ଆମ ଭାରତୀୟ ସଂସ୍କୃତି ଓ ସଭ୍ୟତାର ଅନୁପ୍ରେରକ ହେଉଛନ୍ତି ମାତୃଶକ୍ତି । ପରିବାର ଭିତ୍ତିକ ଆମ ସଂସ୍କୃତିରେ ନାରୀ ହେଉଛି ପରିବାରର ମୂଳାଧାର । ସେ ମାଆ ରୂପରେ କେବଳ ଜନ୍ମଦାତ୍ରୀ ନୁହେଁ, ବରଂ ସଂସ୍କାରର ଆଦ୍ୟ ଗୁରୁ ତ କେତେବେଳେ ପୁଣି ଭଉଣୀ ରୁପରେ ସ୍ନେହ ଏବଂ ଆନନ୍ଦର ସୂତ୍ରଧର, ଆଉ ପୁଣି କେତେବେଳେ ସହଧର୍ମିଣୀ ରୂପେ ସୁଖ, ଦୁଃଖ ତଥା ସଫଳତା-ବିଫଳତାର ସାଥୀ ଏବଂ ବାନ୍ଧବୀ ଆକାରରେ ସହଯୋଗୀ ଅଟେ । ସେ ପରିବାରକୁ ସଂଗଠିତ ରଖିବା ସହ ସାଂସ୍କୃତିକ ଐତିହ୍ୟକୁ ପିଢ଼ି ପର ପିଢ଼ିକୁ ପରିବହନ କରେ । ତାହାରି କୋଳରେ ଝୁଲି ଝୁଲି ଗଢ଼ିଉଠେ ସମୃଦ୍ଧ ସମାଜ । ବିକଶିତ ସମାଜ ପ୍ରତି ନାରୀର ଗୁରୁତ୍ୱପୂର୍ଣ୍ଣ ଯୋଗଦାନକୁ ଆମ ସରକାର ହୃଦ୍ବୋଧ କରିଛନ୍ତି ।
ମାତୃତ୍ୱର ସୁରକ୍ଷା ତଥା ଭାରତୀୟ ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସର୍ବାଧିକ ସାଧାରଣ କର୍କଟ ରୋଗ ଭାବେ ଚିହ୍ନଟ ହୋଇଥିବା ଜୀବନଘାତୀ ରୋଗମାନଙ୍କ ମଧ୍ୟରୁ, ଅନ୍ୟତମ ଜରାୟୁ ଗ୍ରୀବା କର୍କଟକୁ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ କରିବା ପାଇଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗତ ଫେବ୍ରୁଆରୀ ୨୮ ତାରିଖ ରାଜସ୍ଥାନର ଆଜମେର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ "ଜାତୀୟ ମାନବ ପାପିଲୋମା ଭାଇରସ୍ (ଏଚପିଭି) ଟୀକାକରଣ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି । ଦେଶବ୍ୟାପୀ ଏହି ଅଭିଯାନ ନିମନ୍ତେ ୧୭,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଓଡ଼ିଶା ପରିପ୍ରେକ୍ଷୀରେ ମଧ୍ୟ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନରେ ରାଜ୍ୟର ମୋଟ୍ ୩,୩୬,୬୭୧ ଜଣ କିଶୋରୀଙ୍କୁ ଟୀକାକରଣ କରାଯିବାର ବ୍ୟାପକ ଲକ୍ଷ୍ୟ ରଖାଯାଇଛି ।
