ସାହାଯ୍ୟ କଲେ ମନକୁ ଶାନ୍ତି ମିଳେ

ଗୌତମ ବୁଦ୍ଧ ଏକଦା ମରୁଭୂମି ସ୍ଥାନରେ ଥିବା ଏକ ନଗରକୁ ଗଲେ । ନଗରରେ ତାଙ୍କର ଆସିବା ଖବର ଶୁଣି ସେଠିକାର ରାଜା ବହୁତ ଖୁସି ହେଲେ ଏବଂ ଦେଖା କରିବା ପାଇଁ ତାଙ୍କ ପାଖକୁ ଗଲେ । ରାଜାଙ୍କ ମନରେ ବହୁ ଦିନରୁ ଏକ ପ୍ରଶ୍ନ ଉଙ୍କିମାରୁଥିଲା । ସେ ଭାବିଲେ ବୁଦ୍ଧଜୀଙ୍କୁ ଦେଖା କରି ସେହି ପ୍ରଶ୍ନ ପଚାରିବେ । ସେଇଆ କଲେ । ସେ ବୁଦ୍ଧଜୀଙ୍କ ସହ ଦେଖା ହୋଇ ନଗରକୁ ଆସିଥିବାରୁ ତାଙ୍କୁ ଭବ୍ୟ ସ୍ୱାଗତ କଲେ ଏବଂ ସେହି ପ୍ରଶ୍ନଟି ପଚାରିଲେ । ପ୍ରଶ୍ନଟି ଥିଲା, ‘ଏମିତି ଦୁନିଆରେ କିଏ ଅଛନ୍ତି, ଯିଏ ମହାନ୍ । କିନ୍ତୁ ତାଙ୍କୁ କେହି ଜାଣିନଥିବେ?’ ରାଜାଙ୍କ ପ୍ରଶ୍ନରେ ବୁଦ୍ଧ ସ୍ମିତ ହାସ୍ୟ ଦେଇ କହିଲେ,ଦୁନିଆରେ ଏମିତି ବହୁ ମନୁଷ୍ୟ ଅଛନ୍ତି । ଏହାପରେ ରାଜା ଅଧିକ ଜାଣିବାକୁ ଚାହିଁଲେ । ମାତ୍ର ବୁଦ୍ଧଜୀ ତାଙ୍କୁ କିଛି ନକହି, କିଛି ଦେଖାଇବାକୁ ରାଜାଙ୍କୁ ନେଇ ଯାଇଥିଲେ । ଟାଣ ଖରାରେ କିଛି ବାଟ ଚାଲିବା ପରେ ରାଜା ଥକି ଗଲେ ଏବଂ ପାଣି ଖୋଜିଲେ ପିଇବାକୁ । ଏହି ସମୟରେ କିଛି ଦୂରରେ ସେ ଦେଖିଲେ, ଜଣେ ଝିଅ ଏକ ପାଣି ମାଠିଆ ଧରି ଗଛ ମୂଳରେ ଠିଆ ହୋଇଛି । ବୁଦ୍ଧଜୀ ଏବଂ ରାଜା ସେହି ଝିଅ ପାଖକୁ ଗଲେ ଏବଂ ପାଣି ମାଗିଲେ । ଝିଅଟି ସେମାନଙ୍କୁ ପାଣି ଦେଲା । ଏହାପରେ ରାଜା ଖୁସିରେ କିଛି ସ୍ୱର୍ଣ୍ଣ ମୁଦ୍ରା ଝିଅଟିକୁ ଦେବା ପାଇଁ ବାହାର କଲେ, ମାତ୍ର ଝିଅ ନେଲା ନାହିଁ । ସେ କହିଲା- ଏହି ଗଛକୁ ଦେଖନ୍ତୁ, ଟାଣ ଖରାରେ ଠିଆ ହୋଇ ସମସ୍ତଙ୍କୁ ଛାଇ ଦେଇଥାଏ । ତାହା ବଦଳେ କିଛି ମାଗି ନଥାଏ । ସେହିପରି ମୁଁ ମଧ୍ୟ ପାଣି ମାଠିଆ ଧରି ଏଠି ସବୁବେଳେ ଠିଆ ହୋଇଥାଏ । ଶୋଷିଲା ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ । କାରଣ ସାହାଯ୍ୟ କଲେ ମନକୁ ଶାନ୍ତି ମିଳେ । ରାଜା ତାଙ୍କ ପ୍ରଶ୍ନର ଉତ୍ତର ପାଇଯାଇଥିଲେ ଏବଂ ମନେ ମନେ ସେହି ଝିଅକୁ ଧନ୍ୟ କହିଥିଲେ ।