ଓଲଟପୁରରେ ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ; ଓଡ଼ିଶାକୁ ସୁସ୍ଥ କରିବା ଆମ ଲକ୍ଷ୍ୟ: ଧର୍ମେନ୍ଦ୍ର

କଟକ/କଣ୍ଟାପଡ଼ା,୨୬ା୨(ବ୍ୟୁରୋ/ଆପ୍ର): ଓଡ଼ିଶା ସୁସ୍ଥ, ଶକ୍ତିଶାଳୀ ଏବଂ ସ୍ୱୟଂସମ୍ପନ୍ନ ହେଉ, ଏହା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
କଟକ ଜିଲ୍ଲାର କଣ୍ଟାପଡ଼ା ନିକଟସ୍ଥ ଓଲଟପୁରଠାରେ ‘ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ଦିବସରେ ଯୋଗଦେଇ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାର ବଡ଼ ବଡ଼ ମେଡିକାଲ କଲେଜ ହସ୍ପିଟାଲକୁ ଗଲେ ରୋଗୀମାନେ ଭଲ ଚିକିତ୍ସା ପାଇପାରନ୍ତି । କିନ୍ତୁ ସବୁ ଲୋକଙ୍କୁ ଏହି ସୁବିଧା ମିଳିପାରେନାହିଁଁ । ବିଶେଷକରି ଗରିବ ଲୋକେ ଏହି ସୁଯୋଗ ପାଇପାରି ନଥାନ୍ତି । ଏହାକୁ ଆଖି ଆଗରେ ରଖି ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ମେଡିକାଲ ସହାୟତା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ଏହି ସୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ସହାୟକ ହେବ । ମନ୍ତ୍ରୀ କହିଲେ ଏହା ପୂର୍ବ ଭାରତ ଏବଂ ଓଲଟପୁର ପାଇଁ ନୂଆ ପରିଚୟ ତିଆରି କରିବ । ଓଲଟପୁରର ବର୍ତ୍ତମାନର ହସ୍ପିଟାଲକୁ ଆହୁରି ବଡ଼ କରିବାର ଆବଶ୍ୟକତା ଅଛି । କଟକ, ପୁରୀ, ଜଗତସିଂହପୁରର କେନ୍ଦ୍ରାଞ୍ଚଳ ହେଉଛି ଓଲଟପୁର । ଏ ଅଞ୍ଚଳରେ କେବଳ ସ୍ନାୟୁ କିମ୍ୱା ଅସ୍ଥି ରୋଗର ଉନ୍ନତ ଚିକିତ୍ସା ହେବନାହିଁ । ଗ୍ରାମାଞ୍ଚଳର ସାମଗ୍ରୀକ ସ୍ୱାସ୍ଥ୍ୟସେବାକୁ ଧ୍ୟାନ ଦେବା ପାଇଁ ଏଠାରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଉଥିବା ସେ କହିଥିଲେ । ଭାରତ ସରକାରଙ୍କ ତୈଳ କମ୍ପାନୀ ଓଏନ୍ଜିସି ପକ୍ଷରୁ ପାଖାପାଖି ୧୫ ହଜାର ବର୍ଗଫୁଟ୍ର ୫ ମହଲା ବିଶିଷ୍ଟ କୋଠା ଏଠାରେ ତିଆରି ହେବ । ବର୍ଷକୁ ୪୦୦୦ ରୋଗୀ, ୩୦୦୦ ସହାୟକଙ୍କର ଖାଦ୍ୟପେୟ ଓ ରହିବା ବ୍ୟବସ୍ଥା ପାଇଁ ୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟବରାଦରେ ଓଏନ୍ଜିସି ପକ୍ଷରୁ ୟୁବିଏସ୍ଏସ୍କୁ ଦାୟିତ୍ୱ ଦେଇ ଗୋଟିଏ ଅତ୍ୟାଧୁନିକ ଧର୍ମଶାଳା କରାଯିବାର ପରିକଳ୍ପନା ଅଛି । ଉତ୍କଳ ବିପନ୍ନ ସହାୟତା ସମିତି ଓଡ଼ିଶାର ଗୋଟିଏ ଅଗ୍ରଣୀ ସ୍ୱୟଂସେବୀ ସଂଗଠନ । ବିଶେଷକରି ବାତ୍ୟା, ବନ୍ୟା ଓ ମରୁଡ଼ି ପ୍ରପୀଡ଼ିତ ରାଜ୍ୟରେ ବିପନ୍ନ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବାର ୪୫ ବର୍ଷ ଧରି ନିରନ୍ତର ପ୍ରୟାସ ଜାରି ରଖିଛି ଏହି ସଙ୍ଗଠନ । ନରସେବା ହିଁ ନାରାୟଣ ସେବା ରୂପୀ ଗୋଟିଏ ସଂସ୍କାରର ନାମ ଉତ୍କଳ ବିପନ୍ନ ସହାୟତା ସମିତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶକୁ ଓ ଉତ୍କଳୀୟ ପରମ୍ପରାକୁ ୟୁବିଏସ୍ଏସ୍ ନେତୃତ୍ୱରେ ବଜାୟ ରଖିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଉତ୍କଳ ବିପନ୍ନ ସହାୟତା ସମିତିର ଅଧ୍ୟକ୍ଷ ଅଭୟ କୁମାର ସାମନ୍ତରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଏନ୍ଜିସିର ସାଧାରଣ ପରିଚାଳକ ଏମ୍ ଏମ୍ ଷ୍ଟ୍ରଙ୍ଗ୍, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ସଞ୍ଚାଳକ ବି ଭାଗ୍ୟଦୀ ଉପସ୍ଥିତ ଥିଲେ ।