PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଜୟପୁର ସିରିଏଲ ବ୍ଲାଷ୍ଟ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ରାଜସ୍ଥାନ ହାଇକୋର୍ଟ, ପୂର୍ବରୁ ନିମ୍ନ ଅଦାଲତରେ ମିଳିଥିଲା ଫାଶୀଦଣ୍ଡ…

ନୂଆଦିଲ୍ଲୀ: ଜୟପୁର ସିରିଏଲ ବ୍ଲାଷ୍ଟ ମାମଲାରେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏଥି ସହିତ ସଲମାନ ନାମକ ଜଣେ ଅଭିଯୁକ୍ତକୁ ନାବାଳକ ବୋଲି ବିଚାର କରି ହାଇକୋର୍ଟ ତାଙ୍କୁ ଜୁଭେନାଇଲ କୋର୍ଟକୁ ପଠାଇଛନ୍ତି । ସୂଚନାଥାଉକି, ଯେ ଏହା ପୂର୍ବରୁ ନିମ୍ନ ଅଦାଲତରେ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, କିନ୍ତୁ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ଖାରଜ କରି ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଛନ୍ତି । ଜଷ୍ଟିସ ପଙ୍କଜ ଭଣ୍ଡାରୀ ଏବଂ ଜଷ୍ଟିସ ସମୀର ଜୈନଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏହାପୂର୍ବରୁ ନିମ୍ନ ଅଦାଲତ ସୈଫ, ସୈଫୁର ରହମାନ ଏବଂ ସରବର ଆଜମୀଙ୍କୁ ଦୋଷୀ ବୋଲି ଘୋଷଣା କରି ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ହାଇକୋର୍ଟ କହିଛନ୍ତି ଯେ, ତଦନ୍ତକାରୀ ଅଧିକାରୀଙ୍କ ଆଇନଗତ ଜ୍ଞାନ ନାହିଁ । ଏହା ବ୍ୟତୀତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ଘଟଣାରେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିବା ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଜେପି ସଭାପତି ସତୀଶ ପୁନିୟା । ପୁନିଆ କହିଛନ୍ତି ଯେ ୧୩ ମେ ୨୦୦୮ ରେ ହୋଇଥିବା ଦଙ୍ଗାରେ ୭୧ ଜଣଙ୍କର ମୃତ୍ୟୁ ଘଟିଥିଲା । ଡିସେମ୍ବର ୨୦୧୯ ରେ କୋର୍ଟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । କୋର୍ଟ ପ୍ରମାଣକୁ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିନାହାଁନ୍ତି, ତେଣୁ ଅନୁସନ୍ଧାନର ଦିଗ ମଧ୍ୟ ସନ୍ଦେହ ସୃଷ୍ଟି କରିବାକୁ ଯାଉଛି । 

ସୂଚନାଥାଉକି, ରାଜସ୍ଥାନର ରାଜଧାନୀ ଜୟପୁରରେ ୨୦୦୮ ମେ ୧୩ରେ ସିରିଏଲ ବିସ୍ଫୋରଣର ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ମାଣକ ଚୌକ୍ ଖଣ୍ଡା, ବଡି ଚୌପଡ, ତ୍ରିପୋଲିଆ ଗେଟ୍, ଜୌହରୀ ବଜାର ଏବଂ ଚାନ୍ଦପୋଲ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ବୋମା ବିସ୍ଫୋରଣରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା । ଏହି ହୃଦୟ ବିଦାରକ ଘଟଣାରେ ପ୍ରାୟ ୭୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮୫ ଜଣ ଆହତ ହୋଇଥିବା ସୂଚନା ରହିଥିଲା । ଏହା ବ୍ୟତୀତ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ଜୀବନ୍ତ ବୋମା ମଧ୍ୟ ଉଦ୍ଧାର କରାଯାଇଥିଲା, ଯାହାକୁ ବୋମା ନିଷ୍କାସନ ସ୍କ୍ବାର୍ଡ ସହାୟତାରେ ନିଷ୍କ୍ରିୟ କରାଯାଇଥିଲା । ଏହି ବୋମାକୁ ରାମଚନ୍ଦ୍ର ମନ୍ଦିର ନିକଟରେ ଲଗାଯାଇଥିଲା ।

ସମ୍ବନ୍ଧିତ ଖବର