ହେତୁବାଦୀ ଓ ପରମ୍ପରାବାଦୀ

ହେତୁବାଦ ହେଉ କି ପରମ୍ପରାବାଦ ହେଉ, ଯେଉଁ ଜ୍ଞାନ ନିଜକୁ ଏକମାତ୍ର ସତ୍ୟ ଭାବି ଅଧିକରୁ ଅଧିକ ପ୍ରଶ୍ନ ସୃଷ୍ଟି କରେନାହିଁ ସେହି ଜ୍ଞାନ ଶୀଘ୍ର ସମାପ୍ତ ହୋଇଯାଇଥାଏ । ଏହା ସତ୍ୟ ଯେ, କାଲି ଯାହା ସତ୍ୟ ଥିଲା ଆଜି ନାହିଁ ଏବଂ ଆଜି ଯାହା ସତ୍ୟ ଅଛି ତାହା କାଲିକି ରହିବ ନାହିଁ । ଏହା ହେଉଛି ସୃଷ୍ଟିର ନିୟମ । କାଲି ସକାଳେ ଯେ ସୂର୍ଯ୍ୟ ନିଶ୍ଚୟ ଉଦୟ ହେବେ, ଏ କଥା ମଧ୍ୟ ଶତ ପ୍ରତିଶତ ସତ୍ୟ ନୁହେଁ ।

ଥରେ ବ୍ରାହ୍ମସମାଜର ପ୍ରମୁଖ ହେତୁବାଦୀ କେଶବ ଚନ୍ଦ୍ର ସେନ ତତ୍କାଳୀନ ପରମ ଆଧ୍ୟାତ୍ମିକ ପୁରୁଷ ଶ୍ରୀରାମକୃଷ୍ଣ ପରମହଂସଙ୍କ ସହିତ ଦୀର୍ଘ ସମୟ ଯୁକ୍ତି କରି ଈଶ୍ୱର ନାହାଁନ୍ତି ଏବଂ ଏହା ଏକ ଅନ୍ଧବିଶ୍ୱାସ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ । ତାଙ୍କର ସୁଦୀର୍ଘ ବଳିଷ୍ଠ ଯୁକ୍ତି ଉପସ୍ଥାପନ ପରେ ରାମକୃଷ୍ଣ ତର୍କରେ ନିଜର ପରାଜୟ ସ୍ୱୀକାର କରି କହିଥିଲେ–କେଶବଚନ୍ଦ୍ର, ମୁଁ ତର୍କରେ ପରାଜିତ ହୋଇଛି ସତ, କିନ୍ତୁ ଆଗରୁ ମୋର ଈଶ୍ୱରଙ୍କ ଅସ୍ତିତ୍ୱ ସଂପର୍କରେ ଯାହା ବି ସାମାନ୍ୟତମ ସନ୍ଦେହ ଥିଲା ତାହା ଆଜି ଦୂର ହୋଇଗଲା । ଈଶ୍ୱର ନିଶ୍ଚୟ ଅଛନ୍ତି । କେଶବ ଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲେ– କିପରି? ରାମକୃଷ୍ଣ ପରମହଂସ ଉତ୍ତର ଦେଇ କହିଥିଲେ– କେଶବ, ଈଶ୍ୱରଙ୍କ ସହାୟତା ବିନା ଏ ଅଧମ ରାମକୃଷ୍ଣଙ୍କ ପରି ଲକ୍ଷ ଲକ୍ଷ ମୂର୍ଖ ସମ୍ଭବପର ହୋଇପାରନ୍ତି । କିନ୍ତୁ ତୁମ ପରି ଜଣେ ପରମ ବିଜ୍ଞାନୀ କଦାପି ସମ୍ଭବପର ନୁହେଁ । ତୁମର ଅସ୍ତିତ୍ୱ ହିଁ ଈଶ୍ୱରଙ୍କ ଅସ୍ତିତ୍ୱର ପ୍ରମାଣ ଦେଉଛି ।
