ଭୁବନେଶ୍ୱର/ରାଉରକେଲା,୦୨/୦୧: ଶ୍ରାଚି ରାହ ବେଙ୍ଗଲ ଟାଇଗର୍ସ ଚମତ୍କାର ପ୍ରଦର୍ଶନ କରି  ଚଳିତ ହକି ଇଣ୍ଡିଆ ଲିଗ୍‌ରେ (ଏଚ୍‌ଆଇଏଲ୍‌)  କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ହାସଲ କରିଛି । ବୁଧବାର  ଦଳ ୨-୧ ଗୋଲରେ ଗୋନାଶିକା ଦଳକୁ ପରାଜିତ  କରି ସର୍ବାଧିକ ୬ ପଏଣ୍ଟ ସହ ଟେବୁଲରେ ଶୀର୍ଷ  ସ୍ଥାନରେ ରହିଛି । 

ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲ  ଟାଇଗର୍ସ ୩-୨ ଗୋଲରେ  ହାଇଦ୍ରାବାଦ ତୋଫାନକୁ ପରାଜିତ  କରିଥିଲା । ପୂର୍ବଭଳି ବୁଧବାର ମଧ୍ୟ  ଦଳ ଗୋନାଶିକା ବିପକ୍ଷରେ ଉନ୍ନତ  ପ୍ରଦର୍ଶନ କରିଥିଲା । ପ୍ରଥମ ଦୁଇଟି କ୍ୱାର୍ଟର  ଖେଳ ବେଶ ଚିତାକର୍ଷକ ଥିଲା । ଆକ୍ରମଣ ଓ  ପ୍ରତିଆକ୍ରମଣ ମଧ୍ୟରେ ଖେଳ ଗୋଲ ଶୂନ୍ୟ  ରହିଥିଲା । ଟାଇଗର୍ସର ଆକ୍ରମଣ ବେଶ କ୍ଷୀପ୍ର  ରହିଥିଲା । ପ୍ରଥମାର୍ଦ୍ଧରେ ଦଳକୁ ୫ଟି ପେନାଲ୍ଟି  କର୍ଣ୍ଣର ମିଳିଥିଲା । ଗୋନାଶିକାକୁ ମିଳିଥିଲା ୨ଟି । 

ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ୩୧ ମିନିଟରେ  ଟାଇଗର୍ସକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର (ପିସି)  । ରୁପିନ୍ଦର ପାଲ ସିଂ ଏହାକୁ  ଗୋଲ୍‌ରେ ପରିଣତ କରି ଦଳକୁ  ୧-୦ରେ ଅଗ୍ରଣୀ କରାଇଥିଲେ ।  ଗୋଟିଏ ମିନିଟ ପରେ ମନପ୍ରୀତ  ସିଂ ଆକର୍ଷଣୀୟ ଫିଲ୍ଡ ଗୋଲ୍‌ ସହ ସ୍ଥିତି ୧-୧ରେ ବରାବର କରିଥିଲେ । ତୃତୀୟ କ୍ୱାର୍ଟରରେ ୨ ଦଳ  ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ ।  

ଅନ୍ତିମ କ୍ୱାର୍ଟରରେ ଟାଇଗର୍ସ ପୁଣି ଏକ ପିସି  ପାଇଥିଲା । ୪୮ ମିନିଟରେ ରୁପିନ୍ଦର ଏହାକୁ  ଗୋଲରେ ରୂପାନ୍ତରିତ କରି ଦଳକୁ ୨-୧ରେ ଆଗୁଆ  କରାଇଥିଲେ । ଶେଷ ୧୨ ମିନିଟ ଖେଳ ତୀବ୍ର  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ମାତ୍ର ଗୋନାଶିକା ପ୍ରତ୍ୟାବର୍ତ୍ତନର ସୁଯୋଗ ନପାଇ ଶେଷରେ ଗୋଟିଏ ଗୋଲରେ ପରାଜିତ ହୋଇଥିଲା । 

ଗୋନାଶିକାର ଏହା ଦ୍ୱିତୀୟ ପରାଜୟ ।  ଉଦ୍‌ଘାଟନୀ ଦିବସରେ ଦଳ ୨-୨ (୨-୪)  ଗୋଲରେ ଦିଲ୍ଲୀ ଏସ୍‌ଜି ପିପର୍ସ ଠାରୁ ପରାସ୍ତ ହୋଇଥିଲା । କଳିଙ୍ଗ ଲାନସର୍ସ ପ୍ରଥମ ମ୍ୟାଚ୍‌ରେ  ପରାଜିତ ହୋଇଥିଲା । ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଲାନସର୍ସ ଏବଂ ସପ୍ତମ ସ୍ଥାନରେ ଗୋନାଶିକା  ରହିଛି । ପ୍ରଥମ ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟରେ ଡ୍ର’  ରହିଥିବାରୁ ଗୋନାଶିକାକୁ ୧ ପଏଣ୍ଟ ମିଳିଥିଲା ।