ଭୁବନେଶ୍ୱର,୧୪/୦୬: ରାଜ୍ୟର ପୁରାତନ ଐତିହ୍ୟ ସମ୍ପନ୍ନ ଭବନ, ପ୍ରାସାଦ, ଦୁର୍ଗ ଓ ସାଂସ୍କୃତିକ ଗୁରୁତ୍ବବହନ କରୁଥିବା ସମ୍ପତ୍ତିଗୁଡ଼ିକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ପର୍ଯ୍ୟଟନ ସଂଶୋଧନ ନୀତି-୨୦୨୬ ଅଧୀନରେ ସରକାର ‘ହେରିଟେଜ୍ ପ୍ରପର୍ଟି ପ୍ରମୋସନ୍ ଗାଇଡ୍ ଲାଇନ୍ସ-୨୦୨୬’ ଜାରି କରିଛନ୍ତି ।

ନୂଆ ନୀତି ଅନୁଯାୟୀ, ୧୯୫୦ ମସିହା ପୂର୍ବରୁ ନିର୍ମିତ ଓ ସ୍ଥାପତ୍ୟ, ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱ ବହନ କରୁଥିବା ଭବନଗୁଡ଼ିକୁ ‘ହେରିଟେଜ୍ ପ୍ରପର୍ଟି’ ଭାବେ ବିବେଚନା କରାଯିବ । ଏହି ଶ୍ରେଣୀରେ ହେରିଟେଜ୍ ହୋଟେଲ, ହେରିଟେଜ୍ ମ୍ୟୁଜିୟମ, ହେରିଟେଜ୍ ରେଷ୍ଟୁରାଣ୍ଟ/କାଫେଟେରିଆ ଓ ହେରିଟେଜ୍ ବ୍ୟାଙ୍କ୍ୱେଟକୁ ସାମିଲ କରାଯାଇ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ହେରିଟେଜ୍ ହୋଟେଲ ପାଇଁ ସର୍ବନିମ୍ନ ୫ଟି ରହଣୀୟ କକ୍ଷ, ରେଷ୍ଟୁରାଣ୍ଟରେ ଏକକାଳୀନ ୩୦ ଜଣଙ୍କ ବସିବା ସୁବିଧା ଏବଂ ବ୍ୟାଙ୍କ୍ୱେଟ୍ ପାଇଁ ଅତିକମରେ ୨୦ ଜଣଙ୍କ କ୍ଷମତା ସହ ୫୦୦ ବର୍ଗଫୁଟ୍ ର ନିର୍ମିତ କ୍ଷେତ୍ର ଥିବା ଅନିବାର୍ଯ୍ୟ।

ଗାଇଡଲାଇନ୍ ଅନୁଯାୟୀ, ଇଚ୍ଛୁକ ହେରିଟେଜ୍ ପ୍ରପର୍ଟି ମାଲିକଙ୍କୁ ସଂପୃକ୍ତ ଭବନ ୧୯୫୦ ପୂର୍ବରୁ ନିର୍ମିତ ବୋଲି ରାଜସ୍ୱ ରେକର୍ଡ, ଐତିହାସିକ ଦଲିଲ, ଜିଲ୍ଲା ପ୍ରଶାସନ କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏହାସହ ଅଗ୍ନି ସୁରକ୍ଷା ଅନୁପାଳନ ସହ ବିଦ୍ୟୁତ, ପାଣି ଓ ସ୍ୱଚ୍ଛତା ସୁବିଧା ଉପଲବ୍ଧ ଥିବା ଆବଶ୍ୟକ। ଭବନଗୁଡ଼ିକର ମରାମତି, ନବୀକରଣ ଓ ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ‘କ୍ୟାପିଟାଲ୍ ଇନଭେଷ୍ଟମେଣ୍ଟ ସବ୍ ସିଡି’ ପ୍ରଦାନ କରାଯିବ। ପର୍ଯ୍ୟଟନ ବିଭାଗ ଅନୁମୋଦିତ ସଂରକ୍ଷଣ ବିଶେଷଜ୍ଞଙ୍କ ଦ୍ୱାରା ପ୍ରକଳ୍ପର ପୂର୍ବ ମୂଲ୍ୟାଙ୍କନ କରାଯିବା ସହ ଜିଓ-ଟ୍ୟାଗ୍ ଫଟୋ ଓ ଭିଡିଓଗ୍ରାଫି ଆଧାରରେ ସବସିଡି ମଞ୍ଜୁର ହେବ। ଏହି ସମସ୍ତ କାର୍ଯ୍ୟ ମୂଳ ସ୍ଥାପତ୍ୟ ଶୈଳୀ ଓ ଚରିତ୍ରକୁ ଅକ୍ଷୁଣ୍ଣ ରଖି କରିବାକୁ ପଡ଼ିବ।।

ଅଧିକ ପଢନ୍ତୁ-ଏମାର ମଠ ପାଖରେ ଲୁଚି ଶ୍ରୀମନ୍ଦିର ନିକଟରେ ଉଡ଼ାଉଥିଲେ ଡ୍ରୋନ୍‌, ଦୁର୍ବୃତ୍ତଙ୍କୁ ଠାବ କଲେ ଶ୍ରୀମନ୍ଦିର ପୁରୋହିତ