ସଂକ୍ଷିପ୍ତରେ ବୁଝିବାକୁ ଗଲେ, ଜରାୟୁ ବା ଗର୍ଭାଶୟର ନିମ୍ନ ଭାଗକୁ ଗ୍ରୀବା (ସର୍ଭିକ୍ସ) କୁହାଯାଏ ଏବଂ ଏହି ଅଂଶରେ କର୍କଟ ରୋଗ ଉତ୍ପନ୍ନ ହୁଏ । ମାନବ ପାପିଲୋମା ଭାଇରସ୍ ଶରୀରରେ ଦୀର୍ଘ ସମୟ ଧରି ରହିବା ଫଳରେ ଧୀରେ ଧୀରେ କର୍କଟ ରୂପ ଧାରଣ କରେ, କିନ୍ତୁ ଏହା ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଯାହାଦ୍ୱାରା ଅନେକ ମହିଳା ଏହାକୁ ପ୍ରଥମେ ଜାଣିପାରନ୍ତି ନାହିଁ ଓ ଶେଷ ଅବସ୍ଥାରେ ରୋଗ ଚିହ୍ନଟ କରାନ୍ତି । ବିଶେଷକରି ଗ୍ରାମୀଣ ଅଞ୍ଚଳରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତାର ଅଭାବ ରୋଗକୁ ଅଧିକ ଭୟାବହ କରିଦେଇଛି । ବୈଜ୍ଞାନିକ ଅନୁସନ୍ଧାନ ଅନୁଯାୟୀ ପ୍ରାୟ ୯୯.୭% ଜରାୟୁ ଗ୍ରୀବା କର୍କଟ ରୋଗର ମୂଳ କାରଣ ହେଉଛି ମାନବ ପାପିଲୋମା ଭାଇରସ୍ ସଂକ୍ରମଣ । କିନ୍ତୁ ଏହି ମାରାତ୍ମକ ରୋଗର ସଂକ୍ରମଣକୁ ନିବାରଣ କରିବା ପାଇଁ ଆମ ସରକାର ଅଣ୍ଟା ଭିଡ଼ିଛନ୍ତି । ଯେଉଁ ଟୀକାର ମୂଲ୍ୟ ବାହାରେ ପ୍ରାୟ ଚାରି ହଜାର ଟଙ୍କା ପଡ଼ିଥାଏ, ତାହାର ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି । ଏହି ଟୀକା ଶରୀରକୁ ମାନବ ପାପିଲୋମା ଭାଇରସ୍ ବିରୋଧରେ ସୁରକ୍ଷା ଦିଏ ଓ ଭବିଷ୍ୟତରେ କର୍କଟ ରୋଗ ହେବାର ସମ୍ଭାବନାକୁ ଏଡ଼ାଇଥାଏ । ଏହା ଏକ ପ୍ରତିରୋଧମୂଳକ ଟୀକା ହୋଇଥିବାରୁ ରୋଗ ହେବା ପୂର୍ବରୁ ହିଁ ସୁରକ୍ଷା ପ୍ରଦାନ କରେ । ଏହି ଟୀକା ୦.୫ ମିଲିଲିଟର ପରିମାଣରେ ବାମ ହାତର ଉପର ଭାଗର ମାଂସପେଶୀରେ ଦିଆଯାଇଥାଏ । ପୂର୍ବରୁ ଏହା ଦୁଇ କିମ୍ବା ତିନିଟି ଥର ନେବାକୁ ପଡୁଥିଲା, ହେଲେ ବର୍ତ୍ତମାନ ଏହି ଟୀକା ଉନ୍ନତ ମାନର ହୋଇଥିବା ଫଳରେ ମାତ୍ର ଗୋଟିଏ ଥର ହିଁ ପର୍ଯ୍ୟାପ୍ତ, ଯାହାକି ଏହାକୁ ଅଧିକ ସହଜ ଓ ସୁବିଧାଜନକ କରିଛି ।