ବନ୍ଧୁଗଣ, ଏହାର ପରବର୍ତ୍ତୀ ଘଟଣା ଇତିହାସରେ ଲିପିବଦ୍ଧ ହୋଇ ରହିଛି । କେଶବ ଚନ୍ଦ୍ର ସେନ ହୋଇଗଲେ ରାମକୃଷ୍ଣଙ୍କର ପରମ ଭକ୍ତ ଓ ଦୁହିଁଙ୍କ ସମ୍ପର୍କ ହେତୁବାଦ ଓ ଆଧ୍ୟାତ୍ମିକତାର ସମ୍ପର୍କର ସୃଷ୍ଟି କରିଥିଲା ଏକ ଅଦ୍ୱିତୀୟ ଉଦାହରଣ । ଆଜି ପ୍ରତ୍ୟହ ହେତୁବାଦୀ ଓ ପରମ୍ପରାବାଦୀମାନଙ୍କ ଭିତରେ କଳହ ଲାଗିଛି । ପ୍ରବଳ ତର୍କ ବିତର୍କ ଚାଲିଛି । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ନାହିଁ । ପରସ୍ପରକୁ ଟେକା ପଥର ଫିଙ୍ଗାଫିଙ୍ଗି ଚାଲିଛି । ଦୁହେଁ ନିଜ ନିଜ ଜିଦ୍ରେ ଅଟଳ ଓ ଦୁହେଁ ନିଜକୁ ଅଗାଧ ପାଣ୍ଡିତ୍ୟର ଅଧିକାରୀ ବୋଲି କହି ଅନ୍ୟକୁ ତିରସ୍କାର କରୁଛନ୍ତି ।
ଏକଦା ଶତାବ୍ଦୀର ସର୍ବଶ୍ରେଷ୍ଠ ବୈଜ୍ଞାନିକ ଆଇନଷ୍ଟାଇନ କହିଥିଲେ ଯେ, ବିଜ୍ଞାନ ବ୍ୟତୀତ ଧର୍ମ ହେଉଛି ଅନ୍ଧ ଓ ଧର୍ମ ବ୍ୟତୀତ ବିଜ୍ଞାନ ହେଉଛି ଛୋଟା । ଧର୍ମ ଓ ବିଜ୍ଞାନ ଦୁହେଁ ଅସମ୍ପୂର୍ଣ୍ଣ ଅଟନ୍ତି । ତେଣୁ ଅନ୍ଧ କାନ୍ଧରେ ଛୋଟା ଯଦି ବସି ଦିଗଦର୍ଶନ ଦିଅନ୍ତା ତେବେ ଦୁହେଁ ସୁରୁଖୁରରେ ରାସ୍ତା ପାର ହୋଇପାରନ୍ତେ । କିନ୍ତୁ ତାହା ନକରି ଯଦି “ତୁ ଅନ୍ଧ, ତୁ ଛୋଟା’ ବୋଲି ପରସ୍ପରକୁ ଗାଳିଗୁଲଜ କରନ୍ତି କିମ୍ବା ଟେକା ପଥର ଫିଙ୍ଗାପିଙ୍ଗି କରନ୍ତି ତେବେ ରାସ୍ତା ପାର ହେବା ତ ଦୂରର କଥା, ଦୁହେଁ କ୍ଷତବିକ୍ଷତ ହୋଇ ରାସ୍ତା ଉପରେ ପଡ଼ି ରହିବାର ସମ୍ଭାବନା ରହିଛି ।
ଥରେ ବୁଦ୍ଧଦେବଙ୍କୁ ଜଣେ ବ୍ୟକ୍ତି ସାକ୍ଷାତ କରି କହିଲେ– ପ୍ରଭୁ! ମୁଁ ଜଣେ ଆସ୍ତିକ । ମୁଁ ଭଗବାନଙ୍କ ଅସ୍ତିତ୍ୱକୁ ସ୍ୱୀକାର କରୁଛି । ବୁଦ୍ଧଦେବ କହିଲେ– ତୁମେ ଭୁଲ୍ କରୁଛ । କିଏ କହିଲା ଭଗବାନ ଅଛନ୍ତି ବୋଲି? ପର ମୁହୂର୍ତ୍ତରେ ଅନ୍ୟ ଜଣେ ଭକ୍ତ ଆସି