ପୁରୀ,୧୪/୦୬: ପୁରୀ ଏମାର ମଠ ନିକଟରେ କିଛି ଦୁର୍ବୃତ୍ତ ଲୁଚି ରହି ଉଡ଼ାଉଥିଲେ ଡ୍ରୋନ୍ । ଶ୍ରୀମନ୍ଦିର ପୁରୋହିତ ବିଶ୍ୱଜିତ୍ ମହାପାତ୍ରଙ୍କ ନଜର ଏହା ଉପରେ ପଡ଼ିଥିଲା । ଯାହାକୁ ସେ ତୀବ୍ର ବିରୋଧ କରି ପୁଲିସକୁ ଖବର ଦେବେ ବୋଲି ଚେତାବନୀ କହିଥିଲେ । ଯାହା ପରେ ଡ୍ରୋନ୍ ଉଡ଼ାଉଥିବା ଏହି ୩ ଦୁର୍ବୃତ୍ତ ଘଟଣାସ୍ଥଳରୁ ତୁରନ୍ତ ଡ୍ରୋନ୍ ସହ ଫେରାର ହୋଇଯାଇଥିଲେ ।
ଶନିବାର ଅପରାହ୍ଣ ପ୍ରାୟ ୫ଟା ବେଳେ ଘଟଣାଟି ଘଟିଥିଲା । ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆକ୍ରମଣ ଆଶଙ୍କା ରହିଥିବାରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଙ୍ଗ ଜୋନ୍ ଓ ନୋ ଡ୍ରୋନ୍ ଫାଇଙ୍ଗ ଜୋନ୍ କରାଯାଇଛି । ମାତ୍ର କିଛି ଦୁର୍ବୃତ୍ତ ଲୁଚି ଛପି ଶ୍ରୀମନ୍ଦିର ବିଭିନ୍ନ ପାଶ୍ୱର୍ରେ ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିର ଭିତର, ନୀଳଚକ୍ର ପ୍ରଭୃତିର ଭିଡିଓ ଉତ୍ତୋଳନ କରୁଛନ୍ତି । ଶନିବାର ବଙ୍ଗଳା ଭାଷାରେ କଥା ହେଉଥିବା ୩ ଦୁର୍ବୃତ୍ତ ଡ୍ରୋନ୍ ଉଡ଼ାଉଥିବା ଦେଖି ଏମାର ମଠ ନିକଟ ମାଟିମଣ୍ଡପ ସାହି ବାସିନ୍ଦା ଶ୍ରୀ ମହାପାତ୍ର ବିରୋଧ କରିଥିଲେ । ସେ କୌଣସି କାମରେ ତାଙ୍କ ଛାତ ଉପରକୁ ଆସିଥିବା ବେଳେ ଉକ୍ତ ସନ୍ଦିଗ୍ଧଙ୍କ କାର୍ଯ୍ୟ ଆଖିରେ ପଡ଼ିଥିଲା । ପରେ ସେ ଏନେଇ ପ୍ରଶାସନିକ କର୍ତ୍ତୃପକ୍ଷ ଓ ସାମ୍ବାଦିକମାନଙ୍କୁ ଖବର ଦେଇଥିଲେ । ଅପରାହ୍ଣ ପ୍ରାୟ ୫ଟା ପରେ ନୀଳଚକ୍ର ପତିତପାବନ ବାନା ଓଲାଗି ଓ ନୂଆ ମାନସିକ ବାନା ଲାଗିବା ନୀତି ହୋଇଥାଏ । ଏହି ଦୁର୍ବୃତ୍ତମାନେ ଏହାର ଭିଡିଓ କଏଦ କରିବା ନିମନ୍ତେ ଲୁଚିଛପି ଡ୍ରୋନ କ୍ୟାମେରାରେ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି । ତେବେ ଶ୍ରୀମନ୍ଦିର ଉପରେ ଏହି ଦୁର୍ବୃତ୍ତମାନେ ଡ୍ରୋନ୍ ଉଡ଼ାଇଛନ୍ତି କି ନାହିଁ ତାହା ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନି ।
ଅଧିକ ପଢ଼ନ୍ତୁ :- Traffic Police: ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାରେ କେବେ ସୁଧାର ଆସିବ ? ବିଜ୍ଞପ୍ତିରେ ଅଟକିଛି ‘ଟ୍ରାଫିକ୍ ଏଡିଜି ପଦ’