ଭୁବନେଶ୍ୱର ୦୮/୦୨ (ପ୍ରସ୍ତୁତି: ବିଜୟ ମିଶ୍ର): ଶିବମୟ ଏକାମ୍ର କ୍ଷେତ୍ର । ମହାଦେବଙ୍କ ସାନ୍ନିଧ୍ୟରେ ଭରିରହିଛି ଏହାର ମାଟି, ପାଣି ଓ ପବନ । ଏକଦା ଶିବଙ୍କ ତ୍ରିଶୁଳ ମୁନରେ ସୃଷ୍ଟି ହୋଇଥିଲା ଏଠି ସକଳ ପୁଣ୍ୟତୋୟାର ସମାହାର ବିନ୍ଦୁସାଗର । ସ୍ୱୟଂ ଶିବଙ୍କ ମୁଖନିଃସୃତ ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଗୁଞ୍ଜରିତ ଏହି ପବିତ୍ର କ୍ଷେତ୍ର- ଏକାମ୍ର କ୍ଷେତ୍ର । ଯେଉଁଠି ପ୍ରତି ମୁହୂର୍ତ୍ତରେ ଶୁଭେ ଶିବ... ଶିବ...ର ଗୁଞ୍ଜରଣ । ଓଁକାର ଧ୍ୱନିରେ ମନପ୍ରାଣ ଗାଏ ଶିବଙ୍କ ମହିମା । ଇଏ ସେହି ମାଟି ଯେଉଁମାଟିର ଅଧିଷ୍ଠାତା ସ୍ୱୟଂଭୂ ଶ୍ରୀଲିଙ୍ଗରାଜ । ଦେବ ଦେବ ମହାଦେବଙ୍କ ମହାଶିବରାତ୍ରି ଉପଲକ୍ଷେ ‘ପ୍ରମେୟ’ ପ୍ରସ୍ତୁତ ‘ଓଁ ନମଃ ଶିବାୟ’ର ସ୍ୱତନ୍ତ୍ର ଉପସ୍ଥାପନାରେ ଏକାମ୍ରର ଅଧିପତି ଶ୍ରୀଲିଙ୍ଗରାଜଙ୍କ ମହିମା...

କାହିଁକି ପାଳନ୍ତି ମହାଶିବରାତ୍ରି?