କହିଲେ– ପ୍ରଭୁ! ମୁଁ ଜଣେ ନାସ୍ତିକ, ମୁଁ ଭଗବାନଙ୍କ ଅସ୍ତିତ୍ୱକୁ ସ୍ୱୀକାର କରେନାହିଁ । ବୁଦ୍ଧଦେବ କହିଲେ– ତୁମେ ଭୁଲ୍ କରୁଛ । କିଏ କହିଲା ଭଗବାନ ନାହାଁନ୍ତି ବୋଲି? ନିକଟରେ ଉପସ୍ଥିତ ଥିବା ଜଣେ ଭିକ୍ଷୁ ବୁଦ୍ଧଦେବଙ୍କୁ ପଚରିଲେ– ପ୍ରଭୁ! ଆପଣଙ୍କ ଏପରି ବିପରୀତ ମନ୍ତବ୍ୟ କାହିଁକି? ବୁଦ୍ଧଦେବ କହିଲେ– ଆସ୍ତିକ ହେଉ କି ନାସ୍ତିକ ହେଉ, ଦୁହେଁ ନିଜ ନିଜର ଚିନ୍ତାଧାରାରେ ବନ୍ଦୀ ହୋଇ ରହିଛନ୍ତି । ଯିଏ ଆସ୍ତିକ ସିଏ ଯଦି ସୁବର୍ଣ୍ଣ ଶିକୁଳିରେ ବନ୍ଧା ହୋଇ ରହିଛି, ଯିଏ ନାସ୍ତିକ ସିଏ ଲୌହ ଶିକୁଳିରେ ବନ୍ଧା ହୋଇ ରହିଛି । ମୁଁ ଚାହୁଁଛି ଦୁହେଁ ଶିକୁଳିମୁକ୍ତ ହୋଇ ଅଧିକରୁ ଅଧିକ ଆନନ୍ଦରେ ବିଚରଣ କରନ୍ତୁ ଓ ଭଗବାନଙ୍କ ସମ୍ପର୍କରେ ନିଜର ସିଦ୍ଧାନ୍ତକୁ ଏକମାତ୍ର ସତ୍ୟ ବୋଲି କହି ଗର୍ବ ନକରନ୍ତୁ ।
ହେତୁବାଦ ହେଉ କି ପରମ୍ପରାବାଦ ହେଉ, ଯେଉଁ ଜ୍ଞାନ ନିଜକୁ ଏକମାତ୍ର ସତ୍ୟ ଭାବି ଅଧିକରୁ ଅଧିକ ପ୍ରଶ୍ନ ସୃଷ୍ଟି କରେନାହିଁ ସେହି ଜ୍ଞାନ ଶୀଘ୍ର ସମାପ୍ତ ହୋଇଯାଇଥାଏ । ଏହା ସତ୍ୟ ଯେ, କାଲି ଯାହା ସତ୍ୟ ଥିଲା ଆଜି ନାହିଁ ଏବଂ ଆଜି ଯାହା ସତ୍ୟ ଅଛି ତାହା କାଲିକି ରହିବ ନାହିଁ । ଏହା ହେଉଛି ସୃଷ୍ଟିର ନିୟମ । କାଲି ସକାଳେ ଯେ ସୂର୍ଯ୍ୟ ନିଶ୍ଚୟ ଉଦୟ ହେବେ, ଏ କଥା ମଧ୍ୟ ଶତ ପ୍ରତିଶତ ସତ୍ୟ ନୁହେଁ । ତେଣୁ ସ୍କଟଲାଣ୍ଡର ଜଣେ ବିଶିଷ୍ଟ ଦାର୍ଶନିକ ଡାଭିଡ ହ୍ୟୁମ କହିଥିଲେ “ଆସନ୍ତାକାଲି ସୂର୍ଯ୍ୟ ଉଦୟ ହୋଇପାରନ୍ତି’, ଅର୍ଥାତ୍ ନହେବାର ମଧ୍ୟ ଏକ ସୂକ୍ଷ୍ମରୁ ସୂକ୍ଷ୍ମ ପ୍ରତିଶତ ସମ୍ଭାବନା ରହିଛି । ଯେତେବେଳେ ସଂସାରର ଏତେ ବଡ଼ ନିଶ୍ଚିତ ସତ୍ୟ ଉପରେ ପ୍ରଶ୍ନବାଚୀ ଲାଗୁଛି, ସେତେବେଳେ ଆପଣମାନେ କିଏ?
