PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଜଟଣୀରେ ହିଲ୍‌ଟପ୍‌ ପାର୍କ, ୩୩ ଏକର ପ୍ରାକୃତିକ ପରିବେଶରେ ନିର୍ମାଣ ହେବ ପାର୍କ

ଜଟଣୀ,୨୪।୫: ପାହାଡ଼ ଉପରେ ପ୍ରାକୃତିକ ପରିବେଶରେ ଜଟଣୀରେ ହେବାକୁ ଥିବା ହିଲ୍ଟପ ପାର୍କ ଡିଜାଇନର ଦୃଶ୍ୟକୁ ଆଜି ପ୍ରଦର୍ଶିତ କରାଯାଇଥିଲା । ପ୍ରସ୍ତାବିତ ପାର୍କର ଯୋଜନା ଉପରେ ଆଜି ସ୍ଥାନୀୟ ରେଲୱେ ଅଫିସର୍ସ କ୍ଲବ ପରିସରରେ ମ୍ୟୁନିସିପାଲିଟି ପକ୍ଷରୁ ଆହୂତ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ । ଉପସ୍ଥିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ହେବାକୁ ଯାଉଥିବା ପାର୍କ ଉପରେ ନିଜ ମତାମତ ରଖିଥିଲେ । ସମସ୍ତେ ଏହାକୁ ସ୍ୱାଗତ କରିଥିଲେ । ଜିଲ୍ଲା ପ୍ରଶାସନ, ବିଡିଏ ଓ ସ୍ଥାନୀୟ ମ୍ୟୁନିସିପାଲିଟିକୁ ଧନ୍ୟବାଦ ଦେଇଥିଲେ ।

ଭୁବନେଶ୍ୱର ଅର୍ବାନ ନଲେଜ୍‌ ସେଣ୍ଟର କର୍ମଚାରୀ ପ୍ରସ୍ତାବିତ ପାର୍କର ଡିଜାଇନ୍‌କୁ ସ୍କ୍ରିନ୍‌ ମାଧ୍ୟମରେ ଦେଖାଇଥିଲେ । ଜଟଣୀ ପୌରାଞ୍ଚଳର ବାଛରା ପାହାଡ଼ ଉପର ଓ ଏହାର ପାଦଦେଶରେ ୩୩ ଏକର ପ୍ରାକୃତିକ ପରିବେଶରେ ଏହି ହିଲ୍ଟପ୍‌ ପାର୍କ କରାଯିବ । ବିଡିଏ ଦ୍ୱାରା ଏହାର ନିର୍ମାଣ ହେବା ଅବସର ବିନୋଦନ ସହିତ ମନୋରଂଜନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରସ୍ତାବିତ ପାର୍କ ମଧ୍ୟରେ ବିଭିନ୍ନ ବ୍ୟବସ୍ଥା ରହିବ । ବିଶେଷକରି ପାର୍କ ପରିସରକୁ ସବୁଜ ବନାନୀରେ ପରିଣତ କରିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି । ପାହାଡ଼ ଉପରୁ ତଳକୁ ସମତଳ ଚଟାଣ, ଦୁସାହସିକ ସାଇକେଲ ଚାଳନା, ରକ୍‌ ଟ୍ରେଲ, ଜଙ୍ଗଲ ମଧ୍ୟରେ ଚଲାବାଟ, ଜଳାଶୟ, ଟ୍ରି ହାଉସ୍‌ ଆଦି ବ୍ୟବସ୍ଥା ରହିବ । ବିଭିନ୍ନ ଫୁଲର ବଗିଚା କରାଯିବ । ଏହାଛଡ଼ା ବିଭିନ୍ନ ଔଷଧୀୟ ଓ ମସଲା ଜାତୀୟ ଗଛ ରୋପଣ କରାଯିବ । ସେହିପରି ଶାଗୁଆନ, ଶାଳ, ପିଆଶାଳ, ଆକାଶୀ, ନିମ୍ବ ଭଳି ଅନେକ ଗଛ ଲଗାଯିବ । ଲୋକଙ୍କ ବସିବା, ବିଶ୍ରାମ ନେବା ପାଇଁ ବାଉଁଶରେ ଚେୟାର, ବେଞ୍ଚ, କଟେଜ ବ୍ୟବସ୍ଥା ରହିବ । ଏପରିକି ପାର୍କର ପ୍ରବେଶପଥକୁ ବାଉଶରେ ସଂପୂର୍ଣ୍ଣ ନିର୍ମାଣ କରାଯିବ ।

ପାର୍କ ମଧ୍ୟରେ ଜଳସଂରକ୍ଷଣ ବ୍ୟବସ୍ଥା କରାଯିବା ନେଇ ରହିଥିବା ଡିଜାଇନ୍‌ରେ ଦର୍ଶାଯାଇଛି । ଜିଲ୍ଲାପାଳ, ଡିଏଫ୍‌ଓ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୌରାଧ୍ୟକ୍ଷ ଅନନ୍ତ ବେହେରା, ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ଆଇନ୍‌ଜୀବୀ ବିଶ୍ୱନାଥ ଯୋଶୀ, ଶ୍ରମିକ ୟୁନିଅନର ସାଧାରଣ ସଂପାଦକ ପି.କେ.ପାଟ୍ଟଶାହାଣୀ, ଲକ୍ଷ୍ମୀଧର ବିଶ୍ୱାଳ, କାଶୀନାଥ ନାୟକ, ଧନେଶ୍ୱରମଙ୍ଗରାଜ, ଦାମୋଦର ପାଇକରାୟ, ପୂର୍ବତନ ପୌରାଧ୍ୟକ୍ଷ ଗୌରୀପ୍ରସାଦ ସିଂ, ଅଶୋକ ବଳିଆରସିଂହ, ବ୍ୟବସାୟ ମହାସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ, କାଉନ୍‌ସିଲର, ପୂର୍ବତନ କାଉନ୍‌ସିଲର, ଆଇନ୍‌ଜୀବୀ, ମହିଳା ଗୋଷ୍ଠୀର ସଦସ୍ୟା ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ ।