ଭୁବନେଶ୍ୱର ୦୩/୦୩: ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡ଼େ ଉତ୍ସାହ ଥିବାବେଳେ, ବୁଲା ପଶୁଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପରିବେଶ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ । ଏକ ପ୍ରେସ୍ ବିବୃତ୍ତି ଜରିଆରେ ସେ କହିଛନ୍ତି, ରାସ୍ତାରେ ବୁଲୁଥିବା କୁକୁର, ଗାଈ ଓ ଅନ୍ୟ ପଶୁଙ୍କ ଉପରକୁ ରଙ୍ଗ କିମ୍ବା ରଙ୍ଗ ମିଶ୍ରିତ ପାଣି ପକାଇବା ଦ୍ୱାରା ସେମାନେ ଅନେକ ଚର୍ମ ରୋଗ ଓ ଆଖିଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି କେମିକାଲଯୁକ୍ତ ରଙ୍ଗ ସେମାନଙ୍କ ପାଇଁ ପ୍ରାଣଘାତୀ ସାଜୁଛି । ଫଳରେ ଅନେକ ସମୟରେ ପଶୁଙ୍କ ମୃତ୍ୟୁ ଘଟୁଛି ।
ଶ୍ରୀ ସାହୁ ସୂଚନା ଦେଇଛନ୍ତି ଯେ, ଭାରତୀୟ ପଶୁ କ୍ରୁରତା ନିବାରଣ ଅଧିନିୟମ (ପିସିଏ ଆକ୍ଟ, ୧୯୬୦) ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ । ଏଭଳି କାର୍ଯ୍ୟ କଲେ ଜରିମାନା ସହ ଜେଲଦଣ୍ଡର ପ୍ରାବଧାନ ମଧ୍ୟ ରହିଛି । ପର୍ବ ପାଳନ ନାମରେ ନିରୀହ ଜୀବଙ୍କୁ ଯନ୍ତ୍ରଣା ନଦେବାକୁ ସେ ସମସ୍ତଙ୍କୁ ବିନୀତ ଅନୁରୋଧ କରିଛନ୍ତି । ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରି ପଶୁଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ପରିବେଶର ସନ୍ତୁଳନ ରକ୍ଷା ପାଇଁ ଏହି ମୂକ ପ୍ରାଣୀଙ୍କୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ ପ୍ରକାଶ କରିଛନ୍ତି ।
ଆହୁରି ପଢ଼ନ୍ତୁ...ହୋଲିରେ ରାଶି ଅନୁଯାୟୀ ବାଛନ୍ତୁ ସୌଭାଗ୍ୟର ରଙ୍ଗ