ଫତେପୁର: ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାରେ ଏକ ହିନ୍ଦୁ ସଂଗଠନର ସଦସ୍ୟମାନେ ସୋମବାର ଦିନ ଏକ ମୁସଲିମ ସମାଧିସ୍ଥଳ ବାହାରେ ଥିବା ସମାଧିକୁ ଭଙ୍ଗାରୁଜା କରିଛନ୍ତି। ଏକ ମନ୍ଦିର ଉପରେ ଏହି ସମାଧିସ୍ଥଳ ନିର୍ମିତ ହୋଇଥିବା ନେଇ ଦାବି ଉଠିବ ପରେ ଏହି ଭଙ୍ଗାରୁଜା ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଅଞ୍ଚଳରେ ଅଶାନ୍ତି ରୋକିବା ପାଇଁ ପୋଲିସ ଏବଂ ପ୍ରାଦେଶିକ ସଶସ୍ତ୍ର କନଷ୍ଟାବୁଲାରୀ (PAC) ବଳ ମୁତୟନ କରିଛି ଏବଂ ବିବାଦୀୟ ସ୍ଥାନ ଚାରିପାଶ୍ୱରେ ବ୍ୟାରିକେଡ୍ ସ୍ଥାପନ କରିଛି।

ସୂଚନା ମୁତାବକ, ମଠ ମନ୍ଦିର ସଂରକ୍ଷଣ ସଂଘର୍ଷ ସମିତି ଓ ଭାରତୀୟ ଜନତା ପାର୍ଟି (BJP) ର ଜିଲ୍ଲା ଅଧ୍ୟକ୍ଷ ମୁଖଲାଲ ପାଲ ଏହି ଅଭିଯୋଗ ଆଣିବା ପରେ ସଂଘର୍ଷ ଆରମ୍ଭ ହୋଇଛି। ଉଭୟେ ଗୋଷ୍ଟି ଦାବି କରିଥିଲେ ଯେ ସଦର ତହସିଲ ଅଞ୍ଚଳରେ ଅବସ୍ଥିତ ନୱାବ ଅବଦୁସ ସମଦଙ୍କ ସମାଧି ପ୍ରକୃତରେ ଏକ ହଜାର ବର୍ଷ ତଳର ପୁରୁଣା ମନ୍ଦିର। ଯାହା ଠାକୁର ଜୀ(ଶ୍ରୀ କ୍ରିଷ୍ଣ) ଏବଂ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ। ସେ ଏହାର ପ୍ରମାଣ ଭାବରେ ସମାଧି ଭିତରେ ଥିବା ଖମ୍ୱରେ ପଦ୍ମ ଫୁଲ ଏବଂ ତ୍ରିଶୂଳର ଉପସ୍ଥିତି ଥିବା ନେଇ ଉଲ୍ଲେଖ କରିଥିଲେ। ଏହି ଅଭିଯୋଗ ପରେ ହିନ୍ଦୁ ସଂଗଠନର ସଦସ୍ୟମାନେ ସମାଧି ପରିସରରେ ପ୍ରବେଶ କରି ବାହାରେ ଭାଙ୍ଗରୁଜା ଆରମ୍ଭ କରିଥିଲେ। 

ରିପୋର୍ଟ ଅନୁଯାୟୀ, ଫତେପୁର ଅଞ୍ଚଳରେ ବଜରଙ୍ଗ ଦଳର ସକ୍ରିୟ ସଦସ୍ୟମାନେ ଆଜି ସେହି ସ୍ଥାନରେ ଏକ ପୂଜା କରିବାକୁ ଯୋଜନା କରୁଛି ବୋଲି ସୂଚନା ମିଳିଛି। ଯାହା ପରିସ୍ଥିତିକୁ ଆହୁରି ଉତ୍ତେଜନାପୂର୍ଣ୍ଣ କରିପାରେ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ଉପ-ସଭାପତି ଭିରେନ୍ଦ୍ର ପାଣ୍ଡେ ମଧ୍ୟ ସେଠାରେ କ୍ରିଷ୍ଣ ଓ ଶିବଙ୍କର ମନ୍ଦିର ଥିବା ନେଇ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହି ସ୍ଥାନଟି ପରିକ୍ରମା ମାର୍ଗ ନିକଟରେ ଅବସ୍ଥିତ। ତେଣୁ ଏହା କେବେ ଏକ ସମାଧିସ୍ଥଳ ହୋଇ ନପାରେ। ଏହାକୁ ପରେ ବନାଯାଇଛି। ତେଣୁ ଆମକୁ ଆମ ହକ ଓ ଏହା ପଛର ସତ ଜଣା ଅଛି। ଆସନ୍ତା ଜନ୍ମାଷ୍ଟମୀ ସୁଦ୍ଧା ଆମେ ଏଠାରେ ଜନ୍ମାଷ୍ଟମି ପାଳନ କରିବାକୁ ଚାହୁଁ।”

ସରକାରୀ ରେକର୍ଡ ଅନୁଯାୟୀ, ସମାଧି ଅବସ୍ଥିତ ଖସରା ନମ୍ବର 753 କୁ "ନ୍ୟାସନାଲ ପ୍ରୋପର୍ଟୀ ମକବରା ମଙ୍ଗୀ" ଭାବରେ ତାଲିକାଭୁକ୍ତ କରାଯାଇଛି। ଯାହା ଏହାକୁ ଏକ ସୁରକ୍ଷିତ ରାଷ୍ଟ୍ରୀୟ ସ୍ମାରକୀ ଭାବରେ ଚିହ୍ନିତ କରୁଛି। ତଥାପି, ସାମ୍ପ୍ରତିକ ଧାର୍ମିକ ଦାବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି କରିଛି।

ପ୍ରଶାସନ ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରୁଛି। ଏବଂ ଅଧିକ ଅଶାନ୍ତି ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।