ଶିମଲା: ଆଇସିସି ମହିଳା ଦିନିକିଆ ବିଶ୍ବକପ୍ ଟାଇଟଲ୍ ହାସଲ କରିଛି ଭାରତ । ରବିବାର ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ମହିଳା ଦଳ ବିଶ୍ବ ଚାମ୍ପିଅନ ହୋଇଛି । ମହିଳା କ୍ରିକେଟ ଦଳର ଏହି ବିଜୟ ଉତ୍ସବକୁ ସାରା ଦେଶ ପାଳନ କରୁଛି । ସବୁଠାରୁ ବଡ଼ କଥା ହେଉଛି, ଟିମ୍ର ପ୍ରତ୍ୟେକ ଖେଳାଳି ଏହି ବିଜୟ ପାଇଁ ଲଢ଼େଇ କରିଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଷ୍ଟାର ବୋଲର ରେଣୁକା ସିଂହ ଠାକୁର । ହିମାଚଳ ପ୍ରଦେଶର ଝିଅ ରେଣୁକାଙ୍କୁ ରାଜ୍ୟ ସମେତ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେପଟେ ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଥିବା ରେଣୁକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ହିମାଚଳ ସରକାର । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରେଣୁକାଙ୍କୁ ଫୋନ୍ କରି କଥା ହୋଇଥିବା ବେଳେ ରାଜ୍ୟ ସରକାର ତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦେବେ ବୋଲି କହିଛନ୍ତି ।
ଭାରତର ବିଶ୍ୱକପ୍ ବିଜୟ ପରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ରେଣୁକା ସିଂହ ଠାକୁରଙ୍କ ସହ ଫୋନରେ କଥା ହୋଇଛନ୍ତି। ତାଙ୍କ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି ଯେ, ଦେଶର ଝିଅମାନେ ବିଶ୍ୱସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି। ରେଣୁକାଙ୍କୁ ରାଜ୍ୟର ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି କହିବା ସହ ଜଣେ ହିମାଚଳୀ ଝିଅ ଦଳରେ ଖେଳିବା ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ସିଏମ ସୁଖୁ । ରେଣୁକାଙ୍କ ସହ କଥା ହେବା ସମୟରେ ସେ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ୧ କୋଟି ଟଙ୍କର ପୁରସ୍କାର ରାଶି ପ୍ରଦାନ କରିବେ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ ଅଧା ଦେଖିଛନ୍ତି । ଆଉ ସେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ମ୍ୟାଚ୍ ଦେଖିଛନ୍ତି । ରେଣୁକା ସିଂହ ଠାକୁର ବହୁତ ବଡ଼ ସଫଳତା ହାସଲ କରିଛନ୍ତି, ଯାହା ବିଶେଷ କରି ହିମାଚଳର ଝିଅମାନଙ୍କ ପାଇଁ ପ୍ରେରଣା । ସବୁ ପ୍ରକାର ଆହ୍ବାନର ସାମ୍ନା କରି ସେ ବିଶ୍ବକପ୍ ଖେଳିବା ରାଜ୍ୟ ତଥା ଦେଶ ପାଇଁ ଗର୍ବର ବିଷୟ । ପରିଶ୍ରମ ଏବଂ ନିଜ ଉପରେ ବିଶ୍ବାସ ଥିଲେ ସ୍ବପ୍ନ ପୂରଣ କରାଯାଇପାରିବ ବୋଲି ରେଣୁକା ପ୍ରମାଣ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସୁଖୁ ।
ସେପଟେ ଭାରତୀୟ ଟିମ୍ ବିଶ୍ବ ବିଜେତା ହୋଇଥିବାରୁ ରେଣୁକାଙ୍କ ଗାଁ ରୋହରୁରେ ଉତ୍ସବର ପରିବେଶ । ଗୋଟିଏ ପଟେ ଝିଅ ବିଶ୍ବକପ୍ ବିଜେତା ହେବାର ଖୁସିରେ ସେଲିବ୍ରେସନ କରୁଥିବା ବେଳେ, ସେପଟେ ପରିବାର ଲୋକେ ଗାଁଲୋକଙ୍କ ଲାଗି ଆୟୋଜନ କରିଛନ୍ତି ଭୋଜି ।