ଯେଉଁ କିଶୋରୀମାନଙ୍କ ବୟସ ୧୪ ବର୍ଷରୁ ଊଦ୍ଧ୍ୱର୍, କିନ୍ତୁ ୧୫ ବର୍ଷ ପୂରଣ କରିନାହାଁନ୍ତି ସେମାନଙ୍କୁ ଏହି ଟୀକା ଦିଆଯିବ । ଏହି ବୟସରେ ଟୀକା ଦେବାର ମୂଳ ଉଦ୍ଦେଶ୍ୟ ହେଉଛି ଭାଇରସ୍ ସଂକ୍ରମଣ ହେବା ପୂର୍ବରୁ ଶରୀରକୁ ସୁରକ୍ଷିତ କରିବା । ତିନି ମାସିଆ ଲକ୍ଷ୍ୟ ଥିବା ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୨୪,୩୨୯ ଜଣ କିଶୋରୀଙ୍କୁ ଟୀକାକରଣ କରାଯାଇଛି । ଟୀକାକରଣ ଆରମ୍ଭର ପ୍ରଥମ ମାସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ଦିଆଯିବ । ପରବର୍ତ୍ତୀ ଦୁଇ ମାସରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାକୁ ବିସ୍ତାର କରାଯିବ । ଯାହାଦ୍ୱାରା ଦୂର ଅଞ୍ଚଳର ଲୋକମାନେ ସୁବିଧା ପାଇପାରିବେ । ପରେ ଏହାକୁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପ୍ରତିଦିନ (ଛୁଟି ଦିନ ବ୍ୟତୀତ) ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲିବ । ଟୀକା ନେବା ପୂର୍ବରୁ ପେଟ ପୂରା ଖାଦ୍ୟ ଖାଇବା ଆବଶ୍ୟକ । ଟୀକାକରଣ କେନ୍ଦ୍ରକୁ ବାପା ମାଆ କିମ୍ବା ଅଭିଭାବକଙ୍କ ସହିତ ଯିବା ଉଚିତ । ସଠିକ୍ ଯୋଗ୍ୟତା ନିଶ୍ଚିତ କରିବା ପାଇଁ ଟୀକା ନେବା ସମୟରେ ବୟସ ପ୍ରମାଣପତ୍ର ଯଥା– ଆଧାର କାର୍ଡ, ବିଦ୍ୟାଳୟ ପରିଚୟ ପତ୍ର କିମ୍ବା ଜନ୍ମ ପ୍ରମାଣପତ୍ର ଆଣିବା ଆବଶ୍ୟକ । ଯଦି ଉଚିତ ପରିଚୟ ପତ୍ର ନାହିଁ, ତାହେଲେ ଟୀକାକରଣ କେନ୍ଦ୍ରରେ ଥିବା ବୟସ ଘୋଷଣା ପତ୍ରରେ ଅଭିଭାବକଙ୍କ ସ୍ୱାକ୍ଷର କରିବାକୁ ହେବ ।
ପଞ୍ଜିକରଣ ପାଇଁ ଏକ ବୈଧ ମୋବାଇଲ ନମ୍ବର ଜରୁରି ହେବ ଏବଂ ଓଟିପି ମାଧ୍ୟମରେ ସମ୍ମତି ନିଆଯିବ । ଯଦି ଉକ୍ତ ସ୍ଥାନରେ ନେଟୱର୍କ ନଥାଏ, ତେବେ ଅଭିଭାବକଙ୍କୁ ଲିଖିତ ସ୍ୱୀକୃତି ଦେବାକୁ ପଡ଼ିବ । ଅଭିଯାନକୁ ଅଧିକ ସହଜ ଓ ସ୍ୱଚ୍ଛ କରିବା ପାଇଁ ହିତାଧିକାରୀ ନିଜେ ମଧ୍ୟ ସାର୍ବଜନୀନ ଟୀକାକରଣ ପ୍ଲାଟଫର୍ମ (ୟୁ-ୱିନ୍ ପୋର୍ଟାଲ୍) ମାଧ୍ୟମରେ ପଞ୍ଜିକରଣ କରିବାର ସୁବିଧା ରହିଛି । ଟୀକା ନେବା ପରେ ୩୦ ମିନିଟ୍ ପର୍ଯ୍ୟନ୍ତ କେନ୍ଦ୍ରର ପର୍ଯ୍ୟବେକ୍ଷଣରେ ରଖାଯିବ । ଏହା ପରେ ହାଲ୍କା ଯନ୍ତ୍ରଣା କିମ୍ବା ସାମାନ୍ୟ ଜ୍ୱର ହେବା ସ୍ୱାଭାବିକ, କିନ୍ତୁ ଏହା ଦୁଇ ତିନି ଦିନରେ ଭଲ ହୋଇଯାଏ । ଏହା ବ୍ୟତୀତ ଏହି ଟୀକାର କୌଣସି ଗୁରୁତର ପ୍ରତିକ୍ରିୟା ନାହିଁ । ଋତୁସ୍ରାବ ସମୟରେ ମଧ୍ୟ ଏହି ଟୀକା ନେବା ସମ୍ପୂର୍ଣ୍ଣ ସୁରକ୍ଷିତ । ତଥାପି ଯଦି ପୂର୍ବରୁ କୌଣସି ଟୀକା ନେବା ପରେ ଆଲର୍ଜି, ଗର୍ଭଧାରଣ କିମ୍ବା ଗୁରୁତର ଅସୁସ୍ଥ (ତୀବ୍ର ରକ୍ତହୀନତା, ନିମୋନିଆ, ଜ୍ୱର ଇତ୍ୟାଦି) ହୋଇଥାନ୍ତି, ସେମାନେ ଏହି ଟୀକା ନେବା ଉଚିତ ନୁହେଁ । ଯଦି ଏହି ଅଭିଯାନ ପୂର୍ବରୁ କେହି ମାନବ ପାପିଲୋମା ଭାଇରସ୍ ଟୀକା ନେଇଥାନ୍ତି, ତେବେ ତାଙ୍କୁ ପୁଣି ଟୀକା ନେବାର ଆବଶ୍ୟକତା ନାହିଁ । ଶୀତଳ ଶୃଙ୍ଖଳ (କୋଲ୍ଡ ଚେନ୍) ମାଧ୍ୟମରେ ଟୀକାଗୁଡ଼ିକର ପରିବହନ ଓ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି ।
ନାରୀ ସୁସ୍ଥ ହେଲେ ଯାଇ ସଶକ୍ତ ପରିବାରର ପରିକଳ୍ପନା କରାଯାଇପାରିବ । ଏହାକୁ ଅନୁଭବ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ୧୭ ସେପ୍ଟେମ୍ବର ୨୦୨୫ରେ ଆମ ସରକାରଙ୍କ ଦ୍ୱାରା "ସୁସ୍ଥ ନାରୀ, ଶସକ୍ତ ପରିବାର’ ଅଭିଯାନ ଆରମ୍ଭ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ମହିଳାମାନଙ୍କୁ ସ୍କ୍ରିନିଙ୍ଗ କରିବା ସହ ବ୍ୟାପକ ଜନସଚେତନତା କରାଯାଇଛି । ଏଥିରେ ଏକ କୋଟିରୁ ଅଧିକ (୧୦୭.୭୮ ଲକ୍ଷ) ମହିଳା ଅଂଶଗ୍ରହଣ କରିଥିଲେ । ୧.୦୨ ଲକ୍ଷ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିବା ବେଳେ ୨୫.୩୮ ଲକ୍ଷ ମହିଳାଙ୍କୁ ହାଇପରଟେନସନ୍ ଏବଂ ଡାୟବେଟିସ୍, ୯.୬୪ ଲକ୍ଷ କର୍କଟ, ୧୨.୦୬ ଲକ୍ଷ ଆନିମିଆ, ୧.୭୩ ଲକ୍ଷ ସିକଲ୍ ସେଲ୍, ୭.୯୮ ଲକ୍ଷଙ୍କୁ ଯକ୍ଷ୍ମା ସ୍କ୍ରିନିଙ୍ଗ କରାଯାଇଥିଲା । ଏହି ଅଭିଯାନରେ ୨୯,୮୨୯ ୟୁନିଟ୍ ରକ୍ତ ସଂଗ୍ରହ ସହ ୧୨,୪୫୧ ନିକ୍ଷୟ ମିତ୍ର ପଞ୍ଜୀକୃତ କରାଯାଇଥିଲା । ସେହିପରି ୩୧୧ କୋଟି ଟଙ୍କାର ବ୍ୟୟବରାଦରେ "ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ’ ଆରମ୍ଭ ହେବାକୁ ଯାଉଛି ।