ଉପବାସ ବ୍ରତ ପାଳି, ରାତି ଉଜାଗର ରହି ମହାଦେବଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଜାଳି ନିଷ୍ଠାର ସହିତ ମହାପ୍ରଭୁଙ୍କୁ ସୁମରଣା କରିବାକୁ ଭକ୍ତଙ୍କ ମଧ୍ୟରେ ଏତେ ଉତ୍କଣ୍ଠା, ଉଦ୍ଦୀପନା କାହିଁକି? ଏହା ପଛରେ ରହିଛି ଅନେକ ପୌରାଣିକ ଗାଥା । ସେଥିମଧ୍ୟରୁ ସର୍ବାଧିକ ପ୍ରଚଳିତ କାହାଣୀ ହେଉଛି ସମୁଦ୍ର ମନ୍ଥନ କାଳରେ ସଂହାରକର୍ତ୍ତାଙ୍କ ବିଶ୍ୱରକ୍ଷା ପ୍ରତି ଅବଦାନ । ମହାପ୍ରଭୁ ବିଷ୍ଣୁ କୁର୍ମ ଅବତାର ଗ୍ରହଣ କରି ମହାସମୁଦ୍ରରେ ଅବସ୍ଥାନ କରିଥାନ୍ତି । ସେଥିରେ ନାଗରାଜ ବାସୁକୀଙ୍କୁ ଦଉଡ଼ି ଭଳି ଗୁଡ଼ାଇ ମୁଖ ପଟେ ଦେବତା ଓ ଲାଞ୍ଜ ପଟେ ଅସୁର ରହି ସମୁଦ୍ରକୁ ଦଧିଭାଣ୍ଡ ଭଳି ମନ୍ଥନ କରୁଥାନ୍ତି । ଦିନରାତି ମନ୍ଥନ ଚାଲିଲା । ଫଳ ସ୍ୱରୂପ ମହାସମୁଦ୍ରରୁ ମହାଲକ୍ଷ୍ମୀ, ଅପସରା, ଅମୃତ ଭାଣ୍ଡ ଭଳି ଅନେକ ଅନନ୍ୟ ଜିନିଷ ଦେବତା ଓ ଅସୁରଙ୍କ ହସ୍ତଗତ ହେଲା । ୧୨ ଦିନ ଅବିରତ ମନ୍ଥନ ଚାଲିବା ଫଳରେ ଚାପ ସମ୍ଭାଳି ପାରିଲେନି ନାଗରାଜ ବାସୁକୀ । ତାଙ୍କ ମୁଖରୁ ଅନର୍ଗଳ ଭାବେ ହଳାହଳ ବିଷ ନିର୍ଗତ ହୋଇ ମାଟି, ପାଣି, ପବନକୁ ବିଷାକ୍ତ କରିଦେଲା । ଫଳରେ ବିଶ୍ୱରେ ଜୀବଜଗତ ପ୍ରତି ସଙ୍କଟ ଘୋଟି ଆସିଲା । ଏହି ସଙ୍କଟରୁ ପରିତ୍ରାଣ ପାଇଁ ଦେବତା, ମନୁଷ୍ୟ ଓ ଅସୁର ସମସ୍ତେ ମହାଦେବଙ୍କ ନିକଟରେ ଶରଣ ପଶିଲେ । ବିଷ ଦାଉରୁ ବିଶ୍ୱକୁ ରକ୍ଷା କରିବା ଲାଗି ମହାଦେବ ଶିବ ମନ୍ଥନସ୍ଥଳରେ ଆବିର୍ଭାବ ହେଲେ । ନାଗରାଜ ବାସୁକୀଙ୍କ ହଳାହଳ ବିଷକୁ ଆକଣ୍ଠ ପାନ କଲେ । ବିଷ ପ୍ରଭାବରେ ମହାଦେବଙ୍କ କଣ୍ଠ ନୀଳରଙ୍ଗ ହୋଇଗଲା । ପ୍ରଭୁ ଅଚେତ ହୋଇଗଲେ । ମହାପ୍ରଭୁଙ୍କୁ ସଚେତ କରିବା ଲାଗି ଦେବତା, ମନୁଷ୍ୟ ଓ ଅସୁର ସମାଜ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହାଦେବଙ୍କୁ ଆକୁଳ କଣ୍ଠରେ ଡାକ୍ତଲେ । ଶେଷରେ ମହାପ୍ରଭୁ ବିଷ ପ୍ରଭାବରୁ ମୁକ୍ତ ହୋଇ ସମସ୍ତଙ୍କୁ ଦର୍ଶନ ଦେଇ ଆଶୀର୍ବାଦ ପ୍ରଦାନ କଲେ । ସେହିଦିନର ସନ୍ତକ ଅନୁଯାୟୀ ଫଗୁଣ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ମହାଦେବଙ୍କୁ ଆରାଧନା କରି ସମଗ୍ର ମାନବ, ଦେବତା ଓ ଅସୁର ଆଶୀର୍ବାଦ ଲାଭ କରି ଆସୁଛନ୍ତି ।

ହରିହର ଭେଟ :

ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରିର ସବୁଠାରୁ ଅନନ୍ୟ ନୀତି ହେଉଛି ହରିହର ଭେଟ । ଶୈବ ଓ ବୈଷ୍ଣବଙ୍କ ସମନ୍ୱୟ ଭିତ୍ତିକ ଏହି ପରମ୍ପରା ଆବହମାନ କାଳରୁ ଚାଲିଆସିଛି । ତେବେ ଏହି ପରମ୍ପରା ଦର୍ଶନର ଭାଗ୍ୟ ସମସ୍ତଙ୍କୁ ମିଳେନି । କାରଣ ଠାକୁରଙ୍କ ଚତୁର୍ଥ ପ୍ରହର ନୀତି ସମାପନ ପରେ ଏହି ପରମ୍ପରା ସମ୍ପନ୍ନ ହୁଏ । ବିଷ୍ଣୁଙ୍କ ଅବତାର କ୍ଷେତ୍ରାଧିପତି ଅନନ୍ତ ବାସୁଦେବ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଜେ ହୁଅନ୍ତି । ଶୁଭ ମୁହୂର୍ତ୍ତରେ ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଗମ୍ଭୀରା ଶ୍ରୀଜିଉଙ୍କ ଶକ୍ତିଦେଶ ଠାରୁ କିଛି ବ୍ୟବଧାନରେ ଥିବା ଖଣ୍ଡଗିରି ବାଡ଼ରେ ବିଜେ କରନ୍ତି । ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ପୂଜାପଣ୍ଡା ସେବାୟତ ଓ ଅନନ୍ତ ବାସୁଦେବଙ୍କ ପକ୍ଷରୁ ପୂଜାପଣ୍ଡା ସେବାୟତ ମନ୍ତ୍ରୋଚ୍ଚାରଣ ପୂର୍ବକ ଉଭୟ ଜିଉଙ୍କ ପାରମ୍ପରିକ ଭେଟଘାଟ ବିଧିମତେ ସମ୍ପନ୍ନ କରନ୍ତି ।

ଭକ୍ତିମୟ ବାତାବରଣ :

ଦିନ ଥିଲା ମହାଶିବରାତ୍ରିର ୭ ଦିନ ପୂର୍ବରୁ ଶିବ ଉପାସନା ପାଇଁ ଅହୋରାତ୍ର ସଂକୀର୍ତ୍ତନ, ଖୋଳ କରତାଳରେ ପ୍ରକମ୍ପିତ ହେଉଥିଲା ଏକାମ୍ରକ୍ଷେତ୍ର । ମହାଶିବରାତ୍ରି ଦିନ ଲକ୍ଷ ଲକ୍ଷ ପ୍ରଦୀପ ପ୍ରଜ୍ଜ୍ୱଳନରେ ଝଲସି ଉଠୁଥିଲା ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏହାର ଚତୁର୍ଦ୍ଦିଗ । ମହାଦୀପ ଉଠିବା ପରେ ମଧ୍ୟ ଭକ୍ତ ଗଣ ରାତିତମାମ ଉଜାଗର ରହି ଦୀପ ଜାଳି ବସୁଥିଲେ । ଏବେ ସମୟ ବଦଳିଛି । ସାଜସଜ୍ଜାରେ ପ୍ରଦୀପର ସ୍ଥାନ ନେଇଛି ରଙ୍ଗିନ ବିଦ୍ୟୁତ ଆଲୋକମାଳା । ଲକ୍ଷାଧିକ ଲୋକେ ଦୀପ ଜାଳୁଛନ୍ତି ସତ, କିନ୍ତୁ ମହାଦୀପ ଉଠିବା ପରେ ପ୍ରାୟ ଭକ୍ତ ବ୍ରତ ସମାପନ କରି ଉଠି ଯାଉଛନ୍ତି । ସେହିଭଳି ସଂକୀର୍ତ୍ତନର ସ୍ଥାନ ନେଇଛି ଭଜନ ସମାରୋହ ଓ ପ୍ରବଚନ କାର୍ଯ୍ୟକ୍ରମ । ସିଧା ସଳଖ ପ୍ରସାରଣରେ ଲୋକେ ଘରେ ବସି ଟେଲିଭିଜନରେ ଠାକୁରଙ୍କ ନୀତି ଓ ମହାଦୀପ ଦର୍ଶନ ଲାଭ କରି ପାରୁଛନ୍ତି ।

ନାଗସାପଙ୍କ ବାସସ୍ଥାନ :

ମହାପ୍ରଭୁ ଯେଉଁଠି ବିଦ୍ୟମାନ ସେଠାରୁ ତାଙ୍କ ଆଦରର ବାହନ କିପରି ଦୂରେଇ ରହିବ । ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସହିତ ବେଢ଼ାତମାମ ନାଗସାପଙ୍କ ଅହରହ ଆତଯାତ । ରୋଷଘର କୁଡ଼ୁଆ ଭିତରେ ହେଉ କି ଭୋଗମଣ୍ଡପ ସବୁଠି ନାଗସାପ ପୋଷା ଜନ୍ତୁ ପରି ଏପାଖ ସେପାଖ ହେଉଥାନ୍ତି । ବେଢ଼ା ଭିତରେ ଥିବା ଅନେକ ପାଶ୍ୱର୍ଦେବଙ୍କ ପୀଠରେ ମଧ୍ୟ ନାଗସାପ ନିଜର ବସା ବନାଇଥାନ୍ତି । ଏହି ନାଗସାପଙ୍କୁ ଦେଖିଲେ ଭକ୍ତଗଣ ମୁଣ୍ଡିଆ ମାରନ୍ତି ସିନା, କେହି କ୍ଷତି ପହଞ୍ଚାଇବାକୁ ସାହସ କରନ୍ତି ନାହିଁ ।

ପାତାଳଭେଦୀ ଲିଙ୍ଗ :

ମହାପ୍ରଭୁଙ୍କ ଲିଙ୍ଗଦେଶ ପାତାଳଭେଦୀ ବୋଲି ବିଦିତ । ଉପରକୁ ସାମାନ୍ୟ ଦୃଶ୍ୟମାନ ସ୍ୱୟଂଭୂଙ୍କ ଲିଙ୍ଗଦେଶ ଭୂତଳର କେତେଦୂର ଯାଏ ରହିଛି ତାହାର ଆଦିଅନ୍ତ ଏଯାଏ କେହି ପାଇନାହାନ୍ତି । ମହାପ୍ରଭୁଙ୍କ ମସ୍ତକରେ ଲାଗି ହେଉଥିବା ପବିତ୍ର ଜଳ, କ୍ଷୀର, ନାରିକେଳ ଜଳ ଆଦି ପାଦୁକ ଭାବେ ଏକ ଭୂତଳ ନିଷ୍କାସନ ପ୍ରଣାଳୀରେ ପ୍ରବାହିତ ହୋଇ ମନ୍ଦିର ପଶ୍ଚିମ କୋଣରେ ଥିବା ପାପନାଶିନୀ କୁଣ୍ଡରେ ପଡ଼େ । ମହାପ୍ରଭୁଙ୍କ ପାଦୁକ ସ୍ପର୍ଶରେ ପବିତ୍ର ପାପନାଶିନୀରେ ସ୍ନାନ କଲେ ସଂସାରର ସମସ୍ତ ପାପ ଧୋଇଯାଏ ବୋଲି ବିଶ୍ୱାସ ରହିଛି ।

ସାମବଂଶୀ ରାଜାଙ୍କ କୀର୍ତ୍ତି :

ଭୂଗର୍ଭରୁ ଆବିର୍ଭାବ ସ୍ୱୟଂଭୂ ଶ୍ରୀଲିଙ୍ଗରାଜଙ୍କ ମହିମା ବିଶ୍ୱତମାମ ବ୍ୟାପିଗଲା । ଠାକୁରଙ୍କ ପରମ ଭକ୍ତ ଥିଲେ ସୋମବଂଶୀ ରାଜାଗଣ । ଠାକୁରଙ୍କ ପାଇଁ ଏକ ସୁଦୃଶ୍ୟ ଓ ସୁଉଚ୍ଚ ମନ୍ଦିର ନିର୍ମାଣ ଦିଗରେ ରାଜାଙ୍କ ଉଦ୍ୟମ ଆରମ୍ଭ ହେଲା । ଆଜକୁ ହଜାରେ ବର୍ଷ ତଳେ ସମ୍ରାଟ ଯଯାତି କେଶରୀଙ୍କ ଅମଳରେ ମନ୍ଦିରର ପୂର୍ଣ୍ଣାବୟବ ପ୍ରତିଷ୍ଠା ହେଲା । ପ୍ରାୟ ୨୧୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ୟୁନେସ୍କୋରେ ସ୍ଥାନ ପାଇଛି ।

