ଗୌହାଟି,୮।୨: ଆସାମ କ୍ୟାବିନେଟ୍ କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କ କଥିତ ପାକିସ୍ତାନ ଲିଙ୍କ ସହିତ ଜଡିତ ମାମଲାକୁ କେନ୍ଦ୍ର ସରକାର ଗୃହ ମନ୍ତ୍ରଣାଳୟକୁ ପଠାଇବାର ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କ୍ୟାବିନେଟ୍ ବୈଠକ ପରେ ପ୍ରେସ ବ୍ରିଫିଙ୍ଗରେ କହିଛନ୍ତି ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏସ୍ଆଇଟି ନିଜର ଯାଞ୍ଚ ରିପୋର୍ଟ ଦେଇଛି ଓ କ୍ୟାବିନେଟ୍ ସ୍ବୀକାର କରିଛି ଯେ,ଏହା ଜାତୀୟ ସୁରକ୍ଷା ସହ ଜଡିତ।

ବିଶ୍ୱ ଶର୍ମା କହିଛନ୍ତି ଯେ ଅଲି ତୌକିର ଶେଖଙ୍କ କଥିତ ‘ଭାରତ ବିରୋଧୀ ଷଡ଼ଯନ୍ତ୍ର’ ର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ କରାଯାଇଥିଲା, ଯେଉଁଥିରେ ଜଣେ ବ୍ରିଟିଶ ନାଗରିକ ଏବଂ ଜଣେ ଭାରତୀୟ ସାଂସଦଙ୍କ ସମ୍ପର୍କ ଥିବା ଜଣାପଡିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାକୁ ଗୃହ ମନ୍ତ୍ରଣାଳୟକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏସଆଇଟି ରିପୋର୍ଟ ଏବଂ ଦାୟର ହୋଇଥିବା ଏଫ୍ଆଇଆର ମଧ୍ୟ କେନ୍ଦ୍ର ସରକାରଙ୍କୁ ପଠାଯିବ। ବିଧାନସଭା ନିର୍ବାଚନ ପୂର୍ବରୁ ଗୋଗୋଇଙ୍କ ଉପରେ ବିଶ୍ୱ ଶର୍ମାଙ୍କ ଅଭିଯୋଗ ବଡ଼ ରାଜନୈତିକ ବିବାଦରେ ପରିଣତ ହୋଇଛି। ବିଶ୍ୱ ଶର୍ମା ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳର ପାକିସ୍ତାନ ସହିତ ସମ୍ପର୍କ ଅଛି। ଗୋଗୋଇଙ୍କ ପତ୍ନୀ ପୂର୍ବରୁ ପାକିସ୍ତାନ ଏନ୍‌ଜିଓ ସହିତ ଜଡିତ ଥିଲେ ଏବଂ ଗୋଗୋଇ ପୂର୍ବରୁ ପାକିସ୍ତାନ ଗସ୍ତ କରି ସାରିଛନ୍ତି।

ପାକିସ୍ତାନ ହାଇକମିଶନଙ୍କ ସହ ସାକ୍ଷାତ ଅଭିଯୋଗ

ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ସୂଚନା ପାଇଥିଲେ ଯେ ଗୌରବ ଗୋଗୋଇ ଏକ ପ୍ରତିନିଧି ମଣ୍ଡଳୀ ସହିତ ପାକିସ୍ତାନ ହାଇକମିଶନକୁ ଯାଇଥିଲେ ଏବଂ ତତ୍କାଳୀନ ପାକିସ୍ତାନ ହାଇକମିଶନର ଅବଦୁଲ ବାସିତଙ୍କୁ ଭେଟିଥିଲେ। ଏପରି ଭାବରେ କୌଣସି ନେତା ପାକିସ୍ତାନ ହାଇକମିଶନରକୁ କେବେ ଭେଟିନଥିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଗୋଗୋଇ ଜଣେ ସାଂସଦ ହୋଇଥିବାରୁ ଏସ୍ଆଇଟି ପଚରାଉଚରା କରିନାହିଁ ଏବଂ ତାଙ୍କ ପଦବୀ ପ୍ରତି ସମ୍ମାନ ଜଣାଇ ଏହି ମାମଲାକୁ କେନ୍ଦ୍ର ସରକାରଙ୍କୁ ପଠାଯାଇଛି। ଶର୍ମା କହିଛନ୍ତି ଯଦି ଗିରଫଦାରୀ ଭଳି କଠୋର ପଦକ୍ଷେପ ଏବେ ନିଆଯାଇଥାନ୍ତା, ତେବେ ନିର୍ବାଚନ ପୂର୍ବରୁ ତାଙ୍କ ଉପରେ ରାଜନୀତି ଖେଳୁଥିବାର ଅଭିଯୋଗ ମୋ ଉପରେ ଆସିଥାନ୍ତା।

ତିନି ପ୍ରମୁଖ ବ୍ୟକ୍ତିଙ୍କ ଚର୍ଚ୍ଚା

କ୍ୟାବିନେଟ ଅନୁଯାୟୀ, ଏହା ଏକ ବ୍ୟକ୍ତିଗତ ମାମଲା ନୁହେଁ ବରଂ ଏଥିରେ ତିନି ଜଣ ପ୍ରମୁଖ ବ୍ୟକ୍ତି ରହିଛନ୍ତି। ସେମାନେ ହେଲେ ସାଂସଦ, ତାଙ୍କ ବ୍ରିଟିଶ ପତ୍ନୀ ଏବଂ  ପାକିସ୍ତାନୀ ନାଗରିକ ଅଲି ତୌକିର ଶେଖ। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଶେଖଙ୍କ କଥିତ ହସ୍ତକ୍ଷେପର ତଦନ୍ତ ପାଇଁ ଏସଆଇଟିକୁ ଦାୟିତ୍ୱ ଦିଆଯାଇଥିଲା। ଏସଆଇଟି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଛି।  

ପାକିସ୍ତାନ ଗସ୍ତ ଏବଂ ସୋସିଆଲ ମିଡିଆ'ବ୍ଲାକଆଉଟ୍'ର ଦାବି

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ,ଗୌରବଙ୍କ ବାପା ତରୁଣ ଗୋଗୋଇ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜଣେ ଆସାମ ସାଂସଦ ପାକିସ୍ତାନ ଗସ୍ତ କରିଥିଲେ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ କେନ୍ଦ୍ର ସରକାରଙ୍କୁ ଏହି ଗସ୍ତ ବିଷୟରେ ସୂଚନା ଦିଆଯାଇ ନଥିଲା ଏବଂ ଗସ୍ତ ସମୟରେ ସୋସିଆଲ ମିଡିଆ ବ୍ଲାକଆଉଟ୍ ରଖା ଯାଇଥିଲା।

