର୍ଟ କରିଥିଲେ। ସେମାନେ ଗତ ୨୬ ତାରିଖ ରାତିରେ ମିଳିତ ହୋଇ ୬୦ ବର୍ଷୀୟ ବୟସ୍କ ରାମା ମାଡ଼କାମୀଙ୍କୁ କଙ୍ଗାରୁ କୋର୍ଟରେ ହାଜର କରି ପିଟି ପିଟି ହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ବୃଦ୍ଧଙ୍କୁ ରାତା ରାତି ପୋଡି ଦେଇଥିଲେ।
ଏହି ହତ୍ୟାକାଣ୍ଡ ସମ୍ପର୍କରେ ଗତ ୨୭ ତାରିଖ କାଲିମେଳା ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ କାଲିମେଳା ଥାନା କେସ ନମ୍ବର ୩୦୨/୨୨ ରେ ଏକ ମାମଲା ପୁଲିସ ରୁଜୁକରିଥିଲା। ଡିଏସପି ଡ.ଦିନେଶ ଚନ୍ଦ୍ର ନାୟକ ଓ କାଲିମେଳା ଥାନା ଆଇଆଇସି ଭବାନୀ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା। ଗତ କାଲି ସନ୍ଧ୍ୟାରେ କସଲକୋଣ୍ଡା ଗ୍ରାମରୁ ଗଙ୍ଗା ମାଢି(ଗ୍ରାମ ମୁଖିଆ),ଗଙ୍ଗା କବାସୀ (ୱାର୍ଡ ମେମ୍ବର),ମୁକା କବାସୀ,ଜଗା କବାସୀ, ରାମ ମାଢି, ରାମ ଚନ୍ଦ୍ର ଖିଲ, ଡମ୍ବୁରୁ ଖିଲ, ଗଙ୍ଗା ମାଡକାମୀ ଆଠ ଜଣ ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗତ ୨ ରୁ୩ ବର୍ଷ ମଧ୍ୟରେ ଗ୍ରାମର ଛୋଟ ବଡ଼ ପ୍ରାୟ ୩୫ ଜଣଙ୍କର ଅକାଳ ମୃତ୍ୟୁ ଘଟିଛି। ଏହା ଗୁଣିଗାରେଡି ଯୋଗୁ ହିଁ ଘଟିଛି। ମୃତ ବୃଦ୍ଧ ରାମା ମାଡକାମୀ ଜଣେ ଗୁଣିଆ ଥିବାରୁ ସେହି ଏପରି କାଣ୍ଡଘଟାଇଛି ବୋଲି ଗ୍ରାମବାସୀମାନେ ତାଙ୍କୁ ସନ୍ଦେହ କରୁଥିଲେ।