ଭୁବନେଶ୍ଵର, ୨୨/୦୫ (ମୁକେଶ ପରିଡ଼ା) : ବାଦୁଡ଼ି ମରି ହଜି ଗଲେଣି । ପେଚା ବଂଶ ସଙ୍କଟରେ । ଜୁଳୁଜୁଳିଆ ପୋକ କାଁ ଭାଁ । ଝିଣ୍ଟିକା, କାଇ ବା ଡାହାଣୀ ପୋକ ପ୍ରାୟତଃ ଦିଶୁନାହାନ୍ତି ।  ରାତି ହେଲେ କୀଟପତଙ୍ଗ ନା ଠିକ୍‌ରେ ଖାଇ ପାରୁଛନ୍ତି ନା ବୁଲି ପାରୁଛନ୍ତି । ଦୁର୍ବଳ ହୋଇ ମରି ପଡ଼ୁଛନ୍ତି ପଲପଲ କୀଟ । ଖାଲି ସେତିକି ନୁହେଁ, କୀଟପତଙ୍ଗ ମଧ୍ୟରେ ଆକର୍ଷଣ ଓ ମିଳନ କମୁଛି । ପ୍ରଭାବିତ ହେଉଛି ପ୍ରଜନନ । ଅନ୍ୟପଟେ ପକ୍ଷୀ ବଂଶ ବି ବିପଦରେ । ବିଗୁଡ଼ୁଛି ପକ୍ଷୀଙ୍କ ହରମୋନ ସନ୍ତୁଳନ । ବେଳେବେଳେ ଦିଗହରା ହେଉଛନ୍ତି । ରାତିଦିନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି । ବିଦେଶରୁ ଆସୁଥିବା ପକ୍ଷୀ ବାଟବଣା ହୋଇ ଉଚ୍ଚ ଅଟ୍ଟାଳିକାରେ ପିଟି ହୋଇ ମରୁଛନ୍ତି । ସହରରେ ବସା ଭିତରେ ବି ଶାନ୍ତିରେ ଶୋଇ ପାରୁନାହାନ୍ତି ଅନେକ ପକ୍ଷୀ । ଉଦ୍ଭିଦ ଜଗତର ପରାଗସଂଗମ ବି ପ୍ରଭାବିତ ହେଲାଣି । ସମ୍ପୂର୍ଣ୍ଣ ଖାଦ୍ୟ ଶୃଙ୍ଖଳ ବିପନ୍ନ ହେବାକୁ ବସିଲାଣି । ଜୈବ ବିବିଧତା ପାଇଁ ଏଭଳି ବିପଦ ଡାକି ଆଣିଲାଣି ସହରୀ ଚକଚକ ଆଲୋକ । କଥାଟା କେମିତି କେମିତି ଲାଗୁ ଥାଇପାରେ । ମାତ୍ର ରାତିର ଅନ୍ଧାର ଦୂର କରୁଥିବା ଏଲଇଡି ଷ୍ଟ୍ରିଟଲାଇଟ ଏବେ ନୀରବ ବିପଦ ଭାବେ ଜୈବ ବିବିଧତାକୁ ଗ୍ରାସି ଚାଲିଛି । 

ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ସମେତ ସମସ୍ତ ସହରାଞ୍ଚଳ ରାତି ତମାମ ଏଲ୍‌ଇଡି ଷ୍ଟ୍ରିଟ ଲାଇଟରେ ଚମକୁଛି । ସହର ଉପକଣ୍ଠକୁ ବି ଦ୍ରୁତ ଗତିରେ ମାଡ଼ି ଚାଲିଛି ଏହି ଆଲୋକୀକରଣ । ସହରାଞ୍ଚଳ ଆକାଶରୁ ଅନ୍ଧାର ଉଭାନ । ମାତ୍ର କୀଟପତଙ୍ଗ, ପକ୍ଷୀମାନଙ୍କ ପାଇଁ ଏହି ଚକାଚକ ଆଲୋକ କାଳ ସାଜିଲାଣି । ଲାଇଟ ପଲ୍ୟୁସନ ମ୍ୟାପ୍‌ ତଥ୍ୟ ଅନୁସାରେ ପ୍ରାକୃତିକ ରାତିର ଅନ୍ଧାର ବଦଳରେ ଭୁବନେଶ୍ୱରର ନୂଆ ଆଇଟି ଜୋନ୍‌ ଭାବେ ପରିଚିତ ଚନ୍ଦ୍ରଶେଖରପୁର, ପଟିଆ, ଇନଫୋସିଟି ଆଖପାଖ ଅଞ୍ଚଳ ପ୍ରାୟ ୨୭୦୦% ଅଧିକ ଉଜ୍ୱଳ ରହୁଛି । ଚନ୍ଦକା