ଭୁଲରେ କରନ୍ତୁ ନାହିଁ ଏମିତି କାର୍ଯ୍ୟ, ସ୍ୱାସ୍ଥ୍ୟ ଓ ଶରୀର ଉପରେ ପଡ଼ିଥାଏ କୂପ୍ରଭାବ

pic - internet
ଆଜିକାଲି ମହିଳାମାନେ ପ୍ରାୟ ସମୟ ବ୍ୟସ୍ତ ରହୁଛନ୍ତି । କାରଣ ସେମାନଙ୍କୁ କର୍ମମୟ ଜୀବନ ସହ ପରିବାରକୁ ମଧ୍ୟ ସମ୍ଭାଳିବାକୁ ପଡୁଛି । ବ୍ୟସ୍ତତା ଯୋଗୁ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇପାରି ନଥାନ୍ତି । ଫଳରେ ସମୟକ୍ରମେ ଅନେକ ଅଜଣା ସମସ୍ୟା ମୁଣ୍ଡ ଟେକିଥାଏ । ଏହାବ୍ୟତୀତ ବ୍ୟସ୍ତତା ଯୋଗୁ ସେମାନେ କେତେକଭୁଲ୍ ମଧ୍ୟ କରିଥାନ୍ତି, ଯାହାର କୁପ୍ରଭାବ ସମୟକ୍ରମେ କ୍ଷତିକାରକ ସାବ୍ୟସ୍ତ ହୁଏ । ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିପାରିଲେ ଏଭଳି ସମସ୍ୟା ଆପେ ଆପେ ଦୂର ହୋଇଯିବ ।
* ମେକଅପ୍ ସହ ଶୋଇବା
ମେକଅପ୍ ସହ ଶୋଇବା ଦ୍ୱାରା ଲୋମଛିଦ୍ରରେ ତେଲ ଓ ଧୂଳି ଜମା ହୋଇଯାଇଥାଏ । ଫଳରେ ତ୍ୱଚାରେ ବ୍ରଣ, ବ୍ଲାକ୍ହେଡ୍ସ ଓ ଦାନାଦାନ ପରି କିଛି ବାହାରି ଯାଇଥାଏ । ଏହାବ୍ୟତୀତ କାଜଲ ଓ ଆଇସ୍ୟାଡୋ ଲଗାଇ ଶୋଇବା ଦ୍ୱାରା ଆଖିରେ ଜ୍ୱଳନ ସୃଷ୍ଟି ହୋଇଥାଏ ।
* କମ୍ ଶୋଇବା
ସୁସ୍ଥ ଜୀବନ ପାଇଁ ଭଲ ନିଦ ବହୁତ ଜରୁରି । ଅପର୍ଯ୍ୟାପ୍ତ ନିଦ ଥକାପଣର କାରଣ ସାଜିଥାଏ । ତା’ ସହ ନକାରାତ୍ମକ ଭାବନାକୁ ବଢାଇଥାଏ । ସେହିପରି ନିଦର ଅଭାବ ଯୋଗୁ ରକ୍ତଚାପ ଓ ହୃଦୟରୋଗର ଆଶଙ୍କା ବଢିଥାଏ । ତେଣୁ ନିୟମିତ ୬-୭ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।
* ହିଲ୍ ପିନ୍ଧିବା
ହିଲ୍ସ ପିନ୍ଧିବା ପାଦ ପାଇଁ କ୍ଷତିକାରକ । କାରଣ ଏହା ଗଣ୍ଠି ଉପରେ ଚାପ ପକାଇଥାଏ । ଏହା ଜାଣିବା ସତ୍ତେ୍ୱ ବି ଆମେ ହିଲ୍ ପିନ୍ଧିଥାଉ । ଫଳରେ ପିଠି ଯନ୍ତ୍ରଣା ଓ ଗଣ୍ଠିରେ ସମସ୍ୟା ଆରମ୍ଭ ହୋଇଥାଏ । ଏହାବ୍ୟତୀତ ହିଲ୍ ହାଡ଼ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ତେଣୁ ଯେତେଦୂର ସମ୍ଭବ ହିଲ୍ଠାରୁ ଦୂରେଇ ରୁହନ୍ତୁ ।
* ଚିନ୍ତାକୁ ନଜରଅନ୍ଦାଜ କରିବା
କେତେକ ମହିଳାଙ୍କର ପ୍ରାୟ ସମୟ ମୁଣ୍ଡବିନ୍ଧା, ଅନିଦ୍ରା ଓ ଚିନ୍ତାଜନିତ ସମସ୍ୟା ଦେଖାଦେଇଥାଏ । କିନ୍ତୁ ସେମାନେ ଏହାକୁ ନଜରଅନ୍ଦାଜ କରିଥାନ୍ତି । ଚିନ୍ତାକୁ କେବେ ବି ଅଣଦେଖା କରନ୍ତୁନାହିଁ । ଏହା ସମୟକ୍ରମେ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଯଥାସମ୍ଭବ ଚିନ୍ତାଠାରୁ ନିଜକୁ ଦୂରେଇ ରଖନ୍ତୁ ।
* ବ୍ୟାୟାମ ନ କରିବା
ବ୍ୟସ୍ତ ରହିବା କାରଣରୁ ପ୍ରାୟ ମହିଳା ବ୍ୟାୟାମକୁ ଗୁରୁତ୍ୱ ଦେଇ ନଥାନ୍ତି । ଫଳରେ ଶାରିରୀକ ଗତିବିଧିର ଅଭାବରୁ ପିଠି ଦରଜ, ଷ୍ଟ୍ରୋକ୍, ମଧୁମେହ ଓ ହୃଦୟରୋଗ ପରି ସମସ୍ୟା ଦେଖାଦେଇଥାଏ । ତେଣୁ ସୁସ୍ଥ ରହିବା ପାଇଁ ସାଇକେଲିଂ, ଡ୍ୟାନ୍ସ ଓ ଯୋଗ ଅଭ୍ୟାସ କରିବା ଉଚିତ୍ । ଅନେକ ସମୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ସେତେଟା ସଚେତନ ନଥାନ୍ତି । ଫଳରେ ବିଭିନ୍ନ ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ ।
ମହିଳାମାନେ ପ୍ରାୟ ସମୟରେ ଏମିତି କିଛି ଭୁଲ୍ କରିଥାନ୍ତି, ଯାହାର କୁପ୍ରଭାବ ସ୍ୱାସ୍ଥ୍ୟ ଓ ଶରୀର ଉପରେ ପଡ଼ିଥାଏ । ଯଦି ଆପଣ ଏମିତି କିଛି ଭୁଲ୍ କରୁଥାନ୍ତି, ତେବେ ନିଜକୁ ସୁଧାରି ନିଅନ୍ତୁ ।