ହୀରାକୁଦ ବନ୍ଧ ଫାଟ ମରାମତି ପ୍ରସଙ୍ଗ; ସାନି ସର୍ଭେକୁ ନେଇ ତୁଟିଲା ଆଇନଗତ ବିବାଦ

ସମ୍ବଲପୁର,୧୨ା୬(ବ୍ୟୁରୋ): ହୀରାକୁଦ ବନ୍ଧର କଂକ୍ରିଟ୍ କାନ୍ଥରେ ଅନେକ ଛୋଟ ଛୋଟ ଫାଟ ଥିବା କଥା ଗତ ୨୦୧୬ରେ ହୋଇଥିବା ସର୍ଭେରୁ ଜଣାପଡିଥିଲା । ହେଲେ ଏହାର ଅଧିକ ଅନୁଧ୍ୟାନ କରି ପ୍ରତିକାର କରିବା ପାଇଁ ଜଳସଂପଦ ବିଭାଗ ଯୋଜନା କରିଥିଲେ ହେଁ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ । ଏଥିପାଇଁ ଗତବର୍ଷଠାରୁ ସରକାର ନିୟୋଜିତ କରିଥିବା ସଂସ୍ଥା ସହ ଦେଖାଦେଇଥିଲା ବିବାଦ । ଫଳରେ ସଂପୃକ୍ତ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ରାୟ ବି ଉକ୍ତ ସଂସ୍ଥା ସପକ୍ଷରେ ଯାଇଛି । ଆଉ ଇତିମଧ୍ୟରେ ଏହି ସଂସ୍ଥା ସହିତ ବନ୍ଧ କର୍ତ୍ତୃପକ୍ଷ ଚୁକ୍ତି ବି ସାରିଥିବା ବେଳେ ଆସନ୍ତା ନଭେମ୍ବରରୁ ପୁଣି ଥରେ ବନ୍ଧର ସୁରକ୍ଷା ଯାଞ୍ଚ ପାଇଁ ଅଣ୍ଡର୍ ୱାଟର୍ ସର୍ଭେ କାମ ଆରମ୍ଭ ହେବ ବୋଲି ଜଣାପଡିଛି ।
ବିଶ୍ୱ ପ୍ରସିଦ୍ଧ ହୀରାକୁଦ ବନ୍ଧ ୬୨ ବର୍ଷ ଅତିକ୍ରାନ୍ତ କରିସାରିଛି । ଷାଠିଏ ଛୁଇଁବା ପୂର୍ବରୁ ବନ୍ଧର ସୁରକ୍ଷା ନେଇ ବାରମ୍ବାର ପ୍ରଶ୍ନ ଉଠି ଆସିଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ବନ୍ଧର ସୁରକ୍ଷା ନେଇ ଅନେକ ଥର ଯାଞ୍ଚ ଓ ସର୍ଭେ ହୋଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଏହାର ସଂପୂର୍ଣ ମରାମତି ସମ୍ଭବ ହୋଇପାରିନାହିଁ । ବିଶେଷକରି ଏହାର ଉଭୟ ପାଶ୍ୱର୍ର ସ୍ପିଲ୍ୱେ ଅଂଶ କଂକ୍ରିଟ୍ ଥିବା ବେଳେ ଅବଶିଷ୍ଟ ଅଂଶ ସଂପୂର୍ଣ ଭାବେ ମାଟିବନ୍ଧରେ ନିର୍ମିତ ହୋଇଛି । ହେଲେ ଏହି ୬ ଦଶନ୍ଧି ମଧ୍ୟରେ ଉଭୟ ମାଟିବନ୍ଧ ସମେତ କଂକ୍ରିଟ୍ ଅଂଶରେ ଅନେକ ଛିଦ୍ର ସୃଷ୍ଟି ହୋଇଥିବା ବିଭିନ୍ନ ରିପୋର୍ଟରୁ ଜଣାପଡୁଛି ।
ସେପଟେ ବୁର୍ଲା ପଟର ପାୱାର୍ ଗ୍ୟାଲେରିରେ ବିରାଟ ଫାଟ ଥିବା କଥା ଗତ ୨୦୧୪ରେ ଜଣାପଡ଼ିବା ପରେ ଦିଲ୍ଲୀରୁ ଆରମ୍ଭ କରି ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ତୁହାକୁ ତୁହା ଗସ୍ତ କରି ଅନୁଧ୍ୟାନ କରିଥିଲେ । ହେଲେ ଇତିମଧ୍ୟରେ ଏହାର ମରାମତି ହୋଇନଥିବା ନେଇ ଓଏଚ୍ପିସି କର୍ତ୍ତୃପକ୍ଷ କହୁଥିଲେ ହେଁ ପାଣି ଲିକେଜ୍ ଏବେ ବି ଜାରି ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏଭଳି ସ୍ଥିତିରେ ବନ୍ଧର ଉପରମୁଣ୍ଡ ପଟର କଂକ୍ରିଟ୍ କାନ୍ଥ ସମେତ ସମଗ୍ର ବନ୍ଧ ଅଂଶର ଯାଞ୍ଚ ରିମୋଟ୍ ଅପରେଟେଡ୍ ଭେହିକିଲ୍ (ଆର୍ଓଭି) ସହାୟତାରେ ଗତ ୨୦୧୫ ଡିସେମ୍ବରରୁ ୨୦୧୬ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଜଳଭଣ୍ଡାର ଭିତରୁ ସର୍ଭେ କରାଯାଇଥିଲା । ସେଣ୍ଟ୍ରାଲ୍ ସଏଲ୍ ଆଣ୍ଡ ମେଟେରିଏଲ୍ ରିସର୍ଚ୍ଚ ଷ୍ଟେସନ୍ (ସିଏସ୍ଏମ୍ଆର୍ଏସ୍) ପକ୍ଷରୁ ହୋଇଥିବା ଏହି ସର୍ଭେରେ ସମସ୍ତ ସ୍ପିଲ୍ୱେର ଯାଞ୍ଚ କ୍ୟାମେରା ସହାୟତାରେ କରାଯାଇଥିଲା ।
ଏହି ସର୍ଭେରେ କଂକ୍ରିଟ୍ କାନ୍ଥରେ ଶତାଧିକ ସ୍ଥାନରେ ଛୋଟ ଛୋଟ ହେୟାର୍ କ୍ରେକ୍ ପରି ଫାଟ ନଜରକୁ ଆସିଥିବା ଜଣାପଡ଼ିଥିଲା । ଏହାର ମରାମତି ପାଇଁ ଅଧିକ ଅନୁଧ୍ୟାନ ଜରୁରୀ ଥିବାରୁ ସାନି ସର୍ଭେ ପାଇଁ ବନ୍ଧ କର୍ତ୍ତୃପକ୍ଷ ଯୋଜନା କରିଥିଲେ । ଏଥିପାଇଁ ମୁମ୍ବାଇସ୍ଥିତ ଡାଏନାସୋର କଂକ୍ରିଟ୍ ଟ୍ରିଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦେବାକୁ ରାଜ୍ୟ ସରକାର ଚୁକ୍ତି କରିଥିଲେ । ହେଲେ କେତେକ ବୈଷୟିକ କାରଣକୁ ନେଇ କଂପାନି ଏବଂ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାର ବିରୋଧରେ କଂପାନି ଗତ ୨୭.୧୧.୨୦୧୮ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରି କଂପାନିକୁ ସର୍ଭେ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଗତ ଅପ୍ରେଲ ୨୯ରେ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଇତିମଧ୍ୟରେ ବନ୍ଧ କର୍ତ୍ତୃପକ୍ଷ ଏହି କଂପାନି ସହିତ ଚୁକ୍ତି କରିସାରିଛନ୍ତି
ହେଲେ, ବର୍ତ୍ତମାନ ମୌସୁମୀ ଉପନୀତ ହେବାକୁ ଥିବା ବେଳେ ବର୍ଷାରେ ଜଳଭଣ୍ଡାର ପାଣି ଗୋଳିଆ ରହିବ । ଯଦ୍ୱାରା ପାଣି ଭିତରର ଦୃଶ୍ୟ ଅନୁଧ୍ୟାନରେ ସମସ୍ୟା ଉପୁଜିବ । ତେଣୁ, ଆସନ୍ତା ନଭେମ୍ବର ମାସରୁ ଏହି କଂପାନି ତାର ସର୍ଭେ କାମ ଆରମ୍ଭ କରିବ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ଅପରପକ୍ଷେ ଏହି କଂପାନି ପୂର୍ବରୁ ଓଏଚ୍ପିସି ପକ୍ଷରୁ ବନ୍ଧର ପାୱାର୍ ହାଉସ୍ ଗ୍ୟାଲେରିର ମରାମତି କରିଥିବା ବେଳେ ହୀରାକୁଦ ବନ୍ଧ ସହିତ ପୂର୍ବରୁ ସଂପୃକ୍ତ ରହି ଆସିଛି । ବର୍ତ୍ତମାନ ୭ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ସର୍ଭେର ରିପୋର୍ଟକୁ ଆଧାର କରି ବନ୍ଧର ସ୍ଥାୟୀତ୍ୱ ନେଇ ଏକ ଦୀର୍ଘମିଆଦୀ ଖସଡା ପ୍ରସ୍ତୁତ କରାଯିବ ବୋଲି ଜଳସଂପଦ ବିଭାଗ ସୂଚନା ଦେଇଛି ।