PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନିଜ ଛୁଆକୁ ହତ୍ୟା କରିଥିବା ଅଭିଯୋଗରେ ମହିଳା ନିର୍ଦ୍ଦୋଷ

ବ୍ରହ୍ମପୁର,୧୮ା୧୧: ନିଜ ୭ ମାସର ଛୁଆକୁ ନିଜେ ହତ୍ୟା କରି ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ପୁଲିସ ନିକଟରେ ହୋଇଥିବା ଅଭିଯୋଗ ପରେ ଗିରଫ ହୋଇ ଜେଲ ଯାଇ ଜାମିନରେ ମୁକୁଳିଥିବା ମହିଳା ସାବିତ୍ରୀ ଗୌଡଙ୍କୁ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବା ଦର୍ଶାଇ ଜିଲ୍ଲାଜଜ୍ ଆନନ୍ଦଚନ୍ଦ୍ର ବେହେରା ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପୁଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ୨୦୨୦ ଅଗଷ୍ଟ ୨୧ ତାରିଖରେ ସଦରଥାନା ଅନ୍ତର୍ଗତ ଭାବିନିପୁର ଗ୍ରାମ ମହାନ୍ତି ସାହିର କୁଳମଣି ଗୌଡ ଓ ତାଙ୍କ ପତ୍ନୀ ସାବିତ୍ରୀ ଗୌଡଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ କୁଳମଣିଙ୍କ ପତ୍ନୀ ସାବିତ୍ରୀ ଉତକ୍ଷିପ୍ତ ହୋଇ ଘରେ କେହି ନଥିବା ସମୟରେ ଦିନ ୧୨ଟା ସମୟରେ ରାଗରେ ନିଜ ୭ମାସର ଶିଶୁ କନ୍ୟାର ତନ୍ଟି ଚିପି ହତ୍ୟା କରିଥିଲେ । ପରେ ନିଜ ହାତକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ।

ପରେ ପଡୋଶୀଙ୍କଠାରୁ ଖବର ପାଇ ପରିବାର ଲୋକେ ତୁରନ୍ତ ସାବିତ୍ରୀଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଏମକେସିଜି ମେଡିକାଲ ନେଇଥିଲେ । ସାବିତ୍ରୀଙ୍କ ଏମକେସିଜିରେ ଚିକିତ୍ସା ହୋଇ ସୁସ୍ଥ ହୋଇଥିଲେ । ତେବେ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ସାବିତ୍ରୀଙ୍କ ଦେଢଶୁର ନିଳମଣି ଗୌଡ ସଦରଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରିବା ସହ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ କରିବା ପରେ ତାଙ୍କ ମା ସାବିତ୍ରୀଙ୍କୁ ହତ୍ୟା ମାମଲାରେ ଗିରଫ କରିଥିଲା । ଏହି ମାମଲାର ବିଚାରଣା ଚାଲିଥିବା ବେଳେ ୧୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମହିଳା ତଥା ମୃତ ଶିଶୁ କନ୍ୟାଙ୍କ ମାଁ ସାବିତ୍ରୀଙ୍କୁ ଜିଲ୍ଲାଜଜ୍ ଆନନ୍ଦଚନ୍ଦ୍ର ବେହେରା ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସାବିତ୍ରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିରେନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଅନୋଜ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିଲେ ।