କଟକ, ୧୧/୦୬: ଡିଏଲ୍ଆର୍ କର୍ମଚାରୀରୁ ୱାର୍କ ଚାର୍ଜଡ୍ ରେଗୁଲାର କର୍ମଚାରୀ ମାନ୍ୟତା ପାଇଥିବା ସତ୍ତେ୍ୱ ପେନ୍ସନ୍ ମିଳୁନଥିଲା । ଏହି ୱାର୍କ ଚାର୍ଜଡ୍ କର୍ମଚାରୀମାନଙ୍କୁ ୩ ମାସ ମଧ୍ୟରେ ପେନ୍ସନ୍ ସହ ଅବସରକାଳୀନ ସମସ୍ତ ପ୍ରାପ୍ୟ ପ୍ରଦାନ ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମହମ୍ମଦ ଜମିଲୁର୍ ରେହମାନ୍ ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ ଆଦେଶ ଫଳରେ ପ୍ରାୟ ୫୦ ହଜାର ୱାର୍କ ଚାର୍ଜଡ୍ କର୍ମଚାରୀ ଉପକୃତ ହେବେ ।
ଆବେଦନକାରୀମାନେ ୧୯୮୩ ମସିହାରେ ଡିଏଲ୍ଆର୍ ନିଯୁକ୍ତିି ପାଇଥିଲେ । ପରେ ସେମାନଙ୍କୁ ୱାର୍କ ଚାର୍ଜଡ୍ ବର୍ଗକୁ ଅଣାଯାଇଥିଲା । ୨୦୧୮ପରଠାରୁ ନିୟମିତ କରାଯାଇଥିଲା । କିନ୍ତୁ ଅବସର ପରେ ସେମାନଙ୍କୁ ପେନ୍ସନ୍ ଦିଆଯାଇନଥିଲା । ଏନେଇ ମାମଲା ଟ୍ରିବ୍ୟୁନାଲ୍ରୁ ସୁପ୍ରିମ୍କୋର୍ଟ ପର୍ୟ୍ୟନ୍ତ ଯାଇଥିଲା । ସବୁଠି ରାଜ୍ୟ ସରକାର ହାରିଥିଲେ । କେବଳ ନିରଞ୍ଜନ କର ନାମକ ଜଣେ କର୍ମଚାରୀଙ୍କୁ ପେନ୍ସନ୍ ମିଳିଥିଲାବେଳେ ଆବେଦନକାରୀଙ୍କୁ ରାଜ୍ୟ ସରକାର ପେନ୍ସନ୍ ଦେଇନଥିଲେ ।
ଆବେଦନକାରୀମାନଙ୍କ ଆବଶ୍ୟକ ଚାକିରି ଯୋଗ୍ୟତା ନଥିବାରୁ ରାଜ୍ୟ ସରକାର ୨୦୨୫ ମେ’ ୨୧ରେ ପେନ୍ସନ୍ ଦେବାକୁ ମନା କରିଦେଇଥିଲେ । ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ଓସିଏସ୍ ପେନ୍ସନ୍ ନିୟମ-୧୯୯୨ରେ ହୋଇଥିବା ସଂଶୋଧନ ଅନୁଯାୟୀ, ଯେଉଁମାନଙ୍କ ଚାକିରି ୨୦୦୫ ଜାନୁଆରୀ ୧ ପରେ ନିୟମିତ ହୋଇଛି, ସେମାନେ ପୁରୁଣା ପେନ୍ସନ୍ ପାଇବାକୁ ଯୋଗ୍ୟ ନୁହନ୍ତି ଏବଂ ସେମାନେ କେବଳ ନୂତନ ପେନ୍ସନ୍ ଯୋଜନା (ଏନ୍ପିଏସ୍) ଅଧୀନରେ ଆସିବେ । ଫଳରେ ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଅଧିକ ପଢ଼ନ୍ତୁ :- ଧନୁପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଟୋକୁ ପିଟିଲା ସଫାରୀ ଗାଡି,ବାପ-ଝିଅ ମୃତ
ହାଇକୋର୍ଟ କହିଛନ୍ତି ଯେ, ନିରଞ୍ଜନ କରଙ୍କୁ ପେନ୍ସନ୍ ଦିଆଯାଇଥିଲାବେଳେ ଆବେଦନକାରୀଙ୍କୁ ପେନ୍ସନ୍ ନଦେବା ଗ୍ରହଣୀୟ ନୁହେଁ । ଆବେଦନକାରୀ ଅବସର ପର୍ୟ୍ୟନ୍ତ ବିଭିନ୍ନ ପଦରେ ନିରବିଚ୍ଛିନ୍ନ କାର୍ୟ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ ।