ମେରୁରୁ ମାଡ଼ି ଆସୁଛି ଥଣ୍ଡା: ଭାରତ, ଆମେରିକା, ୟୁରୋପରେ ଭୟଙ୍କର ଥଣ୍ଡା

source:www.telegraphindia.com
ନୂଆଦିଲ୍ଲୀ/ନ୍ୟୁୟର୍କ,୩୦ ।୧(ଏଜେନ୍ସି): ଭାରତର ଉତ୍ତର ଓ ପୂର୍ବ ଭାଗରେ ହାଡ଼ଭଙ୍ଗା ଶୀତ । କିଛି ଦିନ ଧରି ଶୀତର ପ୍ରକୋପ ହ୍ରାସ ପାଇଥିବା ବେଳେ ମଙ୍ଗଳବାର ରାତିରେ ଅଚାନକ ପ୍ରତ୍ୟାବର୍ତ୍ତନ କରିଛି । ଏପରି ଶୀତ ପଡ଼ିଛି ଯେ, ମଣିଷର ଦେହ ସମ୍ପୂର୍ଣ୍ଣ ନିଶ୍ଚଳ କରି ଦେଉଛି, ରକ୍ତ ଜମାଟ ବାନ୍ଧି ଯାଉଛି । ଭୟଙ୍କର ଶୀତ ଖାଲି ଓଡ଼ିଶାରେ ନୁହେଁ, ଉତ୍ତର ଭାରତର ଅନେକ ରାଜ୍ୟରେ ବି ଅନୁଭୂତ ହେଉଛି । କମ୍ମୁ-କାଶ୍ମୀର, ହିମାଚଳ ଓ ଉତ୍ତରାଖଣ୍ଡର ଏଭଳି କେତେକ ସ୍ଥାନରେ ବରଫପାତ ହୋଇଛି, ଯେଉଁଠାରେ ବିଗତ ୧୦ ବର୍ଷ ଧରି ବରଫର ଦେଖା ନଥିଲା । ମଙ୍ଗଳବାର ରାଜସ୍ଥାନର ଚୁରୁ ଅଞ୍ଚଳରେ ତାପମାତ୍ରା ସବୁଠାରୁ କମ୍ ବିଯୁକ୍ତ ୧.୧ ଡିଗ୍ରୀ ସେଲସିୟସକୁ ଖସି ଯାଇଥିଲା । ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆନା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଆଦି ରାଜ୍ୟରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ‘ପୋଲାର ଭରଟେକ୍ସ’ (ଧ୍ରୁବୀୟ ଚକ୍ରବାତ)କାରଣରୁ ଏପରିୀ ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଯାହାକୁ କି ମେରୁ ରୁ ଥଣ୍ଡାର ଲହରୀ ପ୍ରବାହିତ ହେଉଛି ବୋଲି କୁହାଯାଇପାରେ ।
‘ପୋଲାର ଭରଟେକ୍ସ’ ଶଦ୍ଦକୁ ୨୦୧୪ ମସିହାରେ ଗଣମାଧ୍ୟମରେ ବ୍ୟାପକ ଭାବେ ବ୍ୟବହାର କରାଯାଇଥିଲା । ଏହା ହେଉଛି ଉତ୍ତର ମେରୁ ଉପରେ ଘଟୁଥିବା ଏକ ଶକ୍ତିଶାଳୀ ବାୟୁପ୍ରବାହ । ମେରୁ ଅଞ୍ଚଳରେ ବିପୁଳ ପରିମାଣର ବରଫ ଜମା ହୋଇ ରହିଥିବାରୁ ଏଠାରେ ଥିବା ବାୟୁ ଅତି ଶୀତଳ । ଏହି ବାୟୁ ଚାରିଆଡକୁ ମାଡ଼ିଗଲେ ବିଶ୍ୱବ୍ୟାପୀ ବିପର୍ଯ୍ୟୟ ଦେଖାଦେବ । ତେବେ ମେରୁର କିଛି କିମି ଉପରେ ଶକ୍ତିଶାଳୀ ବାୟୁପ୍ରବାହ ଯୋଗୁ ଏହି ଅଞ୍ଚଳର ଥଣ୍ଡା ବାୟୁ ବାହାରକୁ ଯାଇପାରିନଥାଏ । ଏହି ବାୟୁ ପ୍ରବାହ ଘଣ୍ଟା କଣ୍ଟାର ବିପରୀତ ଦିଗରେ ହୋଇଥାଏ ଏବଂ ସମଗ୍ର ମେରୁ ଉପରେ ବ୍ୟାପିଥାଏ । ଏହି ବାୟୁ ପ୍ରବାହକୁ ‘ ପୋଲାର ଭରଟେକ୍ସ’ କୁହାଯାଏ । ହେଲେ କିଛି କାରଣବଶତଃ ଏହି ବାୟୁ ପ୍ରବାହ ସ୍ୱାଭାବିକ ରହିନଥାଏ । ବେଳେବେଳେ ଅନ୍ୟ ଅଞ୍ଚଳରୁ ଉଷ୍ଣ ବାୟୁ ମେରୁ ଅଞ୍ଚଳକୁ ମାଡ଼ିଯାଇଥାଏ । ଏହା ପ୍ରଭାବରେ ମେରୁ ଅଞ୍ଚଳ ଉପରେ ଥିବା ବାୟୁର ତାପମାତ୍ରାରେ ପ୍ରାୟ ୧୦ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ ।