ଏହା ମାଧ୍ୟମରେ ବ୍ୟାପକ ଗୋଷ୍ଠୀ ସଚେତନତା, ଗ୍ରାମାଞ୍ଚଳ ସ୍ତରରେ ସ୍କ୍ରିନିଙ୍ଗ, କର୍କଟ ପରୀକ୍ଷା ଶିବିର କରାଯିବା ସହ ଉନ୍ନତ ମାନର କର୍କଟ ଚିକିତ୍ସା ଯୋଗାଇ ଦିଆଯିବ । କର୍କଟ ଚିକିତ୍ସାଳୟ ମାଧ୍ୟମରେ ଏହାର ଆଗୁଆ ନିରୂପଣ, ସମୟୋଚିତ ଚିକିତ୍ସା, ବ୍ୟକ୍ତିଗତ ଯତ୍ନ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଏହି କ୍ଷେତ୍ରରେ ଗବେଷଣା ଏବଂ ନବସୃଜନର ଆବଶ୍ୟକତାକୁ ଅନୁଭବ କରି ଡିଜିଟାଲ ହବ୍ ଆଣ୍ଡ ସ୍ପୋକ୍ ମଡେଲ କାର୍ଯ୍ୟକାରୀ କରାଯିବ । ଚଳିତ କେନ୍ଦ୍ର ବଜେଟରେ ୧୭ଟି କର୍କଟ ଔଷଧରେ ଆମଦାନି ଶୁଳ୍କ ଛାଡ଼ କରିବା ସହ ପୂର୍ବରୁ ୧୨% ଓ ୫% ଜିଏସଟି ଥିବା କର୍କଟ ଔଷଧକୁ ଜିଏସଟି ଶୂନ୍ୟ ଓ ଅନ୍ୟ କେତେକ କର୍କଟ ଔଷଧକୁ ୧୨%ରୁ ହ୍ରାସକରି ୫% କରାଯିବା କର୍କଟ ରୋଗର ନିରାକରଣ ପ୍ରତି ଆମ ଦୃଢ଼ତାର ପରିଚୟ ଦିଏ ।
ନାରୀ ଶିକ୍ଷିତ ହେଲେ ପରିବାର ଶିକ୍ଷିତ ହୁଏ, ନାରୀ ସୁରକ୍ଷିତ ରହିଲେ ସମାଜ ସୁରକ୍ଷିତ ରୁହେ ଓ ନାରୀ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ତଥା ବିକଶିତ ହୋଇପାରିବ । ଏହାକୁ ହୃଦୟଙ୍ଗମ କରି ସୁସ୍ଥ ମାତୃତ୍ୱରୁ ସୁରକ୍ଷିତ ଭବିଷ୍ୟତର ଦୂରଦୃଷ୍ଟିକୁ ଅନୁଭବ କରିବା ସହ ଆମ ସରକାର ମାନବ ପାପିଲୋମା ଭାଇରସ୍ ସଂକ୍ରମଣ ନିବାରଣ ନିମନ୍ତେ ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଏହା କେବଳ ଏକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୁହେଁ, ବରଂ ନାରୀ ଓ ମାତୃତ୍ୱର ସୁରକ୍ଷା ପାଇଁ ଆମ ସଂକଳ୍ପ । ତେଣୁ କିଶୋରୀମାନେ ସାମିଲ ହେବା ସହ ବାପା-ମାଆ ଓ ଅଭିଭାବକମାନେ ଏଥିରେ ସହଯୋଗ କରିବା ପାଇଁ ମୋର ନିବେଦନ ।