ଅଭୟାରଣ୍ୟ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ୩୦୦%ରୁ ୯୦୦% ପର୍ଯ୍ୟନ୍ତ ଅଧିକ ଆଲୋକିତ ଦିଶୁଛି । ଭୁବନେଶ୍ୱରର କେନ୍ଦ୍ରୀୟ ଅଞ୍ଚଳ ବାପୁଜୀନଗର, ନୂଆପଲ୍ଲୀ ଓ ଆଖପାଖ ଅଞ୍ଚଳରେ ଆକାଶ ୧୮୫୦% ଅଧିକ ଆଲୋକିତ ରହୁଛି ପ୍ରାକୃତିକ ରାତି ତୁଳନାରେ । କେବଳ ଭୁବନେଶ୍ୱର ନୁହେଁ, କଟକ, ପାରାଦୀପ, ଅନୁଗୁଳ, ତାଳଚେର, ବ୍ୟାସନଗର, ବ୍ରହ୍ମପୁରରେ ଏଭଳି ଆଲୋକଜନିତ କୃତ୍ରିମ ରାତ୍ରି ଉଜ୍ୱଳତା ଢେର ଅଧିକ ରହୁଛି । 

ସୋଆ ବିଶ୍ୱବିଦ୍ୟାଳୟ କୀଟ ବିଜ୍ଞାନର ପ୍ରଫେସର ପ୍ରଭାତ ଷଡଙ୍ଗୀଙ୍କ ମତ ହେଲା ପ୍ରକୃତରେ କୀଟପତଙ୍ଗମାନେ ଅତ୍ୟଧିକ ଆଲୋକିକରଣ ଯୋଗୁ ଭୁଲ୍‌ ଦିଗରେ ଆସି ମରିଥାଆନ୍ତି । ଏହା କ୍ରମଶଃ ବୃଦ୍ଧି ପାଉଛି । ସୋଆ ବିଶ୍ୱବିଦ୍ୟାଳୟ କୀଟ ବିଜ୍ଞାନ ସ୍ନାତକୋତ୍ତର ବିଭାଗର ଗବେଷକ ଶୁଭମ ପ୍ରକାଶ ସାହୁ ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ତାଙ୍କ କହିବାନୁସାରେ ରାତିଚର କୀଟପତଙ୍ଗ ଚନ୍ଦ୍ରକୁ ପଛ କରି ଯାତାୟତ କରନ୍ତି । ଏହାଦ୍ୱାରା ସେମାନେ ଦିଗ ନିର୍ଣ୍ଣୟ କରିପାରନ୍ତି । ଷ୍ଟ୍ରିଟଲାଇଟ ଅଧିକ ଉଜ୍ୱଳ ଦିଶୁଥିବାରୁ ସେମାନେ ତାହାକୁ ଚନ୍ଦ୍ର ମନେ କରି ସେ ଦିଗରେ ପଳାନ୍ତି । ପ୍ରାୟତଃ ପୁରୁଷ କୀଟପତଙ୍ଗ ଆଲୋକ ପ୍ରତି ଅଧିକ ଆକର୍ଷିତ ହୋଇ ଯାଆନ୍ତି । ଲାଇଟରେ ଦୀର୍ଘସମୟ ରହିବା ଯୋଗୁ ଦୁର୍ବଳ ହୋଇ ପଡ଼ନ୍ତି । ନା ଆହାର ସଂଗ୍ରହ କରିବାକୁ ଯାଆନ୍ତି ନା ନିଜ ସାଥୀ ସହ ମିଳନ କରନ୍ତି । ଏଥିଯୋଗୁ ସେମାନଙ୍କ ପ୍ରଜନନ କମୁଛି । କଜଳପାତି ଭଳି ପକ୍ଷୀ ଲାଇଟ ଖୁଣ୍ଟରେ ବସି ସହଜରେ କୀଟମାନଙ୍କ ଶିକାର କରୁଛନ୍ତି । ଭୁବନେଶ୍ୱରରେ ମଧ୍ୟ ଏସବୁ ପ୍ରଭାବ ଦେଖିବାକୁ ମିଳୁଛି । ପ୍ରଜାପତି ଭଳି ଦିଶୁଥିବା ମାଟିଆ ରଙ୍ଗର ପତଙ୍ଗ (ପରୱାନା), ପତ୍ରଡିଆଁ ପୋକ ବହୁ ସଂଖ୍ୟାରେ ମରୁଛନ୍ତି । କୀଟପତଙ୍ଗ ସଂଖ୍ୟା ହ୍ରାସ ଯୋଗୁ ଗଛପତ୍ରର ପରାଗସଙ୍ଗମ ପ୍ରଭାବିତ ହେଉଛି । ଏମିତି ହେଲେ ଜୀବଜଗତର ଖାଦ୍ୟ ଶୃଙ୍ଖଳ ପ୍ରଭାବିତ ହେବ । ଜଙ୍ଗଲର ଜୈବ ବିବିଧତା ମଧ୍ୟ ଏହାଦ୍ୱାରା ନଷ୍ଟ ହେବ । ବିଭିନ୍ନ ବର୍ଜ୍ୟ ଓ ପଚାସଢ଼ା ଜିନିଷର ବିଘଟନ ପ୍ରକ୍ରିୟା ବିଳମ୍ବିତ ହେବ । ତେଣୁ ଧଳା ଏଲଇଡି ଷ୍ଟ୍ରିଟଲାଇଟ ବଦଳରେ ହଳଦିଆ ରଙ୍ଗର ଏଲଇଡି ଲାଇଟ ଲଗାଇଲେ କୀଟପତଙ୍ଗ ଏବଂ ପକ୍ଷୀମାନଙ୍କ ଉପରେ କମ୍‌ ପ୍ରଭାବ ପଡ଼ିବ।  

ସୋଆ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗର ପ୍ରଫେସର ବିଭୁପ୍ରସାଦ ପଣ୍ଡା କହିଛନ୍ତି, ହାଇମାଷ୍ଟ ଅତ୍ୟଧିକ ଆଲୋକ ପକ୍ଷୀ ବଂଶକୁ ପ୍ରଭାବିତ କରୁଛି । ପକ୍ଷୀଙ୍କ ଜୀବନ ଶୈଳୀ, ନିଦ୍ରା ଓ ପ୍ରଜନନରେ ଏହାର ପ୍ରଭାବ ପଡ଼ୁଛି । ରାତିର ଅନ୍ଧାରରେ ଖାଦ୍ୟ ସଂଗ୍ରହ କରୁଥିବା ପେଚାମାନେ ଅତ୍ୟଧିକ ଆଲୋକୀକରଣ ଯୋଗୁ ସହରଠାରୁ ଦୂରେଇ ଯାଉଛନ୍ତି । ମୂଷା, ଚୁଚୁନ୍ଦ୍ରା ଆଦି ଅତ୍ୟଧିକ ଆଲୋକ ଯୋଗୁ ଖାଦ୍ୟ ସଂଗ୍ରହରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ଛୋଟ ବାଦୁଡ଼ି ୧ ଘଣ୍ଟାରେ ପ୍ରାୟ ହଜାରେରୁ ଅଧିକ ମଶା ଖାଇଥାଏ । ହେଲେ ଭୁବନେଶ୍ୱରରେ ବାଦୁଡ଼ି ଦିଶୁନଥିବାବେଳେ ଉପକଣ୍ଠ ଇଞ୍ଜଣାରେ ସନ୍ଧ୍ୟାରେ ପ୍ରବଳ ମାତ୍ରାରେ ବାଦୁଡ଼ି ଦେଖିବାକୁ ମିଳୁଛି । ଡେନମାର୍କର କେପେନହେଗେନ ସହରର କେତେକ ରୁଟରେ ଧଳା ରଙ୍ଗର ଷ୍ଟ୍ରିଟଲାଇଟ ବଦଳରେ କେତେକ ରୁଟରେ ନାଲି ରଙ୍ଗର ଆଲୋକ ଲଗାଯାଇଛି । କାରଣ ଲାଲ୍‌ ଆଲୋକରେ ବାଦୁଡ଼ି ଓ କୀଟପତଙ୍ଗ ବିଶେଷ ପ୍ରଭାବିତ ହେବେନି । କାରଣ ଅତ୍ୟଧିକ ଆଲୋକୀକରଣ ରାତି ସମୟରେ ପକ୍ଷୀ ଏବଂ କୀଟପତଙ୍ଗ ଚଳାଚଳ ପାଇଁ ଏକ ଅଦୃଶ୍ୟ କାନ୍ଥ ଭଳି ପ୍ରତିବନ୍ଧକ ହେଉଛି । ଜୈବ ବିବିଧତାର ରକ୍ଷା ପାଇଁ ହଳଦିଆ କିମ୍ବା ଲାଲ ରଙ୍ଗ ଲାଇଟ ଲଗାଯାଉ । ବିଭିନ୍ନ ରୁଟରେ ସ୍ମାର୍ଟ ସ୍ୱୟଂଚାଳିତ ପ୍ରକ୍ରିୟାରେ ବିଳମ୍ବିତ ରାତିରେ ଲାଇଟର ଭୋଲେଟେଜ ଡିମ୍‌ କରାଯିବା ଆବଶ୍ୟକ ।

ଏହି ଖବରଟିକୁ ପଢନ୍ତୁUnique Villages: କୋରାପୁଟ ଜିଲ୍ଲାର ତିନି ଯୋଡ଼ା ଆଦିବାସୀ ସଙ୍ଗାତ ଗାଁ, ଲୋକଙ୍କ ମଧ୍ୟରେ ଭାଇ-ଭଉଣୀର ସମ୍ପର୍କ, କେବେ ବି ଉଠିନି ବିବାହ କଥା