ମଦ ବିକ୍ରିକୁ ବିରୋଧ, ଦୋକାନ ଭାଙ୍ଗିଲେ ଶତାଧିକ ମହିଳା

ହିଞ୍ଜିଳିକାଟୁ, ୨୪/୦୧ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଶାସନ ଆମ୍ବଗାଁ ଛକରେ ମଦ ବିକ୍ରିକୁ ବିରୋଧ କରି ମଙ୍ଗଳବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଛି। ଗାଁର ଶତାଧିକ ମହିଳା ଆମ୍ବଗାଁ ଛକରେ ଖୋଲିଥିବା ଏକ ମଦ ଦୋକାନକୁ ବିରୋଧ କରି ଆସୁଥିଲେ। ଆଜି ପୂର୍ବାହ୍ନରେ ମଦ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନେଇ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ତାହା ଉଗ୍ରରୂପ ନେବାରୁ ମଦ ଦୋକାନ ଭଙ୍ଗାରୁଜା କରି ସବୁ ମଦ ବୋତଲ ବାହାରେ ଫିଙ୍ଗା ଫୋପଡା କରି ନଷ୍ଟ କରି ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକମାନେ ସରପଞ୍ଚଙ୍କ ଘର ସମ୍ମୁଖକୁ ଯାଇ ହୋହାଲ୍ଲା କରିଥିଲେ। ଖବର ପାଇ ହିଞ୍ଜିଳିକାଟୁ ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରୁଛି।