ମହାଶିବରାତ୍ରିରେ ଶ୍ରୀଜିଉଙ୍କ ନୀତି :

ଅଗଣିତ ଭକ୍ତଙ୍କ ସୁଅ ଭିତରେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ ସେବାୟତଙ୍କ ନିକଟରେ ଅଗ୍ମିପରୀକ୍ଷା ସଦୃଶ୍ୟ । ଆବହମାନ କାଳରୁ ଚାଲି ଆସିଥିବା ନୀତି ଏବେ ବି ଅପରିବର୍ତ୍ତିତ ରହିଛି । ବିଧି ମୁତାବକ ଭୋର ୩ଟାରୁ ଠାକୁରଙ୍କ ପହୁଡ଼ ଭଙ୍ଗ ହୋଇ ଆଳତୀ ଅବକାଶ ନୀତି ସମ୍ପନ୍ନ ହୁଏ । ଠାକୁରଙ୍କ ଦର୍ଶନ ନିମନ୍ତେ ବାହାରେ ଅସଂଖ୍ୟ ଭକ୍ତ ପ୍ରତୀକ୍ଷା କରିଥାନ୍ତି । ଅଧଘଣ୍ଟାଏ ଭିତରେ ଠାକୁରଙ୍କ ନୀତି ସମାପନ କରି ସେବୟତଗଣ ସାହାଣ ମେଲା ଦର୍ଶନ ନିମନ୍ତେ ମନ୍ଦିର ପ୍ରବେଶ ଦ୍ୱାର ଖୋଲି ଦିଅନ୍ତି । ମଧ୍ୟାହ୍ନ ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିରହେ । ଏହାପରେ ଠାକୁର, ଠାକୁରାଣୀଙ୍କ ବଲ୍ଲଭ, ଧୂପ, ଭୋଗମଣ୍ଡପ ଆଦି ନୀତି ସମ୍ପନ୍ନ ନିମନ୍ତେ ସାହାଣମେଲା ଦର୍ଶନ ବନ୍ଦ କରାଯାଏ । ଅପରାହ୍ଣରେ ପୁନଶ୍ଚ ସାହାଣ ମେଲା ଦର୍ଶନ ପାଇଁ ଭକ୍ତଙ୍କୁ ବାଟ ଖୋଲି ଦିଆଯାଏ । ଅନ୍ୟାନ୍ୟ ଦୈନନ୍ଦିନ ନୀତି ସମ୍ପନ୍ନ ପରେ ଠାକୁରଙ୍କ ଯାତ୍ରା ପୂଜା ସମାପନ ହୁଏ । ସେବାୟତଗଣ ବିନ୍ଦୁସାଗରରୁ ୧୦୮ ପୂର୍ଣ୍ଣ କଳସ ପବିତ୍ର ଜଳ ଆଣି ଠାକୁରଙ୍କ ନିକଟରେ ବିଧିମତେ ଲାଗି କରନ୍ତି ।

ପଞ୍ଚରଥ ଶୈଳୀ :