ଏହାପରେ ମେରୁ ଅଞ୍ଚଳରେ ଚାପି ହୋଇରହି ଥିବା ଅତି ଥଣ୍ଡା ବାୟୁ ଉପରକୁ ଉଠିଥାଏ ଏବଂ ଦକ୍ଷିଣ ଦିଗରେ ମାଡ଼ିଯାଇଥାଏ । ଏହାକୁ ‘ ପୋଲାର ଭରଟେକ୍ସ ବ୍ରେକ୍’ ବୋଲି କୁହାଯାଏ । ଉତ୍ତର ଗୋଲାର୍ଦ୍ଧରେ ଥିବା ବିଭିନ୍ନ ଦେଶ ଏହା ଦ୍ୱାରା ପ୍ରଭାବିତ ହୋଇଥାନ୍ତି । ୨୦୧୪ ମସିହାରେ ଉତ୍ତର ଆମେରିକାରେ ଏହାଯୋଗୁ ଭୟଙ୍କର ଥଣ୍ଡା ଅନୁଭୂତ ହୋଇଥିଲା । ଅନେକ ଦେଶରେ ତାପମାତ୍ରା ଶୂନ ଡିଗ୍ରୀ ଠାରୁ ବହୁ ତଳକୁ ଖସିଯାଇଥିଲା । ଅନେକ ଦେଶରେ ବରଫ ଝଡ଼ ଦେଖାଦେଇଥିଲା ।
ଗତ ବର୍ଷ ଡିସେମ୍ବର ଶେଷ ଭାଗରୁ ଉତ୍ତର ମେରୁ ଉପରେ ‘ପୋଲାର ଭରଟେକ୍ସ ବ୍ରେକ୍’ ପୁଣି ସଂଘଟିତ ହୋଇଛି । ମେରୁ ଅଞ୍ଚଳର ଅତି ଥଣ୍ଡା ବାୟୁ, ଆମେରିକା, ୟୁରୋପ ଏବଂ ଭାରତ ସମେତ ଏସିଆ ମହାଦେଶର ଅନେକ ଦେଶକୁ ପ୍ରବାହିତ ହୋଇଛି । ଏହି କାରଣରୁ ଏବେ ଭାରତର କେତେକ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହା ଆହୁରି କିଛି ଦିନ ଲାଗି ରହିପାରେ ।
ଆମେରିକାରେ ଏହା ଯୋଗୁ ମଙ୍ଗଳବାର ଦୁଇ ହଜାରରୁ ଉଦ୍ଧ୍ୱର୍ ବିମାନ ଉଡ଼ାଣ ବାତିଲ କରାଯାଇଛି । ଡାକସେବା ବନ୍ଦ କରାଯାଇଛି । ସାଧାରଣ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି । ଆମେରିକାରେ ଏବେ ଆଣ୍ଟାର୍କଟିକା ମହାଦେଶରୁ ବି ଅଧିକ ଥଣ୍ଡା ଅନୁଭୂତ ହେଉଛି । ଚିକାଗୋ ସହରରେ ମଙ୍ଗଳବାର ତାପମାତ୍ରା ବିଯୁକ୍ତ ୨୭ ଡିଗ୍ରୀ ସେଲସିୟସ ଥିଲାବେଳେ ବୁଧବାର ଦିନରେ ବିଯୁକ୍ତ ୧୫ ଡିଗ୍ରୀ ରହିଥିଲା । ଆଣ୍ଟାର୍କଟିକାରେ ବୁଧବାର ସର୍ବାଧିକ ୬ ଡିଗ୍ରୀ ଏବଂ ସର୍ବନିମ୍ନ ବିଯୁକ୍ତ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆମେରିକାର କେତେକ ଭାଗରେ ତାପମାତ୍ରା ବିଯୁକ୍ତ ୪୦ରୁ ୫୦ ଡିଗ୍ରୀକୁ ଖସିଯିବାର ଆଶଙ୍କା ରହିଛି । ଏହାସହିତ ସେଠାରେ ବ୍ୟାପକ ମାତ୍ରାରେ ବରଫ ଝଡ଼ ଦେଖାଦେବାର ବି ସମ୍ଭାବନା ରହିଛି । ଏହି କାରଣରୁ ଆମେରିକାର ପ୍ରାୟ ୨୧୨ ନିୟୁତ ଲୋକ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଆଣ୍ଟାର୍କଟିକା ମହାଦେଶ ଠାରୁ ବି କମ୍ ତାପମାତ୍ରା ଥିବା ପରିବେଶରେ ରହିବାକୁ ବାଧ୍ୟ ହେବେ । ୟୁରୋପୀୟ ଦେଶଗୁଡଡ଼କରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଛି । ବ୍ରିଟେନ ସମେତ ଅନେକ ଦେଶରେ ଅନୁଭୂତ ହେଉଥିବା ଥଣ୍ଡା ପୂର୍ବରୁ କେବେ ଦେଖା ଦେଇନଥିଲା ।