ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦିବାରେ ସିଦ୍ଧହସ୍ତ: ଧର୍ମେନ୍ଦ୍ର

ଭୁବନେଶ୍ୱର,୯ା୨(ବ୍ୟୁରୋ): ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗ ନେଇ ପ୍ରତିକ୍ର୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ସରକାର ସ୍ଥାନ ଚିହ୍ନଟ ନ କରି ବଜେଟରେ ମିଛି ମିଛିକା ସାଙ୍କେତିକ ଟଙ୍କା ରଖିବାର ମାନେ କିଛି ନାହିଁ । ରାଜ୍ୟ ସରକାର ଲୋକଙ୍କୁ ବୋକା ବନାଇବାକୁ ପ୍ରୟାସ କରୁଛନ୍ତି । ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦିବାରେ ସିଦ୍ଧହସ୍ତ ବୋଲି ସେ ଅଭିଯୋଗ କରିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ନିଜ ଦାୟିତ୍ୱରୁ ମୁକ୍ତ ହୋଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖୁଛନ୍ତି । ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗରେ ୨୦୧୩ ମସିହା ପୂର୍ବରୁ ତତ୍କାଳୀନ ଆଇନ ମନ୍ତ୍ରୀ ବି ଉତ୍ତର ଦେଇଥିଲେ । ଏବେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବି ଉତ୍ତର ଦେଇଛନ୍ତି । ହାଇକୋର୍ଟଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାର କେଉଁଠି ବେଞ୍ଚ୍ କରାଯିବ ସେ ବାବଦରେ ସ୍ପଷ୍ଟ କରି ପ୍ରସ୍ତାବ ପଠାଇବା ଉଚିତ୍ । ମାତ୍ର ସରକାର ନିଜ ଦାୟିତ୍ୱରୁ ଖସିବାକୁ ଚେଷ୍ଟା କରୁଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ଲୋକଙ୍କୁ ବୋକା ଭାବୁଛନ୍ତି କି? ଓଡ଼ିଶାରେ ଅଧିକ ହାଇକୋର୍ଟ ବେଞ୍ଚ ଦରକାର । ଏ ନେଇ ଓଡ଼ିଶା ସାରା ସହମତି ପ୍ରକାଶ ପାଇଛି । ଦ୍ୱିତୀୟ ହାଇକୋର୍ଟ ବେଞ୍ଚ୍ ନେଇ କାହାର ଦ୍ୱିମତ ନାହିଁ । ତେବେ ପ୍ରକ୍ରିୟା କ’ଣ? ପ୍ରକ୍ରିୟାକୁ ସ୍ଥାନୀୟ ସରକାର ଓ ସ୍ଥାନୀୟ ହାଇକୋର୍ଟ ସୁପାରିଶ କଲା ପରେ କେନ୍ଦ୍ର ସରକାର ମୂଳ ହାଇକୋର୍ଟର ଗୋଟିଏ ବେଞ୍ଚ୍ ସ୍ଥାପନ କରିବାର ନୀତିଗତ ନିର୍ଣ୍ଣୟ କରିବେ । କେଉଁଠି ହାଇକୋର୍ଟ ବେଞ୍ଚ୍ ହେବ, ସେ ନେଇ ଏଠିକାର ସରକାର ପାଲ୍ କମିଶନ ବସାଇଥିଲେ । ମାତ୍ର ସରକାର କ’ଣ ପାଇଁ ଏଯାବତ୍ ପାଲ୍ କମିଶନର ରିପୋର୍ଟ ସାର୍ବଜନୀନ କରୁନାହାନ୍ତି?
ଧର୍ମେନ୍ଦ୍ର କହିଛନ୍ତି, ଯଦି ସରକାର କିଛି ଜିଲ୍ଲାପାଳଙ୍କୁ ଲଗାଇ ସାମାଜିକ ଉତ୍ତେଜନା ତିଆରି କରାଇବାକୁ ଭାବୁଥିବେ, ତେବେ ଏଥିପାଇଁ ସରକାର ଦାୟୀ ରହିବେ । ଓଡ଼ିଶା ପାଇଁ ଏହା ଶୁଭଙ୍କର ନୁହେଁ । ଯେତେବେଳେ ସ୍ଥାନ ନିରୂପଣ ହୁଏ, ସେତେବେଳେ ଟଙ୍କା ଦିଆଯାଏ । ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ରାଜ୍ୟ ସରକାର କାହିଁକି ବେଞ୍ଚ୍ ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ କରୁନାହାନ୍ତି? ଜାଗା ଚିହ୍ନଟ ନ କରି ବଜେଟରେ ମିଛି ମିଛିକା ସାଙ୍କେତିକ ଟଙ୍କା ରଖିବାର ମାନେ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଅର୍ଥମନ୍ତ୍ରୀଙ୍କୁ କିଛି ଜଣାନଥାଏ । ଯାହା ବରିଷ୍ଠ ଲୋକମାନେ କହିବେ, ସେଟାକୁ ସେ ପଢ଼ି ଦେଇଥିବେ । ମୁଖ୍ୟମନ୍ତ୍ରୀ କେବେ ହାଇକୋର୍ଟ ବିଚାରପତିଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିବେ, ତା’ର ତାରିଖ ନିର୍ଦ୍ଧାରଣ କରନ୍ତୁ ବୋଲି ସେ କହିଛନ୍ତି ।