ଢାକା,୧୦।୨: ବାଂଲାଦେଶରେ ସାଧାରଣ ନିର୍ବାଚନର ମାତ୍ର ୩ ଦିନ ପୂର୍ବରୁ ୯ ଫେବୃଆରୀ ରାତିରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ  ଅତି  ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକଙ୍କ ଜଣକ ହେଲେ ୬୨ ବର୍ଷୀୟ ସୁଶେନ୍ ଚନ୍ଦ୍ର ସରକାର ଏବଂ ଦକ୍ଷିଣକାଣ୍ଡା ଗ୍ରାମର ବାସିନ୍ଦା। ସେ ଜଣେ ଚାଉଳ ବ୍ୟବସାୟୀ ଥିଲେ ଏବଂ ତ୍ରିଶାଲ୍ ଉପଜିଲ୍ଲାର ବୋଗାର ବଜାର ଛକରେ ଏକ ଦୋକାନ ଚଳାଉଥିଲେ। ତାଙ୍କୁ ଦୋକାନ ଭିତରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି।

ମୈମନସିଂ ଜିଲ୍ଲାରେ ଦ୍ୱିତୀୟ ଘଟଣା

ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ଘଟଣା ବାଂଲାଦେଶର ମୈମନସିଂ ଜିଲ୍ଲାରେ ଘଟିଛି, ଯେଉଁଠାରେ ଆଉ ଜଣେ ହିନ୍ଦୁ ବ୍ୟକ୍ତି ଦୀପୁ ଚନ୍ଦ୍ର ଦାସଙ୍କୁ ମଧ୍ୟ ପିଟି ପିଟି ହତ୍ୟା କରି ପୋଡ଼ି ଦିଆଯାଇଥିଲା।

ପୋଲିସର ସୂଚନା ଅନୁଯାୟୀ, ରାତି ୧୧ଟାରେ ବଜାର ଛକରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଜ୍ଞାତ ଆକ୍ରମଣକାରୀମାନେ ସୁଶେନଙ୍କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଆକ୍ରମଣକାରୀ ସୁଶେନଙ୍କୁ ଦୋକାନ ଭିତରେ ଛାଡି ସଟର ବନ୍ଦ କରି ଦେଇଥିଲେ। ସୁଶେନଙ୍କୁ ହତ୍ୟା କରିବା ପରେ ସେମାନେ ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଚୋରି କରି ନେଇଥିଲେ।

ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ

ସୁଶେନଙ୍କ ପରିବାର ତାଙ୍କୁ ଦୋକାନ ଭିତରେ ଖୋଜାଖୋଜି କରିବା ବେଳେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ମୈମନସିଂହ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତକଙ୍କ ପୁଅ ସୁଜନ ସରକାର କହିଛନ୍ତି, ହତ୍ୟାକାରୀମାନେ ତାଙ୍କ ବାପାଙ୍କୁ ହତ୍ୟା କରିବା ପରେ ଦୋକାନରୁ ଟଙ୍କା ଚୋରି କରିଥିଲେ। ସୁଶେନ୍ ଦୀର୍ଘ ଦିନ ଧରି ଚାଉଳ ବ୍ୟବସାୟ କରୁଥିଲେ। ମୃତଦେହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ମର୍ଗରେ ଅଛି, ଏବଂ ଆଇନଗତ ପ୍ରକ୍ରିୟା ଚାଲିଛି।