ଭୁବନେଶ୍ୱର/ରାଉରକେଲା,୩୧/୦୧: ହକି ଇଣ୍ଡିଆ ଲିଗ୍‌  (ଏଚ୍‌ଆଇଏଲ୍‌)ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହେବା ପରେ ଶୁକ୍ରବାରଠୁ ସେମି ଫାଇନାଲ  ଖେଳାଯିବ । ପ୍ରଥମ ସେମିରେ ବେଙ୍ଗଲ ଟାଇଗର୍ସ ଓ ତାମିଲନାଡୁ ଡ୍ରାଗନ୍ସ ଏବଂ  ଦ୍ୱିତୀୟ ସେମିରେ ସୁରମା ହକି କ୍ଲବ୍‌ ଓ ହାଇଦ୍ରାବାଦ ତୁଫାନ୍ସ ମୁହାଁମୁହିଁ ହେବେ ।  ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ସନ୍ଧ୍ୟା ୬ଟାରୁ ଏବଂ ଦ୍ୱିତୀୟ ମ୍ୟାଚ୍‌  ରାତି ୮ଟା ୧୫ ମିନିଟରୁ ଆରମ୍ଭ ହେବ । ସେମି ଫାଇନାଲିଷ୍ଟ ଦଳକୁ ନେଇ ଗୁରୁବାର ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ ହୋଇଥିଲା । 

ବେଙ୍ଗଲ ଟାଇଗର୍ସ-ଡ୍ରାଗନ୍ସ

ସିଜନ ଆରମ୍ଭରୁ ବେଙ୍ଗଲ ଟାଇଗର୍ସ  ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରିଥିଲା । କିନ୍ତୁ ମଧ୍ୟଭାଗରେ ଦଳର ପ୍ରଦର୍ଶନ କିଛିଟା  ଦୁର୍ବଳ ରହିଥିଲା । ମାତ୍ର ପୁଣି ଶେଷ  ଭାଗକୁ ପ୍ରତ୍ୟାବର୍ତ୍ତନ କରି ଟେବୁଲ ଟପ୍ପର ହୋଇଥିଲା । ୧୦ଟି ମ୍ୟାଚ୍‌ରୁ ୬ଟି ବିଜୟ ଏବଂ ଗୋଟିଏ ସୁଟଆଉଟ୍‌ ପରାଜୟ ସହ ମୋଟ୍‌  ୧୯ ପଏଣ୍ଟ ପାଇଥିଲା । 




ଅଧିନାୟକ ରୁପିନ୍ଦର ପାଲ ସିଂ କହିଛନ୍ତି, ‘ସେମି  ଫାଇନାଲରେ ପ୍ରବେଶ କରି ଆମେ ଆମର ପ୍ରଥମ ଲକ୍ଷ୍ୟ ପୂରଣ କରିପାରିଛୁ ।  ଏବେ ସେମିରେ ଶ୍ରେଷ୍ଠ ପ୍ରଦର୍ଶନ ଦେବା ଆମର ପରବର୍ତ୍ତୀ ଲକ୍ଷ୍ୟ ।’ ତାମିଲନାଡୁ ଡ୍ରାଗନ୍ସ ଶେଷ ଦୁଇ ଲିଗରେ ପରାଜିତ ହେବା ସତ୍ତେ୍ୱ ବି ସେମିରେ ପ୍ରବେଶ  କରିଥିଲା । ମୋଟ୍‌ ୧୮ ପଏଣ୍ଟ  ସହ ଟେବୁଲରେ ଚତୁର୍ଥ  ସ୍ଥାନରେ ରହିଥିଲା । 

ଅଧିନାୟକ  ଅମିତ ରୋହିଦାସ କହିଛନ୍ତି, ‘ଲିଗ ପର୍ଯ୍ୟାୟ ବେଶ ରୋମାଞ୍ଚକର ଥିଲା । ସେମିରେ ପ୍ରବେଶ କରି ଆମେ ଉତ୍ସାହିତ । ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି ।’ 

ସୁରମା-ତୁଫାନ୍ସ 

ଦୁଇ ଦଳ ମଧ୍ୟରେ ଟେବୁଲରେ ଗୋଟିଏ  ପଏଣ୍ଟ ତାରତମ୍ୟ ରହିଥିଲା । ସୁରମା ୧୯  ପଏଣ୍ଟ ଏବଂ ତୁଫାନ୍ସ ୧୮ ପଏଣ୍ଟ ପାଇ  ଟେବୁଲରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ  ସ୍ଥାନରେ ରହିଥିଲେ । 

ସୁରମା ଶେଷ ୪ଟି ଲିଗ୍‌ରେ ଶ୍ରେଷ୍ଠ  ପ୍ରଦର୍ଶନ ଦେଇ ବିଜୟୀ ହୋଇଥିଲା । ‘ସିଜନରେ ଆମେ ଭଲ ଆରମ୍ଭ କରିପାରି  ନଥିଲୁ । ପ୍ରତ୍ୟେକ ମ୍ୟାଚ୍‌ରେ ଆମେ  ତ୍ରୁଟି ସୁଧାରିବାକୁ ପ୍ରୟାସ କରି ଶେଷ  ପର୍ଯ୍ୟାୟରେ ପ୍ରତ୍ୟାବର୍ତ୍ତନ କରିଥିଲୁ । ଏବେ  ପ୍ରକୃତ ଲଢ଼େଇ ଆରମ୍ଭ ହେବାକୁ ଯାଉଛି ।  ଏ ଲଢ଼େଇ ପାଇଁ ଆମେ ପ୍ରସ୍ତୁତ ବୋଲି  କହିଛନ୍ତି ଅଧିନାୟକ ହର୍ମନପ୍ରୀତ ସିଂ । 

ତୁଫାନ୍ସର ପ୍ରଦର୍ଶନ ଭଲ ରହିଥିଲା । ଶେଷ ଲିଗରେ ଦଳ ପରାଜିତ  ହୋଇଥିଲା । ଅଧିନାୟକ ସୁମିତ କହିଛନ୍ତି,  ‘ଆମ ଦଳର ଯାତ୍ରା ଭଲ ରହିଛି । ବିଶେଷ  କରି ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ  କରିଛନ୍ତି । ମୋର ବିଶ୍ୱାସ ସେମିରେ ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ ଦେବ ।’

ସନ୍ଧ୍ୟାରେ ଚତୁର୍ଥ ଟି-ଟ୍ୱେଣ୍ଟି ଲଢ଼େଇ, ବ୍ୟାଟିଂ ତ୍ରୁଟି ସୁଧାରିବ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