ରାୟଗଡ଼,୦୩/୧୦: ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ ହୋଇ ପଡ଼ିଛି। ଜିଲ୍ଲାର ପେକଟ, ମହେନ୍ଦ୍ରଗିରି ଆଦି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ବେଳେ ବିଭିନ୍ନ ଜନବସତିରେ ବନ୍ୟା ଜଳ ପ୍ରବେଶ କରିଛି। ଭୂସ୍ଖଳନ ଯୋଗୁଁ ଦୁଇଜଣ ନିଖୋଜ ହୋଇଛନ୍ତି। ସେପଟେ ମହେନ୍ଦ୍ରଗିରିରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ବିଳମ୍ବିତ ରାତିରେ ଉଦ୍ଧାର କରାଯାଇଛି। ତେଣୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।
ଗୁରୁବାର ରାତ୍ରରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଜପତି ଜିଲ୍ଲା ଗସ୍ତ କରି ସ୍ଥିତି ପରଖିବା ସହ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରଶାସନକୁ ମାର୍ଗଦର୍ଶନ ଦେଇଛନ୍ତି । ମହେନ୍ଦ୍ରଗିରିରେ ଫସି ରହିଥିବା ୨୪ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଗାରାବନ୍ଧ ଥାନାରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଲୋଚନା କରି ସେମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଛନ୍ତି ।
ସେହିପରି ଶୁକ୍ରବାର ଭୋର ସମୟରେ ମନ୍ତ୍ରୀ ପେକଟ ଗାଁକୁ ଯାଇ ସ୍ଥିତି ପରଖିବା ସହ ନିଖୋଜ ବାପପୁଅଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ୩ଟି ଟିମ୍ କରାଯାଇ ନିଖୋଜ ବାପପୁଅଙ୍କୁ ଖୋଜା ଚାଲିଛି। ପେକଟ ଗାଁର ଭୂସ୍ଖଳନରେ ନିଖୋଜ ବାପ ପୁଅଙ୍କ ପତ୍ତା ଏଯାଏଁ ମିଳିନି। ଅଗ୍ନିଶମ ବାହିନୀ ଓ ସନ୍ଧାନୀ କୁକୁର ସାହାଯ୍ୟରେ ଖୋଜା କାମ ଜାରି ରହିଛି। ସେହିପରି ଜେସିବି ସାହାଯ୍ୟରେ ରାସ୍ତା ସଫା କାମ ମଧ୍ୟ ଜାରି ରହିଛି l