ବୋଧହୁଏ ଏହି କାରଣରୁ ଆମର ମହାନ ଧର୍ମ ହିନ୍ଦୁଧର୍ମ ହେତୁବାଦ ଓ ଆଧ୍ୟାତ୍ମିକବାଦ ଉଭୟ ଚିନ୍ତନକୁ ସମ୍ମାନ ପ୍ରଦର୍ଶନ କରି ସମସ୍ତଙ୍କୁ ନିଜ ନିଜର ଜ୍ଞାନ ବିକିରଣ କରିବାକୁ ସୁଯୋଗ ଦେଇଆସିଛି । ମନେ ପକାନ୍ତୁ ହିନ୍ଦୁ ଧର୍ମର ଚାର୍ବାକ ନାମକ ଜଣେ ବିଶିଷ୍ଟ ହେତୁବାଦୀ ଥିଲେ, ଯିଏ କହିଥିଲେ– “ଋଣଂ କୃତ୍ୱା ଘୃତମ୍ ପିବେତ, ଯାବତ ଜୀବେତ ସୁଖମ୍ ଜୀବେତ, ଭସ୍ମିଭୂତସ୍ୟ ହେହସ୍ୟ ପୁନରାଗମନଂ କୁତଃ ।” ତାଙ୍କର ଏହିପରି ଧର୍ମବିରୋଧୀ ବକ୍ତବ୍ୟ ସତ୍ତେ୍ୱ ହିନ୍ଦୁ ଧର୍ମ ଚାର୍ବାକଙ୍କୁ ସମ୍ମାନ ଜଣେଇ ତାଙ୍କୁ ଆମ ଧର୍ମରେ ଜଣେ ଋଷି ହିସାବରେ ମାନ୍ୟତା ଦେଇଆସିଛି । ବୁଦ୍ଧଦେବ ହିନ୍ଦୁ ଧର୍ମର ଦେବଦେବୀଙ୍କୁ ଅସ୍ୱୀକାର କରି ବୌଦ୍ଧ ଧର୍ମ ପ୍ରସାର କରିଥିଲେ, ଯେଉଥିପାଇଁ ହିନ୍ଦୁ ଧର୍ମ ସଂକଟାପନ୍ନ ହୋଇପଡ଼ିଥିଲା । ତଥାପି ହିନ୍ଦୁ ଧର୍ମ ବୁଦ୍ଧଦେବଙ୍କୁ ଭଗବାନଙ୍କର ଏକ ଅବତାର ବୋଲି ଗ୍ରହଣ କରି ଦଶାବତାରରେ ନବମ ସ୍ଥାନ ଦେଇଛି ।
ଥରେ ଭାବନ୍ତୁ । ଏ ଦୁନିଆରେ ଅନେକ ଅନ୍ଧବିଶ୍ୱାସ ଅଛି, ରହିଛି ଓ ରହିବ ମଧ୍ୟ । ଯେଉଁ ଅନ୍ଧବିଶ୍ୱାସ ମାରାତ୍ମକ ଓ କ୍ଷତିକାରକ ଯଥା– ବାଲ୍ୟବିବାହ, ବୈଧବ୍ୟ ଯନ୍ତ୍ରଣା, ଯୌତୁକ ପ୍ରଥା ଓ ପଶୁହତ୍ୟା³ ତାହାକୁ ତୁରନ୍ତ ଦୂର କରିବାକୁ ପଦକ୍ଷେପ ନିଆଯାଉ । କିନ୍ତୁ ଯେଉଁ ଅନ୍ଧବିଶ୍ୱାସ ଏକ ସରଳ ବିଶ୍ୱାସ ଉପରେ ଆଧାରିତ ଓ ମାରାତ୍ମକ ନୁହେଁ, କି ପାଳନ କରିବାକୁ ବାଧ୍ୟବାଧକତା ନୁହଁ ତାହା ପିଢ଼ି ପରେ ପିଢ଼ି ଆପେ ଆପେ ଦୂର ହୋଇଯିବ ।
ଆଜି ବି ମା’ଟିଏ ପୁଅ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଦହି ଟିକିଏ ଖୁଆଇ ଦେଉଛି ଏବଂ ଅତ୍ୟନ୍ତ ବୈଜ୍ଞାନିକ କୁହାଯାଉଥିବା ପାଶ୍ଚାତ୍ୟ ଦେଶରେ ମଧ୍ୟ ତେର ନମ୍ବରକୁ ଅଶୁଭ ମାନି କୌଣସି ତାରକା ହୋଟେଲରେ ଏହି ନମ୍ବରର ପ୍ରକୋଷ୍ଠ ରଖାଯାଉନାହିଁ । ଏହା ନିଶ୍ଚୟ କାଳକ୍ରମେ ପରିବର୍ତ୍ତନ ହୋଇଯିବ । କିନ୍ତୁ “ମା’ ତୁ କାହିଁକି ଦହି ଖୁଆଉଛୁ’ ବୋଲି କହି ଗାଳିଗୁଲଜ କରିବା କି କୌଣସି ହୋଟେଲ ସାମ୍ନାରେ ଛିଡ଼ା ହୋଇ ଏହା ବିରୁଦ୍ଧରେ ପ୍ରତିବାଦ କରିବା ଶୋଭନୀୟ ହୋଇନଥାଏ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ସରଳ ବିଶ୍ୱାସୀ ହିନ୍ଦୁମାନେ ପାକତ୍ୟାଗ କରିଥାନ୍ତି । ଏହା ବୈଜ୍ଞାନିକ ହୋଇନପାରେ । କିନ୍ତୁ ଏମାନଙ୍କୁ ତିରସ୍କାର କରି ଏମାନଙ୍କ ସାମ୍ନାରେ ମାଛ ମାଂସ ଓ ବିରିୟାନୀ ଇତ୍ୟାଦି ଖାଇବା ଏକ ବୈଜ୍ଞାନିକ ମନୋଭାବର ପରିଚୟ ଦେଇନଥାଏ ।