ଭୁବନେଶ୍ଵର, ୨୨/୦୫ : ଭୋଟର ତାଲିକା ସଂଶୋଧନ ପାଇଁ ରାଜ୍ୟରେ ସମସ୍ତ ଜିଲ୍ଲାରେ ଖୋଲିବ ହେଲ୍ପଡେସ୍କ। ଉପକୃତ ହେବେ ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟର। SIR କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବାକୁ ନିର୍ବାଚନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତ ଜିଲ୍ଲାପାଳ ଓ DEOଙ୍କୁ ଏନେଇ ପତ୍ର ଲେଖିଛନ୍ତି।
ଏହି ହେଲ୍ପଡେସ୍କ ମାଧ୍ୟମରେ ଭୋଟରମାନେ SIR ସମୟସୀମା, ଯୋଗ୍ୟତା, ନାମ ଯୋଡ଼ା, ସଂଶୋଧନ କିମ୍ବା ବିଲୋପ ସମ୍ବନ୍ଧୀୟ ସୂଚନା ପାଇପାରିବେ। ଏଥିସହ ପୁରୁଣା ଭୋଟର ତଥ୍ୟ ସହ ଲିଙ୍କ କରିବା, ଅନଲାଇନ୍ ଓ ଅଫଲାଇନ୍ ଫର୍ମ ପୂରଣରେ ସହଯୋଗ ମଧ୍ୟ ମିଳିବ। ବିଶେଷ କରି ପ୍ରବାସୀ, ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରଙ୍କୁ ସହଜ ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ହେଲ୍ପଡେସ୍କରେ ଶିକ୍ଷିତ କର୍ମଚାରୀ ନିଯୁକ୍ତ ହେବେ ଏବଂ ସ୍ଥାନୀୟ ଭାଷାରେ ସଚେତନତା ସାମଗ୍ରୀ ମଧ୍ୟ ରଖାଯିବ। ନିର୍ବାଚନ ଆୟୋଗର ୧୯୫୦ ହେଲ୍ପଲାଇନ୍ ଓ ECINet ଆପ୍ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଜଣାଇବାକୁ କୁହାଯାଇଛି। ମେ ୨୫ ମଧ୍ୟରେ ହେଲ୍ପଡେସ୍କ ସ୍ଥାପନ ଓ କାର୍ଯ୍ୟକ୍ଷମତା ସମ୍ପର୍କିତ ରିପୋର୍ଟ ପଠାଇବାକୁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ SIR ଅଭିଯାନ ମେ ୩୦ରୁ ଆରମ୍ଭ ହେବ ଏବଂ ଭୋଟର ତାଲିକାର ସଠିକତା ନିଶ୍ଚିତ କରିବା ଏହାର ଲକ୍ଷ୍ୟ।
ଏହି ଖବରଟିକୁ ପଢନ୍ତୁ- Urban Light Pollution : ଜୈବ ବିବିଧତା ପାଇଁ ବଡ଼ ବିପଦ ସହରୀ ଆଲୋକ, ଦୁର୍ବଳ ହୋଇ ମରୁଛନ୍ତି କୀଟପତଙ୍ଗ, କମୁଛି ପ୍ରଜନନ