ସ୍ମରଣ ଶକ୍ତି ସମସ୍ୟା କମାଇବ ଫ୍ଲାଭୋନଲ୍ସ, ଜାଣନ୍ତୁ କ‘ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ ୨୯/୧୧: ପରିବା, ଫଳ, ଚା’ ଓ ୱାଇନ୍ରେ ଥିବା ଫ୍ଲାଭୋନଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ ଅଧିକ ଖାଇବା ଦ୍ୱାରା ସ୍ମରଣ ଶକ୍ତି ପତନ ହାର ଧୀମା ହୋଇପାରେ । ଏକ ସଦ୍ୟ ଅଧ୍ୟୟନ ଏହା ଦାବି କରିଛି । ସବୁଠୁ କମ୍ ଫ୍ଲାଭୋନଲ୍ସ ଖାଇଥିବା ବ୍ୟକ୍ତିଙ୍କ ତୁଳନାରେ ସବୁଠୁ ଅଧିକ ଫ୍ଲାଭୋନଲ୍ସ ଖାଇଥିବା ଲୋକଙ୍କ ବୋଧଜ୍ଞାନ ଅଙ୍କ ଦଶନ୍ଧି ପିଛା ୦.୪ ୟୁନିଟ୍ରୁ ଅଧିକ ଧୀମା ହାରରେ ପତନ ହୋଇଥିଲା । ସ୍ମୃତିଶକ୍ତିକୁ ପ୍ରଭାବିତ କରୁଥିବା ବୟସ, ଲିଙ୍ଗ ଓ ଧୂମପାନ ଭଳି କାରକ ଥାଇ ମଧ୍ୟ ଫଳାଫଳ ସ୍ଥିର ରହିଥିଲା । ଆମେରିକାନ୍ ଏକାଡେମୀ ଅଫ୍ ନ୍ୟୁରୋଲୋଜିର ମେଡିକାଲ ପତ୍ରିକା ନ୍ୟୁରୋଲୋଜିରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।
ଅଧ୍ୟୟନରେ ସାମିଲ ଚିକାଗୋର ରଶ୍ ୟୁନିଭର୍ସିଟି ମେଡିକାଲ ସେଣ୍ଟର୍ର ଡା. ଥୋମାସ୍ ହଲାଣ୍ଡ କହିଛନ୍ତି, ନିର୍ଦ୍ଦିଷ୍ଟ ଖାଦ୍ୟ ଚୟନ ଦ୍ୱାରା ବୁଦ୍ଧି ସମ୍ବନ୍ଧୀୟ ପତନର ହାର ଧୀମା ହୋଇପାରେ ବୋଲି ଆମ ଅଧ୍ୟୟନ ଦର୍ଶାଇଛି, ଯାହା ଅତ୍ୟନ୍ତ ଉତ୍ସାହଜନକ । ଅଧିକ ଫଳ ଓ ପରିବା ଖାଇବା ଏବଂ ଅଧିକ ଚା’ ପିଇବା ଦ୍ୱାରା ଲୋକେ ସେମାନଙ୍କ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ବଜାୟ ରଖିପାରିବେ । ଏହା ଏକ ସରଳ ମାର୍ଗ । ଫ୍ଲାଭୋନଲ୍ସ ନ୍ୟୁରନ୍ ସମେତ କୋଷିକାଗୁଡ଼ିକୁ ସୁରକ୍ଷା ଦିଅନ୍ତି । ତେଣୁ ବୋଧଜ୍ଞାନ ଉପରେ ଏହା ସିଧାସଳଖ ପ୍ରଭାବ ପକାଇପାରେ ବୋଲି ଅଧ୍ୟୟନର ଅନ୍ୟତମ ଗବେଷକ ଡା. ଡେଭିଡ୍ କାଟ୍ଜ କହିଛନ୍ତି । ଫଳ ଓ ପରିବା ମସ୍ତିଷ୍କ ପାଇଁ ଉତ୍ତମ, କାରଣ ଏହା ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଇଁ ଭଲ । ତେଣୁ ଫ୍ଲାଭୋନଲ୍ସ ଏହାର ସୂଚକ ମଧ୍ୟ । ମୋଟାମୋଟି ଏହା ଖାଦ୍ୟ ଗୁଣବତ୍ତା, ଏପରିକି ଉତ୍ତମ ସ୍ୱାସ୍ଥ୍ୟ ସଚେତନତାକୁ ମଧ୍ୟ ଏହା ସୂଚାଏ । ଯେଉଁମାନେ ଅଧିକ ସ୍ୱାସ୍ଥ୍ୟ ସଚେତନ, ବୋଧଜ୍ଞାନକୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିପାରନ୍ତି । ଅଥବା ଅଧିକ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ଉତ୍ତମ ବୋଧଜ୍ଞାନର ଅଧିକାରୀ ହୋଇପାରନ୍ତି ।
ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ନ୍ୟାସ୍ନାଲ ସେଣ୍ଟର୍ ଫର୍ କମ୍ପଲିମେଣ୍ଟାରି ଆଣ୍ଡ ଇଣ୍ଟିଗ୍ରେଟିଭ୍ ହେଲ୍ଥ ଅନୁସାରେ, ଫ୍ଲାଭୋନଲ୍ସ ହେଉଛି ଫ୍ଲାଭୋନଏଡ୍ର ଏକ ପ୍ରକାର । ପଶୁ ଓ ମଣିଷଙ୍କ ଉପରେ ହୋଇଥିବା କିଛି ଅଧ୍ୟୟନରୁ ଏହା ପ୍ରଦାହ ହ୍ରାସ କରେ ବୋଲି ଜଣାପଡ଼ିଛି, ଯାହା ଦୀର୍ଘସ୍ଥାୟୀ ରୋଗମାନଙ୍କର ମୁଖ୍ୟ କାରକ । ଫ୍ଲାଭୋନଲ୍ସ ଆଣ୍ଟିଅକ୍ସିଡାଣ୍ଟର ଉତ୍ତମ ସ୍ରୋତ । ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରାଡିକାଲ୍ସ ସହ ଲଢ଼େଇ କରେ । ଏହା ବ୍ୟାପକ ଅସ୍ଥାୟୀ ଅଣୁ, ଯାହା କସରତ କରିବା ସମୟରେ ଏବଂ ଆପଣଙ୍କ ଶରୀର ଯେତେବେଳେ ଖାଦ୍ୟକୁ ଶକ୍ତିରେ ରୂପାନ୍ତରିତ କରେ, ସେତେବେଳେ ଏହା ପ୍ରାକୃତିକ ରୂପେ ସୃଷ୍ଟି ହୁଏ ।
ଅଧ୍ୟୟନ ଅନୁସାରେ, ସବୁଠୁ ସାଧାରଣ ଫ୍ଲାଭୋନଲ୍ସ କ୍ୱେରସେଟିନ୍ କୋଲୋରେକ୍ଟାଲ୍ କ୍ୟାନ୍ସର୍ ଓ ଅନ୍ୟ କର୍କଟ ହ୍ରାସ କରିବାରେ ସକ୍ଷମ । ପିଆଜରେ ଉଚ୍ଚ ସ୍ତରୀୟ ଏବଂ ବ୍ରୋକୋଲି, ବ୍ଲୁବେରୀ, ଫୁଲକୋବି, କର୍ଲି କେଲ୍, ଲିକ୍, ପାଳଙ୍ଗ ଓ ଷ୍ଟ୍ରବେରୀରେ କମ୍ ସ୍ତରର ଫ୍ଲାଭୋନଲ୍ସ ରହିଛି ।