ପତ୍ନୀଙ୍କ କାମକୁ ନେଇ ଅଭିଯୋଗ

ବିଶ୍ୱ ଶର୍ମା ଅଭିଯୋଗ କରିଛନ୍ତି ଯେ ଗୋଗୋଇଙ୍କ ପତ୍ନୀ ଏଲିଜାବେଥ କଲବର୍ନ ମାର୍ଚ୍ଚ ୨୦୧୧ ରୁ ମାର୍ଚ୍ଚ ୨୦୧୨ ମଧ୍ୟରେ ପାକିସ୍ତାନରେ କାମ କରିଥିଲେ ଏବଂ ଅଲି ତୌକିର ଶେଖଙ୍କ ସହ ତାଙ୍କର ବୃତ୍ତିଗତ ସମ୍ପର୍କ ଥିଲା। ଏସଆଇଟି ଅନୁଯାୟୀ, ସେ ‘ଲିଡ୍ ପାକିସ୍ତାନ’ ଏବଂ କ୍ଲାଇମେଟ୍ ଆଣ୍ଡ୍ ଡେଭଲପମେଣ୍ଟ୍ ନଲେଜ୍ ନେଟୱାର୍କ (CDKN) ଭଳି ସଂଗଠନ ସହିତ ଜଡିତ ଥିଲେ। ତଦନ୍ତ ଆରମ୍ଭ ହେବା ପରେ ଶେଖ ତାଙ୍କ ସହ ଜଡିତ ପୋଷ୍ଟ ଗୁଡ଼ିକୁ ସୋସିଆଲ ମିଡିଆରୁ ହଟାଇ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୟୁପିଏ ସରକାର ସମୟରେ ଶେଖ୍ ଅନେକ ଥର ଭାରତ ଗସ୍ତ କରିଥିଲେ, କିନ୍ତୁ ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ସେ ଭାରତ ଗସ୍ତ ବନ୍ଦ କରିଦେଇଥିଲେ। ଏସଆଇଟି କିଛି ସମ୍ବେଦନଶୀଳ ସୂଚନା ଏବଂ ସାମଗ୍ରୀ ପାଇଛି, କିନ୍ତୁ ରାଜ୍ୟ ପୋଲିସର ଫୋନ୍ ରେକର୍ଡ ଏବଂ କିଛି ଗୋପନୀୟ ଡକ୍ୟୁମେଣ୍ଟ ପାଇବାର ଅଧିକାର ନାହିଁ, ଯାହାକୁ କେବଳ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସଂଗ୍ରହ କରିପାରିବେ।

ଅଭିଯୋଗକୁ ଖଣ୍ଡନ କଲେ ଗୋଗେଇ

ଗୌରବ ଗୋଗୋଇ ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଏଭଳି ଅଭିଯୋଗ ‘ହାସ୍ୟସ୍ପଦ, ଭିତ୍ତିହୀନ, ପାଗଳପଣ ଏବଂ ଅର୍ଥହୀନ’ । ସେ ମୁଖ୍ୟମନ୍ତ୍ରୀଙ୍କୁ ତଥ୍ୟ ଉପସ୍ଥାପନ ନକରି ‘ଆଇଟି ସେଲ୍ ଟ୍ରୋଲ୍’ ପରି ଆଚରଣ କରୁଥିବା ଅଭିଯୋଗ କରିଛନ୍ତି। ତେବେ ଏହି ମାମଲାକୁ ଗୃହ ମନ୍ତ୍ରଣାଳୟକୁ ପଠାଇବାର ନିଷ୍ପତ୍ତି ଉପରେ ଗୋଗୋଇଙ୍କ ତାଜା ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନି। ଏହି ଘଟଣା ଆସାମରେ ଶାସକ ବିଜେପି ଏବଂ କଂଗ୍ରେସ ନେତୃତ୍ୱ ମଧ୍ୟରେ ଦ୍ୱନ୍ଦ୍ୱକୁ ଆହୁରି ତୀବ୍ର କରିଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଗୌହାଟୀରେ ଥିବା କଂଗ୍ରେସ ମୁଖ୍ୟାଳୟ ରାଜୀବ ଭବନ ‘ଆସାମ ବିରୋଧୀ କାର୍ଯ୍ୟକଳାପ’ର ଏକ କେନ୍ଦ୍ର ପାଲଟିଛି। ସେ ତାଙ୍କ ଏବଂ ତାଙ୍କ ପରିବାର ବିରୋଧରେ ଦିଆଯାଇଥିବା ବୟାନ ପାଇଁ କଂଗ୍ରେସ ନେତାମାନଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବା ଘୋଷଣା ମଧ୍ୟ କରିଛନ୍ତି।

ଆହୁରି ପଢନ୍ତୁ : କ୍ରାସ ଲ୍ୟାଣ୍ଡିଂ ପରେ ଖଣ୍ଡ ଖଣ୍ଡ ହୋଇଗଲା ଟ୍ରେନି ଏୟାରକ୍ରାଫ୍ଟ, ଅଳ୍ପକେ ବର୍ତ୍ତିଗଲେ ଦୁଇ ପାଇଲଟ