ଭୁବନେଶ୍ୱର, ୦୭/୦୬: ଯେଉଁ ସବୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ସ୍କୁଲ ଅଲଗା ହେବ । କମ୍ପୋଜିଟ୍ ମହାବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୃଥକୀକରଣ କରାଯିବ । ଏନେଇ ପୁଣି ଥରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ମହାବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଙ୍କ ସମେତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରାଯାଇଛି ।
ବିଭାଗ ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି, ମାତ୍ର ସରକାରଙ୍କ ଦୃଷ୍ଟିଗୋଚର ହୋଇଛି ଯେ, ଅଧିକାଂଶ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଭାଜନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ । ତେଣୁ ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଲଗା କରିବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉ ବୋଲି ଚଳିତବର୍ଷ ମେ ୬ରେ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଏକ ମିଳିତ ବୈଠକ ହୋଇଥିଲା । ବୈଠକରେ ବିଚାର ବିମର୍ଷ ପରେ ନିଷ୍ପତ୍ତି ନିଆଯାଇଛି ଯେ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜକୁ ଅଲଗା କରାଯିବ । ଏଥିପାଇଁ ଏକ ୪ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅଧ୍ୟକ୍ଷ ରହିବେ । ଡିଗ୍ରୀ କଲେଜର ଅଧ୍ୟକ୍ଷ, ଉପ ଜିଲ୍ଲାପାଳ ତଥା ଏସ୍ଡିଏମ୍ ସଦସ୍ୟ ରହିବେ । ଜିଲ୍ଲା ଶିକ୍ଷା ଅଧିକାରୀ ସଦସ୍ୟ ଆବାହକ ଭାବେ ଏହି କମିଟିରେ ରହିବେ ।
ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯୋଗାଯୋଗ କରିବେ । ଏହାପରେ କ୍ଷେତ୍ର ପରିଦର୍ଶନ, ବିଭାଜନ ଯୋଜନା ପାଇଁ ପ୍ରାରମ୍ଭିକ ପଦକ୍ଷେପ ନେବେ । ବିଭାଗ ମଧ୍ୟ ଏହା କହିଛି, ଯଦି ବିଭାଜନରେ କୌଣସି ଅସୁବିଧା ହୁଏ ତେବେ ତାର ବିକଳ୍ପ ବ୍ୟବସ୍ଥା କରାଯିବ । ଯେଉଁଥିରେ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ଉକ୍ତ ଡିଗ୍ରୀ କଲେଜର ଜମିରୁ କିଛି ଅଂଶ ପ୍ରଦାନ କରିବେ । ଯଦି ସମ୍ଭବ ହୁଏ ନିକଟସ୍ଥ ହାଇସ୍କୁଲକୁ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରାଯିବ । କମ୍ପୋଜିଟ୍ ଯୁକ୍ତ ଦୁଇର କର୍ମଚାରୀଙ୍କୁ ସେହି ଉନ୍ନୀତ ଅନୁଷ୍ଠାନକୁ ସ୍ଥାନାନ୍ତର କରିବା ସହ ପୂର୍ବ ଅନୁଷ୍ଠାନକୁ ବନ୍ଦ କରି ଦିଆଯିବ । ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଜମି ଥିବା ନିକଟସ୍ଥ ହାଇସ୍କୁଲକୁ କମ୍ପୋଜିଟ୍ ହାୟାର ସେକେଣ୍ଡାରୀ ସ୍କୁଲକୁ ସ୍ଥାନାନ୍ତରଣ କରାଯିବ ।
ଅଧିକ ପଢ଼ନ୍ତୁ :- Industrial Projects Approved : ରାଜ୍ୟରେ ୨୪ ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ନିବେଶ ହେବ ୩୭୯୩ କୋଟି ଟଙ୍କା
ଏହା ମଧ୍ୟ କୁହାଯାଇଛି, ଯେଉଁ କ୍ଷେତ୍ରରେ କୋଠାବାଡ଼ି କିମ୍ବା ଜମି ବିଭାଜନ ହୋଇନପାରେ ସେଠାରେ ୭୦:୩୦ ଅନୁପାତରେ ଶ୍ରେଣୀଗୃହଭିତ୍ତିକ ପୃଥକୀକରଣ କରାଯିବ । ଅର୍ଥାତ୍ ୭୦ ପ୍ରତିଶତ ମହାବିଦ୍ୟାଳୟ ପାଇଁ ବ୍ୟବହାର ହେବ ଆଉ ୩୦ ପ୍ରତିଶତ ଯୁକ୍ତ ଦୁଇ ଶ୍ରେଣୀ ପାଇଁ ବ୍ୟବହାର ହେବ । କିନ୍ତୁ ଏକା ସମାନ ପରିସର ମଧ୍ୟରେ ପୃଥକୀକରଣ ହେଲେ, କ୍ୟାଣ୍ଟିନ୍, ଖେଳ ପଡ଼ିଆ, ପ୍ରେକ୍ଷାଳୟ, ବହୁମୁଖୀ ହଲ୍, ଗ୍ରନ୍ଥାଗାର, ପାଠାଗାର, ଆଦି ସାଧାରଣ ସୁବିଧାକୁ କଲେଜସ୍ତରରେ ପାରସ୍ପରିକ ନିଷ୍ପତ୍ତି ଅନୁଯାୟୀ ଡିଗ୍ରୀ କଲେଜ ଓ ଯୁକ୍ତ ଦୁଇ କଲେଜ କର୍ତ୍ତୃପକ୍ଷ ପଢ଼ାରେ ମିଳିତ ଭାବେ ବ୍ୟବହାର କରିବେ । ଚିଠିରେ ଏହା ମଧ୍ୟ କୁହାଯାଇଛି, ସମ୍ପୃକ୍ତ କମ୍ପୋଜିଟ୍ କଲେଜ, ସଂସ୍କୃତ କଲେଜର ଅଧ୍ୟକ୍ଷ ଓ ସଂପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ଏହି ଚିଠିକୁ ଆଧାର କରି ବିଭାଜନ ଯୋଜନା ପ୍ରସ୍ତୁତ କରିବେ । ଏହାର ଚୂଡ଼ାନ୍ତ ରୂପ ଦେବା ପାଇଁ ଜିଲ୍ଲାପାଳଙ୍କ ପାଖେ ରିପୋର୍ଟ ଦାଖଲ କରିବେ । ଏହାକୁ ଗୁରୁତ୍ୱର ସହ ନେବାକୁ କୁହାଯାଇଛି ।
ବିଭାଗ ଚିଠିରେ ଉଲ୍ଲେଖ କରାଯାଇଛି, ୨୦୧୬ ମେ ୨୪ରେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ନମ୍ବର ୧୨୪୯୩ରେ ଏକ ଚିଠି କରିଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ୨୦୧୬ ଜୁଲାଇ ୧ ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣକୁ ହସ୍ତାନ୍ତର କରାଗଲା । ଉଭୟ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜର ସୁଚାରୁ ପରିଚାଳନା, ଶାନ୍ତିପୂର୍ଣ୍ଣ ଭାବେ ଶିକ୍ଷାଦାନ ଓ ଶୃଙ୍ଖଳିତ ପରିବେଶ ବଜାୟ ରଖିବା ପାଇଁ ଉଭୟର ଭିତ୍ତିଭୂମି ପୃଥକ କରିବାକୁ ନିଷ୍ପତ୍ତି ହୋଇଥିଲା ।