ରାଞ୍ଚି,୧୯/୦୧: ଚଳିତ ପୁରୁଷ  ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ହାଇଦ୍ରାବାଦ ତୋଫାନ୍ସ ଏବଂ ୟୁପି ରୁଦ୍ରସ ବିଜୟ  ହାସଲ କରିଛନ୍ତି । ତୋଫାନ୍ସ ୪-୦ରେ ଟେବୁଲ ଟପ୍ପର ତାମିଲନାଡ଼ୁ ଡ୍ରାଗନ୍ସକୁ ପରାସ୍ତ କରିଥିଲା ।  ଏଥିସହ ଡ୍ରାଗନ୍ସର ବିଜୟଧାରାରେ ବ୍ରେକ୍‌ ଲାଗିଛି । ତଥାପି ଦଳ (୧୫ପଏଣ୍ଟ) ପଏଣ୍ଟ ତାଲିକାରେ ଶୀର୍ଷ  ସ୍ଥାନ ବଜାୟ ରଖିଛି । ଅନ୍ୟ ଏକ ମ୍ୟାଚ୍‌ରେ ରୁଦ୍ରସ  ୧-୦ ଗୋଲ୍‌ରେ ଗୋନାଶିକାକୁ ହରାଇଥିଲା । 

ତୋଫାନ୍ସ-ଡ୍ରାଗନ୍ସ: ଏହି ମ୍ୟାଚ୍‌  ଏକତରଫା ହୋଇଥିଲା । ୪ଟି ଯାକ କ୍ୱାର୍ଟରରେ  ତୋଫାନ୍ସ ଆଧିପତ୍ୟ ବିସ୍ତାର କରି ଖେଳି ୪ଟି  ଗୋଲ୍‌ ସ୍କୋର କରିଥିଲା । ଦଳ ପକ୍ଷରୁ ଗୋଞ୍ଜାଲୋ  ପିଲାଟ ୨ଟି (୨୧, ୪୮ମିନିଟ୍‌) ଏବଂ ୩୧ମିନିଟ୍‌ରେ  ଆର୍ଥର ଡି ସ୍ଲୋଭର ଓ ୩୩ମିନିଟ୍‌ରେ ଟିମ୍‌ ବ୍ରାଣ୍ଡ  ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ସିଜନରେ  ଦଳ ପଞ୍ଚମ ବିଜୟ ସହ ପଏଣ୍ଟ ତାଲିକାରେ  ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ତୋଫାନ୍ସ  ୭ଟି ମ୍ୟାଚ୍‌ ଖେଳି ମୋଟ ୧୩ ପଏଣ୍ଟ ପାଇଛି । 

ରୁଦ୍ରସ-ଗୋନାଶିକା: ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ  ହୋଇଥିଲା । ପ୍ରଥମ କ୍ୱାର୍ଟରର ଅନ୍ତିମ ମିନିଟରେ  ହାର୍ଦ୍ଦିକ ସିଂହଙ୍କ ଗୋଲ୍‌ ବଳରେ ରୁଦ୍ରସ ୧-୦ରେ  ଅଗ୍ରଣୀ ହାସଲ କରିଥିଲା । ଏହାପରେ ବାକି  ସମୟର ଖେଳରେ ଆଉ ଗୋଲ୍‌ ହୋଇନଥିଲା ।  ଏହି ବିଜୟ ସହ ରୁଦ୍ରସ ପଏଣ୍ଟ ତାଲିକାରେ  ତୃତୀୟକୁ ଉଠିଛି । ଦଳ ୭ଟି ମ୍ୟାଚ୍‌ରୁ ୪ ବିଜୟ,  ୩ ପରାଜୟ ସହ ମୋଟ ୧୨ ପଏଣ୍ଟ ପାଇଛି ।