ଇଥିଓପିଆ ଏୟାରଲାଇନସର ବିମାନ ଦୁର୍ଘଟଣା, ୧୫୭ଜଣଙ୍କ ମୃତ୍ୟୁ

ନାଇରୋବି,୧୦।୩: ଇଥୋପିୟାନ ଏୟାରଲାଇନ୍ସର ଏକ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଟ୍ବିଟ କରି ସୂଚନା ଦିଆଯାଇଚି।କେନିଆର ରାଜଧାନୀ ନାଇରୋବି ଅଭିମୁଖେ ଯାଉଥିବା ଇଥିଓପିଆର ଏୟାରଲାଇନ୍ସର ଏକ ବୋଇଂ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୪୯ ଜଣ ଯାତ୍ରୀ ଓ ୮ ବିମାନ କର୍ମଚାରୀ ଥିଲେ। ଏଭଳି ଭାବରେ ବିମାନ ଭିତରେ ମୋଟ ୧୫୭ ଜଣ ରହିଥିଲେ। ସେମାନେ ସମସ୍ତେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୩୦୨ ନମ୍ବର ବିଶିଷ୍ଟ ଏହି ବିମାନଟି ଇଥିଓପିଆର ରାଜଧାନୀ ଆଡିସ ଆବାବା ଠାରୁ ୬୨ କିଲୋମିଟର ଦୂର ବିଶୋଫତୁ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଇଥିଓପିଆନ୍ ଏୟାରଲାଇନ୍ସ ଜଣେ ଅଧିକାରୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ପଷ୍ଟ ହୋଇସାରିଛି। ସ୍ଥାନୀୟ ସମୟ ଅନୁସାରେ ସକାଳ ୮ଟା ୪୪ ମିନିଟ୍ରେ ଏହି ଦୁର୍ଘଟଣା ଘଟିଛି। ଏପରିକି ଇଥିଓପିଆର ପ୍ରଧାନମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି।