- ଆରମ୍ଭ ହେଲାଣି ପ୍ରକୋପ, ଆଗକୁ ଭୟଙ୍କର ତାତି
- କ୍ରମାଗତ ତାପମାତ୍ରା ବୃଦ୍ଧି, ରାଜ୍ୟ ପାଇଁ ଟାଣି ଆଣୁଛି ବିପଦ
- ୧୯୯୧ରୁ ଏଯାଏ କେବଳ ଉତ୍ତାପ ବୃଦ୍ଧି ପାଇଛି
- ପ୍ରତିବର୍ଷ ୦.୦୨ ଡିଗ୍ରୀ ସେଲସିୟସ ବଢୁଛି ତାତି
ଭୁବନେଶ୍ବର, ୦୮/୦୨: ମକର ସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ । ଏହି ଦିନ ଠାରୁ ଖରର ତେଜ ବଢ଼େ । ସମସ୍ତେ କହନ୍ତି, ଏବେ ଆରମ୍ଭ ହେଲା, ଆଗକୁ ଦେଖ କ’ଣ ହେଉଛି । ଦିନ ଗଡ଼ିବା ସହିତ ଧୀରେ ଧୀରେ ଘରୁ ବାହାରିବା ବି ମୁସ୍କିଲ୍ ହୋଇଯାଏ । ବେଳେବେଳେ ମନରେ ପ୍ରଶ୍ନ ଉଠେ ଏ ଗ୍ରୀଷ୍ମ ଋତୁ ଆସିଲେ କାହିଁକି ଜୋରରେ ଖରା କାଟେ ? ଏହାର କ’ଣ କିଛି ନିରାକରଣ ନାହିଁ ? ଏଭଳି ଭିତରେ ସରକାରୀ ରିପୋର୍ଟ ଆହୁରି ଚିନ୍ତା ବଢ଼ାଇ ଦିଏ । ତଥ୍ୟ କହୁଛି, ୧୯୯୧ ମସିହାରୁ ଆଜି ଯାଏ କେବଳ ତାପମାତ୍ରା ବୃଦ୍ଧି ପାଇଛି କିନ୍ତୁ ହ୍ରାସର ନାଁ ଧରୁନି। ଏହି ରିପୋର୍ଟରୁ ଜାଣିବା କାହିଁକି କ୍ରମାଗତ ଭାବେ ବଢ଼ୁଛି ତାପମାତ୍ରା ?
ବାର୍ଷିକ ହାରାହାରି ତାପମାତ୍ରା ରାଜ୍ୟ ପାଇଁ ବଡ଼ ବିପଦ । ୧୯୯୧ରୁ ଏଯାଏ କେବଳ ଉତ୍ତାପ ବୃଦ୍ଧି ପାଇଛି, ହେଲେ କମିବାର ତଥ୍ୟ କାହା ପଖରେ ନାହିଁ । ଏଥିପାଇଁ ଦାୟି କିଏ ? ଜଙ୍ଗଲ ନିଆଁ, ନା ପ୍ରଦୂଷଣ, ନା ନିଅଣ୍ଟିଆ ବର୍ଷା । ରିପୋର୍ଟ କହୁଛି, କ୍ରମାହତ ତାପମାତ୍ରା ବୃଦ୍ଧି ପାଇଁ ଏସବୁ ମୁଖ୍ୟ କାରଣ । ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଜଙ୍ଗଲ କ୍ଷୟ । ପ୍ରଦୂଷଣ ପାଇଁ ଗ୍ରୀନ୍ ହାଉସ୍ ଗ୍ୟାସ୍ ବଢ଼ୁଛି ଏବଂ ଏହା ଜଳବାୟୁ ପ୍ରଭାବିତ କରୁଛି । ସେହିପରି ନିଅଣ୍ଟିଆ ବର୍ଷା ହେବା ଯୋଗୁଁ ସମସ୍ୟା ଉପୁଜୁଛି । ଯଦି ରାଜ୍ୟରେ ହାରାହାରି ତାପମାତ୍ର ବୃଦ୍ଧି ପାଉଛି, ତେବେ ତାହା କେତେ ବଢିଲାଣି ଏବଂ ଆଗାମୀ ଦିନରେ ଆହୁରି କେତେ ବଢ଼ିବ ? ଏଭଳି ପ୍ରଶ୍ନ ପରିବେଶବିତ୍ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହି ଗମ୍ଭୀର ସମସ୍ୟା ଓ ବିପଦକୁ ଦୃଷ୍ଟରେ ରଖି ବିଧାନସଭା ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ବିଧାନସଭାର ଉତ୍ତରରେ ଉଲ୍ଲେଖ ରହିଛି ଯେ ୧୯୯୧ରୁ ଏପର୍ଯ୍ୟନ୍ତ ବାର୍ଷିକ ହାରାହାରି ତାପମାତ୍ରା ବୃଦ୍ଧି ପାଇଛି ।
ରେକର୍ଡ କହୁଛି, ୧୯୯୧ରେ ବାର୍ଷିକ ହାରାହାରି ତାପମାତ୍ରା ଥିଲା ୨୬ ଡିଗ୍ରୀ । ସେହିଭଳି ୨୦୦୯ ବେଳକୁ ତାପମାତ୍ରା ବଢ଼ି ୨୬:୬୦ ଡିଗ୍ରୀରେ ପହଞ୍ଚିଥିଲା । ଅର୍ଥାତ୍ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୬୦ ଡିଗ୍ରୀ । ସେହି ବର୍ଷ ପ୍ରବଳ ଖରା ମଧ୍ୟ ଅନୁଭୂତ ହୋଇଥିଲା। ସେହିପରି ୨୦୦୯ରୁ ୨୦୨୪ ଯାଏଁ ତାପମାତ୍ରା ଦୃତଗତିରେ ବଢ଼ି ଚାଲିଛି। ୨୦୨୪ ବର୍ଷରେ ୨୬:୮୦ ହାରାହାରି ତାପମାତ୍ରା ରେକର୍ଡ କରାଯାଇଛି । ବିଗତ କିଛି ବର୍ଷରେ ତାପମାତ୍ରା ୨୬:୬୦ ଡିଗ୍ରୀରୁ ହ୍ରାସ ପାଉନାହିଁ । ଯାହା ଘୋର ଚିନ୍ତାର ବିଷୟ ପାଲଟିଛି। ତାପମାତ୍ରା ବୃଦ୍ଧିକୁ ନେଇ ପରିବେଶବିତ୍ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି। ଖରାଦିନେ ଜଙ୍ଗଲ ନିଆଁ, ଦୀର୍ଘ ସମୟ ଗ୍ରୀଷ୍ମ ଲହରୀ, ନିଅଣ୍ଟିଆ ପରିମାଣ ଓ ଅନିମିୟତା ବର୍ଷା, ଯାନବାହାନ ଜନିତ ପ୍ରଦୂଷଣ, ରାସ୍ତାର ଧୂଳି, ଘର ନିର୍ମାଣରୁ ବାହାରୁଥିବା ଧୂଳିଧୂଆଁ, ଇଟାଭାଟି ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ କାରଣ ତାପମାତ୍ରା ବୃଦ୍ଧି କରୁଛି ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଏ ସବୁର ପ୍ରତିକାର ଲାଗି ସରକାର କି ପଦକ୍ଷେପ ନେଉଛନ୍ତି ? ବିଧାନସଭାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହାର ଉତ୍ତର ରଖିଥିଲେ । ମନ୍ତ୍ରୀ ସ୍ବୀକାର କରିଛନ୍ତି, ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଉତ୍ତାପର ପ୍ରଭାବ ଓଡ଼ିଶାରେ ପରିଲକ୍ଷିତ ହେଉଛି । ଏହା ଯୋଗୁଁ ରାଜ୍ୟରେ ହାରାହାରି ତାପମାତ୍ରା ୧୯୯୧ରୁ ପ୍ରତିବର୍ଷ ପ୍ରାୟ ୦.୦୨ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାରେ ଲାଗିଛି । ୧୯୯୧-୨୦୨୪ ବର୍ଷ ମଧ୍ୟରେ ଓଡ଼ିଶାର ହାରାହାରି ତାପମାତ୍ରା ପ୍ରାୟ ୦.୬୬ ଡିଗ୍ରୀ ସେଲସିୟସ ବଢ଼ିଛି ।
ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ?
(୧) ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ରାଜ୍ୟ ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା, ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରାଉଛନ୍ତି । ଏହା ୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଏହାର ଅବଧି ୨୦୩୦ ପର୍ଯ୍ୟନ୍ତ ରହିଛି ।
(୨) ପ୍ରତିବର୍ଷ ବିଭିନ୍ନ ବନୀକରଣ ଯୋଜନାରେ ବ୍ୟାପକ ବୃକ୍ଷରୋପଣ କରାଯାଉଅଛି । ବିଗତ ୫ ବର୍ଷରେ ବନୀକରଣ ଯୋଜନାରେ ୩୫,୯୧୫ ହେକ୍ଟର ଜମିରେ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରାଯାଇଛି । ୧,୩୯୧.୮ ଲକ୍ଷ ବୃକ୍ଷରୋପଣ କରାଯାଇଛି। ବୃକ୍ଷରୋପଣ ବାଦ୍ ୧,୨୭୮ ଲକ୍ଷ ଚାରା ବଣ୍ଟନ କରାଯାଇଛି ।
(୩) ଅସ୍ବାଭାବିକ ଭାବେ ବୃଦ୍ଧି ପାଉଥିବା ତାପମାତ୍ରାର ପ୍ରକୋପ ତଥା ଗ୍ରୀଷ୍ମ ପ୍ରବାହ ହ୍ରାସ କରିବା ଲାଗି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପଦକ୍ଷେପ ନେଇଛି । ସମସ୍ତ ୩୦ଟି ଜିଲ୍ଲା ଓ ଭୁବନେଶ୍ବର ଏବଂ କଟକ ମହାନଗର ନିଗମରେ ଅଂଶୁଘାତ ପ୍ରଭାବକୁ ପ୍ରତିହତ କରିବା ପାଇଁ ‘Heat Wave Action Plan’ ପ୍ରସ୍ତୁତ କରାଯାଇଅଛି ।
(୪) OSDMA 3 Council on Environment Energy and Water (CEEW)ର ମିଳିତ ସହଯୋଗରେ ୧୦ଟି ପୌରାଞ୍ଚଳ ପାଇଁ ‘ହିଟ୍ ଓ୍ବେଭ୍ ଆକ୍ସନ ପ୍ଲାନ୍’ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ୩୧ଟି ପୌରାଞ୍ଚଳରେ ‘ହିଟ୍ ଓ୍ବେଭ୍ ଆକ୍ସନ ପ୍ଲାନ୍’ ପ୍ରସ୍ତୁତ କରିବା ପାଇଁ ଯୋଜନା ଚାଲିଛି I
(୫) ଆବଶ୍ୟକ ସ୍ଥଳେ ବିଦ୍ୟାଳୟ ଗୁଡ଼ିକରେ ନିର୍ଦ୍ଧାରଣ କରାଯାଇଥିବା ସମୟ ସାରଣୀକୁ ପରିବର୍ତ୍ତନ କରାଯାଇଥାଏ । ସ୍କୁଲ ଗୁଡ଼ିକରେ ପିଲାଙ୍କୁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି । ଛାତ୍ରଛାତ୍ରୀଙ୍କୁ ଖରାକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସରକାରଙ୍କ ଅନେକ ଯୋଜନା ଓ କାର୍ଯ୍ୟନୁଷ୍ଠାନ ସତ୍ତ୍ୱେ ୬ ଋତୁ ଭିତରୁ କେବଳ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପ ଅନୁଭୂତ ହୋଇଥାଏ । ଏପଟେ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବାରୁ ଏଥର ଗ୍ରୀଷ୍ମ ଋତୁରେ ତାତି ଆଉ କିଛି ନୂଆ ରେକର୍ଟ ସୃଷ୍ଟି କରିବପାରେ ବୋଲି ଆଶଂକା ରହିଛି ।...
ଅଧିକ ପଢ଼ନ୍ତୁ- ମହାଶିବରାତ୍ରୀ ସ୍ୱତନ୍ତ୍ର; ଜାଣନ୍ତୁ ଶ୍ରୀଲିଙ୍ଗରାଜଙ୍କ ପୌରାଣିକ ଗାଥା, ଶ୍ରୀଜିଉଙ୍କ ନୀତି, ହରିହର ଭେଟରୁ ପାତାଳଭେଦୀ ଲିଙ୍ଗ ଯାଏ…