କଟକ, ୦୩/୦୪: କୌଣସି କଏଦୀ ଜେଲ୍ ପାଚେରି ପାଖକୁ ଆସିବା ମାତ୍ରେ ତୁରନ୍ତ ବାଜିବ ସାଇରନ୍ । ଯଦି ରାତି ସମୟରେ ଜେଲ୍ର ଅନ୍ତେବାସୀ ସେଲ୍ ବାହାରକୁ ଆସି କ୍ୟାମ୍ପସ୍ରେ ବୁଲୁଥାନ୍ତି ତେବେ ବର୍ଜର ବାଜି ସମସ୍ତଙ୍କୁ ସତର୍କ କରିଦେବ । - ଏଭଳି କିଛି ନୂଆ ସୁରକ୍ଷା ବ୍ୟବସ୍ଥା ଏବେ ରାଜ୍ୟର ସମସ୍ତ ମଣ୍ଡଳ କାରଗାର ଓ ପ୍ରମୁଖ ଜେଲ୍ରେ ଲାଗୁ ହେବାକୁ ଯାଉଛି । ଏସବୁ ସମ୍ଭବ ହେବ ହାଇସେନ୍ସିଟିଭ୍ ‘ଏଆଇ’ କ୍ୟାମେରା ଯୋଗେ । ଖାଲି ସେତିକି ନୁହେଁ, ଜେଲ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିବା ପାଇଁ ଢାଞ୍ଚାଗତ ପରିବର୍ତ୍ତନ ସହିତ ମାନବସମ୍ବଳ ବଢ଼ାଇବା ଦିଗରେ ମଧ୍ୟ ଜେଲ୍ ବିଭାଗ ଖୁବ୍ ଶୀଘ୍ର ବଡ଼ ଧରଣର ପଦକ୍ଷେପ ନେବାକୁ ଯାଉଛି ।
ଚୌଦ୍ୱାର ସର୍କଲ୍ ଜେଲ୍ରୁ ଦୁଇ ବିଚାରାଧୀନ ବନ୍ଦୀ ଫେରାର୍ ହେବା ଘଟଣା ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେଲ୍ କାଟି ଦୁଇ କଏଦୀ ବାହାରକୁ ଆସିବା ଓ ଦୁଇଟି ବଡ଼ ପାଚେରି ଡେଇଁ ଚମ୍ପଟ ମାରିବା ଘଟଣା ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏହି ଘଟଣା ପରେ ଜେଲ୍ ବିଭାଗ ପକ୍ଷରୁ ଏକାଧିକ କମିଟି ଗଠନ କରାଯାଇ ସୁରକ୍ଷା ଦିଗରେ କ’ଣ ସବୁ ପଦକ୍ଷେପ ନେଇହେବ ସେନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏବେ ରାଜ୍ୟରେ ମୋଟ୍ ୮୭ଟି ଜେଲ୍ ରହିଛି । ତନ୍ମଧ୍ୟରୁ ୭ଟି ସର୍କଲ୍ ଜେଲ୍ ବା ମଣ୍ଡଳ କାରାଗାର, ୧୭ଟି ଜିଲ୍ଲା ଜେଲ୍, ୬ଟି ସ୍ପେସାଲ୍ ଜେଲ୍ ୨ଟି ସ୍ୱତନ୍ତ୍ର ସବ୍ଜେଲ୍ ବା ଉପକାରାଗାର, ୫୩ଟି ସବ୍ଜେଲ୍, ଗୋଟିଏ ସ୍ୱତନ୍ତ୍ର ମହିଳା ଓ ଗୋଟିଏ ଓପନ୍ ଜେଲ୍ ବା ମୁକ୍ତ କାରାଗାର ରହିଛି । ତେବେ ଏହା ମଧ୍ୟରୁ ସର୍କଲ୍ ଜେଲ୍ ଓ ଜିଲ୍ଲା କାରାଗାରରେ ସବୁବେଳେ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ରହୁଛି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବଡ଼ ଚିନ୍ତା । ଏଥିସହିତ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆବଶ୍ୟକତା ଦୃଷ୍ଟିରୁ ଏଠାରେ ରଖାଯାଉଛି । ହେଲେ ଏସବୁ ଜେଲ୍ରେ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ହେଉନି । ତେଣୁ ଜେଲ୍ରୁ ଅପରାଧୀ ଖସିଯିବା, ଜେଲ୍ ଭିତରେ ଗୋଷ୍ଠୀ ସଂଘର୍ଷ ହେବା, ନିଶା କାରବାର, ଆତ୍ମହତ୍ୟା ଭଳି ଘଟଣା ବଢ଼ିଚାଲିଛି । ଏଭଳି ସ୍ଥିତିରେ ଜେଲ୍ର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବାକୁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କ ଆଗରେ କିଛି ପ୍ରସ୍ତାବ ରଖିଥିଲା । ଏହି ପ୍ରସ୍ତାବକୁ ରାଜ୍ୟ ସରକାର ମଧ୍ୟ କେତେକାଂଶରେ ଗ୍ରହଣ କରିଛନ୍ତି ।
ଯୋଜନା ଅନୁସାରେ, ରାଜ୍ୟର ସବୁ ସର୍କଲ୍ ଜେଲ୍, ଜିଲ୍ଲା ଜେଲ୍ ଓ ସ୍ୱତନ୍ତ୍ର ଜେଲ୍ ସହିତ କିଛି ଉପକାରାଗାରରେ ପ୍ରଥମ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ । ସେଥିପାଇଁ ଏସବୁ ଜେଲ୍ରେ ‘ଏଆଇ’ କ୍ୟାମେରା ଲାଗିବ । ଜେଲ୍ର ପୁରୁଣା କ୍ୟାମେରାଗୁଡ଼ିକୁ ଧିରେ ଧିରେ ବଦଳାଯିବ । ନୂଆ ଅତ୍ୟାଧୁନିକ ଏଆଇ କ୍ୟାମେରା ଡାଟା ବେସ୍ରେ ବିଚାରାଧୀନ ବନ୍ଦୀ ଓ କଏଦୀଙ୍କର ଫଟୋ ଓ ଭିଡିଓ ରହିବ । ୨୪ ଘଣ୍ଟା କ୍ୟାମେରାଗୁଡ଼ିକ ଏହି ଡାଟା ବେସ୍କୁ ନେଇ ଭିଡିଓ ରେକର୍ଡ କରିବେ । ଯଦି କେହି ଅନ୍ତେବାସୀ ଜେଲ୍ର ପାଚେରି ପାଖକୁ ଯାଆନ୍ତି ତାହେଲେ ଏଆଇ କ୍ୟାମେରା ତୁରନ୍ତ ସାଇରନ୍ ବଜାଇବ । ସେହିପରି ରାତି ସମୟରେ କ୍ୟାମେରା ସାମ୍ନାକୁ କେହି କଏଦୀ କିମ୍ବା ଅନ୍ତେବାସୀ ଆସିଲେ ତାହା ତୁରନ୍ତ ବର୍ଜର ବଜାଇଦେବ । ସେହିପରି ପ୍ରାୟ ସବୁ ମଣ୍ଡଳ କାରଗାରରେ ୱାଚ୍ ଟାୱାର ବୃଦ୍ଧି କରାଯିବ । ଚୌଦ୍ୱାର ସର୍କଲ୍ ଜେଲ୍ରେ ପୂର୍ବରୁ ୪ଟି ୱାଚ୍ଟାୱାର ଥିବା ବେଳେ ଏହା ୬ଟି ହେବ । ସେହିପରି ପ୍ରତି ସର୍କଲ୍ ଜେଲ୍ରେ ଗୋଟିଏ ପ୍ଲାଟୁନ୍ ବନ୍ଧୁକଧାରୀ ଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯିବାକୁ ନିଷ୍ପତ୍ତି ହୋଇଛି । ଅର୍ଥାତ୍ ପ୍ରତି ୮ ଘଣ୍ଟା ସିଫ୍ଟରେ ଅନ୍ୟୁନ୍ ୧୦ରୁ ୧୨ ଜଣ ଅଧିକ ଗାର୍ଡ ଜେଲ୍ରେ ରହିବେ ।
ଅଧିକ ପଢ଼ନ୍ତୁ :- ଜିଆଇ ଟ୍ୟାଗ୍ ଦୌଡ଼ରେ ମାଣିକପାଟଣା ଦହି, ଆବେଦନ କରିବ ଓୟୁଏଟି
ଏହା ବ୍ୟତୀତ ଜେଲ୍ ଅନ୍ତେବାସୀ ସଂଖ୍ୟା ଅନୁପାତରେ ଜିଲ୍ଲା ଜେଲ୍ ଓ ଉପକାରାଗାରରେ ଗନ୍ମ୍ୟାନ୍ ବୃଦ୍ଧି କରାଯିବ । ବହୁ ଜେଲ୍ର ପାଚେରି ଉଚ୍ଚତା କମ୍ ରହିଛି ଓ ସେଠାରେ ଥିବା ଲୁହା ତାରବାଡ଼ ପୁରୁଣା ହେଲାଣି । ତେଣୁ ପାଚେରି ଉଚ୍ଚତା ଅନ୍ୟୁନ ୫୦ ପ୍ରତିଶତ ଅଧିକ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ପାଚେରି ଉପର ତାରବାଡ଼ରେ ବିଦ୍ୟୁତ୍ ଝଟ୍କା ଦେବାର ବ୍ୟବସ୍ଥା ମଧ୍ୟ କରାଯିବ । ଅନ୍ୟପକ୍ଷରେ ପ୍ରଥମେ କିଛି ସର୍କଲ୍ ଜେଲ୍ରେ ବ୍ୟାଗେଜ୍ ସ୍କାନର ଲାଗିବ ବୋଲି ନିଷ୍ପତ୍ତି ନିଆଯାଇଛି । ରେଳ ଷ୍ଟେସନ୍ ଓ ବସ୍ ଟର୍ମିନାଲ୍ରେ ଲାଗୁଥିବା ବ୍ୟାଗଜ୍ ସ୍କାନର ଏଠାରେ ଲାଗିବ । ପର୍ଯ୍ୟାପ୍ତ ସଂଖ୍ୟାରେ ୱାର୍ଡର୍ ନରହିବା ଜେଲ୍ରେ ସବୁଠୁ ବଡ଼ ସମସ୍ୟା ଥିବାରୁ ଏହାକୁ ସମାଧାନ ପାଇଁ ଉଦ୍ୟମ ହେଉଥିବା ସୂଚନା ମିଳିଛି । ଅଧିକ ଜେଲ୍ ୱାର୍ଡର ନିଯୁକ୍ତି ପାଇଁ ପଦ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ହେଉଛି । ଏହାକୁ ସରକାର ବିଚାର କରୁଛନ୍ତି । ନୂତନ ନିଯୁକ୍ତି ଦ୍ୱାରା ବିଭିନ୍ନ ଉପକାରାଗାରରେ ଲାଗିରହିଥିବା ୱାର୍ଡର୍ ସମସ୍ୟା ଦୂର କରିବା ପାଇଁ ଯୋଜନା କରାଯାଇଛି ।