ଓଡ଼ିଶାର ଭୁବନେଶ୍ୱରରେ ଥିବା ପୁରାତନ ଶିବ ମନ୍ଦିର । ଏହା ୧୧ଶ ଶତାବ୍ଦୀରେ ରାଜା ଯଯାତି କେଶରୀଙ୍କ ଦ୍ୱାରା ନିର୍ମିତ । ଏହା ଷଷ୍ଠ ଶତାବ୍ଦୀରେ ତିଆରି ହୋଇଥିବାର ଅନେକ ପୁରାଣରେ ପ୍ରମାଣ ମିଳୁଥିଲେ ମଧ୍ୟ ୧୧ଶ ଶତାବ୍ଦୀରେ ପୁନର୍ନିମିତ ହୋଇଥିଲା । ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ଭୁବନେଶ୍ୱରର ସବୁଠାରୁ ବଡ଼ ମନ୍ଦିର । ଏହା ଆୟତନ ୫୨୦ ଫୁଟରେ ୪୬୫ ଫୁଟ । ଏହି ମନ୍ଦିରର କାନ୍ଥ ୭ ଫୁଟ ୬ ଇଞ୍ଚ । ବାହାରର ଆଘାତରୁ ବଞ୍ଚାଇବା ପାଇଁ ଏହାର ଭିତର ପାଖ କାନ୍ଥରେ ଏକ ଛାତ ଅଛି । ଲିଙ୍ଗରାଜ ଶବ୍ଦର ଅର୍ଥ ହେଉଛି ‘ଲିଙ୍ଗମାନଙ୍କର ରାଜା' । ‘ଲିଙ୍ଗ ପୂଜା' ଶିବ ପୂଜାର ପ୍ରତୀକ ହୋଇଥିବାରୁ ଏହା ଏକ ଶୈବ କ୍ଷେତ୍ର ଭାବରେ ଜଣାଶୁଣା । ଶିବ ଏଠାରେ ତ୍ରିଭୁବନେଶ୍ୱର (ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଦେବ) ଭାବରେ ପୂଜା ପାଇଥାନ୍ତି । ଏଠାରେ ଦେବୀ ପାର୍ବତୀ ଅନ୍ନପୂର୍ଣ୍ଣା ହୋଇ ପତ୍ନୀ ରୂପରେ ଲିଙ୍ଗରାଜଙ୍କ ସହିତ ପୂଜା ପାଇଥାନ୍ତି । ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ । ଯାହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା । ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଚୈତ୍ର ଶୁକ୍ଳ ଅଷ୍ଟମୀ (ଅଶୋକାଷ୍ଟମୀ) ଦିନ ଗୋଟିଏ ରଥରେ ରାମେଶ୍ୱର ମନ୍ଦିରକୁ ନିଆଯାଇ ୫ ଦିନ ସେଠାରେ ଅବସ୍ଥାପିତ କରି ପୁଣି ବଡ଼ଦେଉଳକୁ ବାହୁଡ଼ାଇ ଅଣାଯାଏ । ଦୋଳଗାବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର (ମାଉସୀ ମା' ମନ୍ଦିର) ମନ୍ଦିରକୁ ଯାତ୍ରା କରିଥାନ୍ତି । ଏହି ରଥର ଉଚ୍ଚତା ୫୦ ଫୁଟ ଓ ୪ଚକ, ୨ଓରା, ୧୬ନାହାକା, ୫ଦଣ୍ଡା ବିଶିଷ୍ଟ । ରଥର ନାମ ରୁକ୍ମଣୀ ବା ରୁକୁଣା ରଥ । ଏହି ରଥଟିର ବିଶେଷତ୍ତ୍ୱ ହେଉଛି ରଥଟି ଅଣଲେଉଟା ।ଏହାପରେ ମହାଦୀପ ହାତରେ ନେଇ ସମର୍ଥା ସେବାୟତ ମନ୍ଦିର ଚୂଡ଼ାକୁ ଚଢ଼ନ୍ତି । ନିର୍ଦ୍ଧାରିତ ସମୟରେ ମନ୍ଦିର ଚୂଡ଼ାରେ ମହାଦୀପ ପ୍ରଜ୍ଜ୍ୱଳନ କରାଯାଏ । ମହାଦୀପ ଦର୍ଶନ କରି ଭକ୍ତଗଣ ନିଜର ଉପବାସ ବ୍ରତ ସମାପନ କରନ୍ତି । ଏହାପରେ ମହାପ୍ରଭୁଙ୍କ ଚାରିପ୍ରହର ପୂଜା ବିଧିମତେ ସମ୍ପାଦନ କରାଯାଏ । ଚତୁର୍ଥ ପ୍ରହରରେ ସ୍ୱତନ୍ତ୍ର ନୀତି ହରିହର ଭେଟ ସମ୍ପନ୍ନ ହୋଇ ପରମ୍ପରା ରକ୍ଷା କରାଯାଏ । ଚଳିତ ବର୍ଷ ରାତି ୧୦ଟା ମହାଦୀପ ଦର୍ଶନ ନୀତି ସମ୍ପନ୍ନ ହେବ ବୋଲି ଧାର୍ଯ୍ୟ କରାଯାଇଛି ।