ଭୁବନେଶ୍ୱର, ୩/୪ : ଜାତୀୟସ୍ତରରେ ପହଞ୍ଚିବ ଓଡ଼ିଶା ପ୍ରସିଦ୍ଧ ମାଣିକପାଟଣା ଦହି । ଚଳିତମାସ ଶେଷ ସୁଦ୍ଧା ଏହି ଦହିକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌(ଜିଆଇ) ଟ୍ୟାଗ୍‌ ପାଇଁ ଆବେଦନ କରିବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) । ଏନେଇ ସମସ୍ତ କାଗଜପତ୍ର ପ୍ରସ୍ତୁତ ସରିଛି ଯାହାକୁ ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ପଠାଯିବ ବୋଲି ଦହି ଉପରେ ରିପୋର୍ଟ ପ୍ରସ୍ତୁତ କରୁଥିବା ବରିଷ୍ଠ ପ୍ରଫେସର ତଥା ଗବେଷକ ଦୟାନିଧି ମିଶ୍ର ସୂଚନା ଦେଇଛନ୍ତି ।  

ଗବେଷକଙ୍କ କହିବା କଥା, ମାଣିକପାଟଣା ଦହିର ପ୍ରାଚୀନ ଇତିହାସ ରହିଛି । ଖୋର୍ଦ୍ଧା ଜିଲ୍ଲାର ଚିଲିକା, ବାଣପୁର ଆଦି ସ୍ଥାନରେ ଥିବା ଦେଶୀ ମଇଁଷିଙ୍କ କ୍ଷୀରରେ ଦହି ତିଆରି ହୁଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସହ ଏହି ଦହି ଜଡ଼ିତ ବୋଲି ଗବେଷକମାନେ ଦାବି କରିଆସିଛନ୍ତି । ବିଶ୍ୱାସ ରହିଛି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡଠାକୁର ଶ୍ରୀବଳଭଦ୍ର କାଞ୍ଚି ରାଜାଙ୍କ ସହ ଯୁଦ୍ଧ ପାଇଁ ଗଲା ବେଳେ ମାଣିକ ଗଉଡଣୀ ହାତରୁ ଏହି ଦହି ପିଇଥିଲେ । ସେଦୃଷ୍ଟିରୁ ଉଭୟ ଚିଲିକା ମଇଁଷି ଓ ଦହି ସ୍ଥାନୀୟ ଅଞ୍ଚଳରେ ଭାରି ପ୍ରସିଦ୍ଧ ।

ଆହୁରି ପଢନ୍ତୁ- ଅଧିକ ଆର୍ଦ୍ରତା ପାଇଁ ଭୀଷଣ ଗୁଳୁଗୁଳି: ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାର୍‌, ଏପ୍ରିଲ୍ ୪ରୁ କାଳବୈଶାଖୀ ବର୍ଷା 

ଏହାପୂର୍ବରୁ ଚିଲିକା ମଇଁଷିଙ୍କ ଉପରେ ମଧ୍ୟ ଓୟୁଏଟି ଗବେଷଣା କରିଛି । ଗବେଷଣା ସମୟରେ ଏହି ମଇଁଷିଙ୍କ କ୍ଷୀରରେ ଓମେଗା-୩ ଓ ଫ୍ୟାଟି ଏସିଡ୍‌ ଥିବା ପ୍ରମାଣିତ ହୋଇଥିଲା । ଏହି ମଇଁଷି ଚିଲିକା କୂଳରେ ରାତି ତମାମ ବୁଲି ଲୁଣି ପାଣିରେ ଉଠିଥିବା ଦଳ, ନଳ ଘାସ ଖାଇଥାନ୍ତି । ସେଥିପାଇଁ ଏହି ମଇଁଷିଙ୍କୁ ରାତିର ରାଣୀ କୁହାଯାଏ  । ଲୁଣି ପାଣିରେ ଥିବା ଘାସ ଓ ଦଳ ଖାଇବା କାରଣରୁ ଏମାନଙ୍କ କ୍ଷୀରରେ ପ୍ରଚୁର ମାତ୍ରାରେ ଓମେଗା-୩ ଏସିଡ୍‌ ରହିଥାଏ  । ସେତିକି ନୁହେଁ, ଏହି କ୍ଷୀରରେ ଆଣ୍ଟି କ୍ୟାନ୍‌ସର ତତ୍ତ୍ୱ ରହିଥିବା ୩ ବର୍ଷ ତଳେ ନ୍ୟାସନାଲ ବ୍ୟୁରୋ ଅଫ ଆନିମଲ ଜେନେଟିକ ରିସୋର୍ସର ଗବେଷଣାରୁ ଜଣାପଡିଥିଲା । ସେଥିପାଇଁ ଏହି ମଇଁଷିକୁ ଜାତୀୟସ୍ତରରେ ପ୍ରଜାତି ମାନ୍ୟତା ମଧ୍ୟ ମିଳିସାରିଛି । ଚିଲିକା ମଇଁଷିଙ୍କଠାରେ ୪୮ ଗୁଣସୂତ୍ର ରହିଥିବା ବେଳେ ଏହାଠାରୁ ଉତ୍ପାଦିତ କ୍ଷୀର ଅନ୍ୟ ମଇଁଷି ଓ ଗାଈଙ୍କ କ୍ଷୀର ତୁଳନାରେ ଢେର ବହଳିଆ  । ସେଥିପାଇଁ ଏହି କ୍ଷୀରକୁ ବାଉଁଶିଆରେ ରଖାଯାଇ ଦହି କରାଯାଇଥାଏ । ଏବେ ‘ସଂପର୍କ’ ନାମକ ଏକ ସାମାଜିକ ସଙ୍ଗଠନ ଏହି ଦହିକୁ ନେଇ ବିଭିନ୍ନ ମେଳା, ମହୋତ୍ସବରେ ବିକ୍ରି କରୁଛି ।  

ଗବେଷକ ପ୍ରଫେସର ଶ୍ରୀ ମିଶ୍ରଙ୍କ କହିବା କଥା, ୫ମାସ ତଳୁ ଆମେ ଦହି ଉପରେ ଗବେଷଣା କରିଆସୁଛୁ । ଆମେ ମୁଖ୍ୟତଃ ତିନିଟି ତଥ୍ୟ ଉପରେ ଗୁରୁତ୍ୱ ଦେଇଥିଲୁ । ପ୍ରଥମଟି ହେଲା ଦହିରେ ଅଞ୍ଚଳ ତଥା ଇତିହାସ, ଦ୍ୱିତୀୟରେ ଗୁଣାବତ୍ତା ଓ ତୃତୀୟଟି ପ୍ରସ୍ତୁତ ପ୍ରଣାଳୀ । ସେଥିପାଇଁ ଗବେଷଣା ଟିମ୍‌ ଚିଲିକା ଆଖପାଖ ଗାଁ ବୁଲି ଦହିର ନମୁନା ସଂଗ୍ରହ କରିଥିଲୁ । ସ୍ଥାନୀୟ ମଇଁଷିପାଳକଙ୍କ ସହ ଆଲୋଚନା କରିଥିଲୁ । ଗବେଷଣାରୁ ଜାଣିଲୁ ଯେ, ଏହି ଦହି ବହୁତ ବହଳିଆ । ଏହା କେବଳ ଚିଲିକା ମଇଁଷିର କ୍ଷୀରରୁ ତିଆରି ହେଉଛି । ଏହା ବାଉଁଶିଆରେ ତିଆରି ହୁଏ ଓ ସେହି ବାଉଁଶିଆକୁ ନେଇ ବିକ୍ରି କରାଯାଏ । ଜିଆଇ ଟ୍ୟାଗର ପ୍ରକ୍ରିୟା ବହୁତ ଲମ୍ବା । ଥରେ ଏହାକୁ ମାନ୍ୟତା ମିଳିଲେ, ଏହି ଦହି ବିଶ୍ୱସ୍ତରରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି ।

ସମ୍ବଲପୁର ସରସତିଆ, ଢେଙ୍କାନାଳ ପାଳବାଇଗଣ ବି ଦୌଡ଼ରେ

କେବଳ ମାଣିକପାଟଣା ଦହି ନୁହେଁ, ଏହାସହ ସମ୍ବଲପୁରର ପ୍ରସିଦ୍ଧ ସରସତିଆ ଓ ଢେଙ୍କାନାଳର ପାଳବାଇଗଣକୁ ମଧ୍ୟ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିବ ଓୟୁଏଟି । ଦହି ଭଳି ସରସତିଆ ଓ ପାଳବାଇଗଣ ଉପରେ ମଧ୍ୟ ଗବେଷଣା ଚାଲିଛି । ଖୁବଶୀଘ୍ର ଗବେଷଣା ଶେଷ ହେବା ସହ ରିପୋର୍ଟ ପ୍ରସ୍ତୁତ କରାଯିବ । ଦହି ସହ ଅନ୍ୟ ଦୁଇଟି ଉତ୍ପାଦର ନଥିପତ୍ରକୁ ସମାନ ସମୟରେ ପଞ୍ଜୀକରଣ କରାଯିବ ବୋଲି ପ୍ରଫେସର ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।